ଓଡ଼ିଶାଲାଇଭ୍‌ ବ୍ୟୁରୋ

ସର୍ତ୍ତମୂଳକ ଜାମିନ ପାଇ ମଧ୍ୟ ଥାନାରେ ହାଜର ହେଲାନି କେନ୍ଦ୍ରାପଡ଼ା ଜିଲ୍ଲାର ଗ୍ୟାଙ୍ଗଷ୍ଟାର ଇମ୍ରାନ ଅଲ୍ଲୀ (ସପୋ)। ଫେବ୍ରୁଆରି ୨୫ ତାରିଖରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲା ସପୋ। ହାଇକୋର୍ଟଙ୍କ ସର୍ତ୍ତ ଅନୁସାରେ ପ୍ରତି ବୁଧବାର ସପୋ ସ୍ଥାନୀୟ ଥାନାରେ ହାଜର ହେବା କଥା, ହେଲେ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ପୋଲିସକୁ ଧରା ଛୁଆଁ ଦେଉନାହାନ୍ତି ସପୋ। ଏନେଇ ପୋଲିସ ସପୋର ଘରକୁ ନୋଟିସ ପଠାଇଛି।

ଗ୍ୟାଙ୍ଗଷ୍ଟର ଟିଟୋର ସାନଭାଇ ସାର୍ପ ସୁଟର ହେଉଛି ସପୋ। ଘର କେନ୍ଦ୍ରାପଡ଼ା ସହରର ଦିଲାରପୁର ଅଞ୍ଚଳରେ। ଟିଟୋର ଅପରାଧିକ ସାମ୍ରାଜ୍ୟରେ ସପୋର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ରହିଥିବା ଅଭିଯୋଗ ରହି ଆସିଛି। ଜଣେ ଠିକାଦାରଙ୍କୁ ଅପହରଣ, ଦାଦାବଟି, ଟେଣ୍ଡର ଫିକ୍ସିଂ ଓ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଟିଟୋକୁ ଏନକାଉଣ୍ଟର କରି ଗିରଫ କରିଥିଲା ଏସଟିଏଫ୍।

୨୦୧୮ ମସିହାରେ ଟିଟୋ ଗିରଫ ହେବାପରେ ଟିଟୋର ଅପରାଧିକ ସାମ୍ରାଜ୍ୟର ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଗିରଫ କରିଥିଲା ଏସଟିଏଫ୍। ଏହି ମାମଲାରେ ସପୋକୁ ମଧ୍ୟ ଗିରଫ କରାଯାଇଥିଲା। ପରେ ସପୋ ତଳ କୋର୍ଟରେ ଜାମିନ ଆବେଦନ କରି ନିରାଶ ହେବାପରେ ହାଇକୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲା। ହାଇକୋର୍ଟ  ସପୋକୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିବାକୁ ତଳକୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ।

ଗତ ଫେବୃଆରୀ ୨୫ ତାରିଖରେ ସପୋକୁ କେନ୍ଦ୍ରାପଡ଼ା ଏସଡିଜେଏମ୍ ସର୍ତ୍ତ ମୂଳକ ଜାମିନରେ ଖଲାସ କରିଥିଲେ। ଜାମିନର ସର୍ତ୍ତ ଅନୁସାରେ ସପୋ ପ୍ରତି ବୁଧବାର କେନ୍ଦ୍ରାପଡ଼ା ଟାଉନ ଥାନାରେ ହାଜିରା ଦେବା କଥା, ହେଲେ ବୁଧବାର ସପୋ ଟାଉନ ଥାନାକୁ ଯାଇନଥିଲା ।

ଏହାଛଡା ସପୋ ନାଁରେ ମଧ୍ୟ ଆହୁରି ଅନେକ ମାମଲା ରହିଛି। ଯେଉଁ ଦିନ ସପୋ ଜାମିନରେ ଖଲାସ ହେଲା ସେଦିନ କୋର୍ଟ ଥାନାରେ କାର୍ଯ୍ୟରତ ଏଏସ୍ଆଇ ରାଜେନ୍ଦ୍ର ଦେହୁରୀ ସପୋର ଖଲାସ ସମ୍ପର୍କରେ ପୋଲିସ ହେଡ କ୍ଵାର୍ଟରକୁ କୌଣସି ଖବର ଦେଇନଥିଲେ। ଫଳରେ ସପୋ ନାଁରେ ରହିଥିବା ଅନ୍ୟାନ୍ୟ ଅପରାଧିକ ମାମଲାରେ ସପୋକୁ ଗିରଫ କରିବାର ଯୋଜନାରେ ପୋଲିସ ଫେଲ୍ ମାରିଥିଲା।

ଜାମିନ ସର୍ତ୍ତ ଖିଲାପ କରିଥିବା ଅଭିଯୋଗରେ ସପୋ କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ ସପୋ ବିରୋଧରେ ନୋଟିସ ଜାରି କରିଛି। କେନ୍ଦ୍ରାପଡ଼ା ଟାଉନଥାନା ଏସଆଇ ଅନ୍ତର୍ଯ୍ୟାମୀ ବିଶ୍ଵାଳ ସପୋର ଘରକୁ ଏହି ନୋଟିସ୍‌ ପଠାଇଛନ୍ତି।

Comment