ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦୋଳବିମାନ କାନ୍ଧେଇଲେ କିନ୍ନର
  • ରଙ୍ଗ ଖେଳି ଖୁସି ମନାଇଲେ

ରଙ୍ଗର ପର୍ବ ହୋଲିରେ ମତୁଆଲା ହୋଇଛନ୍ତି ସମସ୍ତେ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ହୋଲିର ମଜା ନେଇଥିବା ବେଳେ କିନ୍ନର ବି ଏଥିରୁ ବାଦ୍ ପଡ଼ି ନାହାନ୍ତି। ଭୁବନେଶ୍ୱର କିନ୍ନରମାନେ ପଳାସପଲ୍ଲି ଅଞ୍ଚଳରେ କିନ୍ନରମାନେ ରଙ୍ଗ ବୋଳା ବୋଲି ହୋଇ ଉତ୍ସାହର ସହ ହୋଲି ଖେଳିଛନ୍ତି।

ସକାଳ ୮ଟାରୁ ଆରମ୍ଭ ହୋଇଥିଲା ହୋଲି ଖେଳ। ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରମୁଖ କିନ୍ନରମାନେ ପଳାସପଲ୍ଲି ଅଞ୍ଚଳରେ ଏକାଠି ହୋଇଥିଲେ। ପରସ୍ପର ଭିତରେ ଖୁସି ବାଣ୍ଟି ରଙ୍ଗ ବୋଳାବୋଳି ହୋଇଥିଲେ। ପରେ ସେମାନେ ବିଭିନ୍ନ ରାଜନେତାଙ୍କ ଘରକୁ ଯାଇ ହୋଲି ଶୁଭେଚ୍ଛା ଜଣାଇଥିଲେ।

ପିଲାମାନଙ୍କୁ ମିଠା ଖୁଆଇ ରଙ୍ଗ ବୋଳିଥିଲେ। ବାଜାର ତାଳେ ତାଳେ କିନ୍ନରମାନେ ନାଚିଥିଲେ।

ପାରମ୍ପରିକ ନୀତିରେ ହୋଲି ଉତ୍ସବ ପାଳିବା ସହ ନୂଆ ଶାଢ଼ି ପିନ୍ଧିଥିଲେ କିନ୍ନର।

“ହୋଲି ପର୍ବ ହେଉଛି ଭାଇଚାରାର ପର୍ବ। ଏହି ପର୍ବ ମତଭଦେକୁ ଦୂର କରି ଲୋକଙ୍କୁ ଏକାଠି କରିଥାଏ। ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥାଏ। ଏଣୁ ଏହି ପର୍ବକୁ ଆମେ ଧୁମ୍‌ଧାମ୍‌ରେ ପାଳନ କରିଛୁ। ସାରା ବିଶ୍ୱରେ ଭାଇଚାରା ବଜାୟ ରହୁ ଏବଂ ଶାନ୍ତି ବିରାଜମାନ କରୁ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି କିନ୍ନର ମୀରା ପରିଡ଼ା।

ଦୋଳ ପୂର୍ଣ୍ଣିମା ଅବସରରେ ବି କିନ୍ନରମାନେ ରାଧା-କୃଷ୍ଣଙ୍କୁ ବିମାନକୁ କାନ୍ଧେଇ ନଗର ପରିକ୍ରମା କରିଥିଲେ। ଦୋଳ ପୂର୍ଣ୍ଣିମାରେ ରାଧା-କୃଷ୍ଣ ଦୁଆର ଦୁଆର ବୁଲି ଭୋଗ ଖାଇଥା’ନ୍ତି। ଏହି ଅବସରରେ ପଳାସପଲ୍ଲି ଲେନ୍‌ ନମ୍ବର-୧୨ସ୍ଥିତ ମୀରା ପରିଡ଼ାଙ୍କ ଦୁଆରକୁ ଦୋଳ ବିମାନ ଆସିଥିଲେ। ଏହି ବିମାନକୁ ମୀରାଙ୍କ ପରିଡ଼ା ଓ ଅନ୍ୟମାନେ କାନ୍ଧେଇ ଥିଲେ।

Comment