ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ଶରୀରରେ ନାରୀର ହୃଦୟ ନେଇ ଜନ୍ମ ହେବା କଥା କିଶୋର ଅବସ୍ଥାରେ ଅନୁଭବ କରିଥିଲେ ମୀରା ପରିଡ଼ା। ନିଜ ପରିଚୟ ଜଣେଇବାକୁ ସାହସ ଜୁଟାଇବା ବେଳକୁ ଦୁଇ ଦୁଇ ଥର ସେ ବାହା ହୋଇସାରିଥିଲେ।

ଦିନେ ପରିଚୟ ପାଇଁ ସଂଘର୍ଷ କରୁଥିବା ମୀରା ପରିଡ଼ା ଏବେ ସମାଜରେ ଜଣେ ପ୍ରତିଷ୍ଠିତ ଚେହେରା। କିନ୍ନର ସମାଜର ପରିଚିତ ଚେହେରା ମୀରା ପରିଡ଼ା। କେବଳ ନିଜ ପାଇଁ ନୁହେଁ କିନ୍ନରମାନଙ୍କ ପରିଚୟ ଏବଂ ଅଧିକାର ପାଇଁ ମୀରାଙ୍କ ସଂଘର୍ଷ ଏବେ ବି ଜାରି ରହିଛି। ଅନେକ ସଂଘର୍ଷ ପରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଗଡ଼ତାରା ଗାଁରେ ମୀରାଙ୍କ ଜନ୍ମ। ମାୟାଧର ପରିଡ଼ା ଭାବେ ଜନ୍ମ ହୋଇଥିବା ମୀରା ସ୍କୁଲ ପାଠପଢ଼ା ବେଳେ ମାଇଚିଆ ଶବ୍ଦ ଶୁଣି ବିଚଳିତ ହୋଇପଡ଼ିଥିଲେ। ପୁରୁଷ ଶରୀରରେ ନାରୀର ହୃଦୟ ନେଇ ଜନ୍ମ ହୋଇଥିବା କଥା ସେ କିଶୋର ଅବସ୍ଥାରେ ଅନୁଭବ କରିପାରିଥିଲେ। ନିଜ ପରିଚୟ ଜଣେଇବାକୁ ସାହସ ଜୁଟୁନଥିଲା ମନରେ।

ଏହାରି ଭିତରେ ସେ ଦୁଇ ଦୁଇ ଥର ବାହା ବି ହୋଇଥିଲେ। କିନ୍ତୁ ସ୍ତ୍ରୀଙ୍କ ସହ ସଂସାର ଗଢ଼ିପାରିନଥିଲେ। କାରଣ ସେଥିଲେ ଜଣେ କିନ୍ନର।

‘‘ମୁଁ ଘରର ବଡ଼ ପୁଅ ଥିଲି। କିଶୋର ଅବସ୍ଥାରେ ମୋ ଭିତରେ ପରିବର୍ତ୍ତନ ଆସିଲା। ମୁଁ ଅନୁଭବ କଲି ଯେ ମୁଁ ପୁଅ ନୁହେଁ। କିନ୍ତୁ ଘର ଲୋକ ବୁଝିବାକୁ ବହୁତ ସମୟ ଲାଗିଥିଲା। ତେଣୁ ୨୩ ବର୍ଷ ବୟସରେ ମୁଁ ମାୟାଧର ପରିଡ଼ା ଭାବେ ବିବାହ କରିଥିଲି। ପ୍ରଥମ ବିବାହ ଅସଫଳ ହେବାରୁ ମତେ ଦ୍ୱିତୀୟ ଥର ପାଇଁ ବାହା କରିବାକୁ ପଡ଼ିଥିଲା’’, ନିଜ ଅତୀତକୁ ମନେ ପକାଇ ଏଭଳି କହିଛନ୍ତି ମୀରା ପରିଡ଼ା।

ମୀରା ପରିଡ଼ାଙ୍କ ସଂର୍ଘପୂର୍ଣ୍ଣ ଜୀବନ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #meeraparida #transgender #marriage #life #transgenderrights

Comment