ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରସ୍ରୋତା ନଦୀରେ ନିର୍ମାଣ ହେଉଥିବା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ। ଏହା ବିରୋଧରେ ଲୋକଙ୍କୁ ସଚେତନ କରିବାକୁ ବୁଲିଲା ସଚେତନତା ରଥ। ଏହି ପ୍ରକଳ୍ପର ପାନୀୟ ଜଳ ରାଜକନିକା ଓ ଆଳି ବ୍ଲକ ବଦଳରେ ଭଦ୍ରକ ଓ ଜିଲ୍ଲାର ୯୧ଟି ପଞ୍ଚାୟତକୁ ଯୋଗାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ୮୯୨.୧୪ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରିଛନ୍ତି। ତେଣୁ ଏହାକୁ ବିରୋଧ କରି ପୁଣି ରାସ୍ତାକୁ ଓହ୍ଲାଇଛନ୍ତି କେନ୍ଦ୍ରାପଡ଼ାବାସୀ।

ସରକାରଙ୍କର ଏହି ଯୋଜନାକୁ ବିରୋଧ କରିଛନ୍ତି ଆଳି ଓ କନିକା ଅଞ୍ଚଳର ଜନସାଧାରଣ। ଏନେଇ ଗଠନ ହୋଇଛି ଖରସ୍ରୋତା ସୁରକ୍ଷା ପରିଷଦ। ବିଭିନ୍ନ ଜନ ଆନ୍ଦୋଳନ କରାଯିବା ସହିତ ଏବେ ସବୁ ଗାଁକୁ ଏକାଠି କରିବାକୁ ଆରମ୍ଭ ହୋଇଛି ଜନ ସଚେତନତା। ବିଭିନ୍ନ ଗାଁରେ ବୁଲୁଛି ସଚେତନତା ରଥ। ଖରସ୍ରୋତା ନଦୀର ଜଳକୁ ଏକ ବିଶାଳ କଳସିରେ ଭରି ଏକ ଗାଡ଼ିରେ ରଖି ଶୋଭାଯାତ୍ରା କରାଯାଇଛି।

୨୦୧୭ ମସିହାର କେନ୍ଦ୍ର ସରକାରଙ୍କ ଭୂତଳ ଜଳ ବିବରଣୀ ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାର ଭୂତଳ ଜଳ ଅତିମାତ୍ରାରେ ଲବଣାକ୍ତ ହୋଇଛି। ଗଭୀର ନଳକୂପ ଖୋଳା ନଯିବାକୁ ସରକାର ଚେତାବନୀ ଦେବା ସହିତ ନଦୀ ଜଳ ଓ ବର୍ଷା ଜଳକୁ ସଞ୍ଚୟ କରି ପାନୀୟ ଜଳଭାବେ ବ୍ୟବହାର କରାଯିବାକୁ କୁହାଯାଉଛି। ହେଲେ ଭଦ୍ରକ ଜିଲ୍ଲାର ଯେଉଁ ବ୍ଲକମାନଙ୍କୁ ସରକାର ଏହି ପାନୀୟ ଜଳ ଯୋଗାଇବାକୁ ଯୋଜନା କରିଛନ୍ତି, ସେ ସବୁ ଅଞ୍ଚଳରେ ଭୂତଳ ଜଳ ପ୍ରଚୁର ରହିଥିବାବେଳେ ଏହା ମିଠା ହୋଇରହିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଭୂତଳ ଜଳର ପରିମାଣ ଉଦ୍‌ବେଗ ଜନକ ଭାବେ ହ୍ରାସ ପାଉଛି।

ଏହାଛଡା ୨୦୧୬ର ପ୍ରଧାନମନ୍ତ୍ରୀ କୃଷି ସୁରକ୍ଷା ଯୋଜନା ରିପୋର୍ଟ ଅନୁସାରେ, ୨୦୨୦ ମସିହାରେ, କେନ୍ଦ୍ରାପଡ଼ା ଜିଲ୍ଲାରେ କୃଷିକ୍ଷେତ୍ର ପାଇଁ ଯେତିକି ଜଳ ଆବଶ୍ୟକ ସେତିକି ଦିଆଯାଇ ନଥିବା ଅଭିଯୋଗ ହୋଇଥିଲା। ଏହି ସବୁ ଅବିଚାରର ପ୍ରତିବାଦ କରି ଖରସ୍ରୋତା ସୁରକ୍ଷା ପରିଷଦ ରସ୍ତାକୁ ଓହ୍ଲାଇଛି। ଉଭୟ କୃଷି ଓ ପାନୀୟ ଜଳର ବିପଦ ମାଡ଼ି ଆସୁଥିବା କେନ୍ଦ୍ରାପଡ଼ା ଜିଲ୍ଲାରୁ ସରକାର କେଉଁ ଆଧାରରେ ଜଳ ଶୋଷଣ କରିବାକୁ ଚାହୁଁଛନ୍ତି ତାହା ନେଇ ପ୍ରଶ୍ନ କରିଛି ଖରସ୍ରୋତା ସୁରକ୍ଷା ପରିଷଦ।

ଖରସ୍ରୋତା ସୁରକ୍ଷା ପରିଷଦର ମୁଖ୍ୟ ସଂଯୋଜକ ସଂଜୟ ବେହୁରାଙ୍କ ନେତୃତ୍ୱରେ ନବକୁମାର ଜେନା, ଶୁକାନ୍ତ ଦାଶ, ଦଶରଥ ସେନାପତି, କର୍ଣ୍ଣରାଜ ବାରିକ, ଅଶୋକ ସାମଲ, ଶୁଭାଶିଷ ଷଢଙ୍ଗୀ ଆଦି ଜନନେତାମାନେ ଏହି ଆନ୍ଦୋଳନରେ ନେତୃତ୍ୱ ନେଉଛନ୍ତି।

Comment