ଓଡ଼ିଶାଲାଇଭ୍ ବ୍ୟୁରୋ

ମିଶନ ଶକ୍ତି ପାଇଁ ରାଜ୍ୟରେ ସ୍ୱତନ୍ତ୍ର ବିଭାଗ ଗଠନ ହେବ। ଏହି ବିଭାଗ ରାଜ୍ୟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସେଥିରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ବିଷୟରେ ତଦାରଖ କରିବ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରବିବାର ଅନ୍ତର୍ଜାତୀୟ ମହିଳା ଦିବସରେ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମସ୍ତ ମହିଳାମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଥିଲେ। ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଆ ଆଜି ଆଗରେ ରହିବା ସହ ମା’ ଓ ମହିଳାମାନେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଅଗ୍ରଣୀ ହାସଲ କରିପାରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ଲକ୍ଷ ମହିଳା ଯୋଡ଼ି ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି ନବୀନ ତାଙ୍କର ଭାଷଣରେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ମିଶନ୍ ଶକ୍ତି ଜୀବନକୁ ପରିବର୍ତ୍ତନ କରୁଥିବା ପରିଚୟ ନିର୍ମାଣ’ ନାମକ ଏକ କଫି ଟେବୁଲ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି ପୁସ୍ତକରେ ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳରେ ମିଶନ ଶକ୍ତି ମହିଳାମାନଙ୍କ ପାଇଁ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ ରହିଛି।

ଏହାସହ ପୁସ୍ତକରେ ମିଶନ ଶକ୍ତି ମାଧ୍ୟମରେ ସଫଳତା ହାସଲ କରିଥିବା ବିଭିନ୍ନ ମହିଳାମାନଙ୍କ ଜୀବନୀ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ।

Comment