ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସର ଅସନ୍ତୁଷ୍ଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଇତି ମଧ୍ୟରେ ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସିନ୍ଧିଆ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି। ତାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ତିନି ନେତା ପ୍ରାୟ ଏକ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲେ।
କୁହାଯାଉଛି ସିନ୍ଧିଆଙ୍କ ସହ ମଧ୍ୟପ୍ରଦେଶର ଭବିଷ୍ୟତ ରାଜନୀତି ବିଷୟ ସମ୍ପର୍କରେ ବି ଆଲୋଚନା ହୋଇଛି ଏବଂ କିଛି ଖାସ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଖବର ଅନୁସାରେ, ସିନ୍ଧିଆ ବିଜେପିରେ ଯୋଗ ଦେବେ ଓ ତାଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯିବ। ଏହା ବଦଳରେ ସିନ୍ଧିଆଙ୍କ ସମର୍ଥକମାନେ ବିଧାୟକ ପଦରୁ ଇସ୍ତଫା ଦେବେ। ଏହା ଫଳରେ ମଧ୍ୟପ୍ରଦେଶରେ କମଳନାଥ ସରକାର ଅଳ୍ପ ସଂଖ୍ୟକ ହୋଇଯିବ।
ଏହି ଖବର ମଧ୍ୟ ଆସୁଛି ଯେ ଆଜି ସନ୍ଧ୍ୟାରେ ବିଜେପିର ସମସ୍ତ ୧୦୭ ବିଧାୟକ ଏକ ବୈଠକରେ ଯୋଗ ଦେବେ ଓ ସିନ୍ଧିଆ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହେବେ। ମୋଦୀଙ୍କ ସହିତ ହୋଇଥିବା ବୁଝାମଣା ଅନୁଯାୟୀ ସିନ୍ଧିଆ ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବା ପରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପଦ ମିଳିବ।
ତେଣେ ମଧ୍ୟପ୍ରଦେଶରେ କ’ଣ ଖେଳ ହେବ ସେହି ନିଷ୍ପତ୍ତି ମଧ୍ୟ ସରିଛି। ଏହା ମଧ୍ୟରେ ସିନ୍ଧିଆଙ୍କ ପଛରେ ଥିବା ୧୯ ଜଣ ବିଧାୟକ ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କ ପାଖକୁ ପଠାଇସାରିଛନ୍ତି। କମଳନାଥ ସରକାର ଦୁର୍ବଳ ହେବା ପରେ ଶିବରାଜ ଚୌହାନ ସରକାର ଗଠନ ପାଇଁ ଦାବି କରିବେ। ଯଦି ତାହା ହୁଏ ଚୌହାନଙ୍କ ମନ୍ତ୍ରୀମଣ୍ଡଳରେ ସିନ୍ଧିଆଙ୍କ କିଛି ସମର୍ଥକଙ୍କୁ ମଧ୍ୟ ସାମିଲ କରାଯିବ।
ମଧ୍ୟପ୍ରଦେଶ ବିଧାନସଭାରେ ୨୩୦ ଜଣ ବିଧାୟକ ଅଛନ୍ତି। କଂଗ୍ରେସର ୧୧୪ ବିଧାୟକ ଥିବାବେଳେ ସରକାର ଗଠନ ପାଇଁ ୧୧୫ ବିଧାୟକଙ୍କ ସମର୍ଥନ ଦରକାର। ବିଜେପି ପାଖରେ ୧୦୭ ବିଧାୟକ ଥିବାରୁ ଦଳକୁ ଆଉ ୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି।


















