ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: କରୋନା ସଂକ୍ରମଣ ସ୍ଥିତିକୁ ଲକ୍ଷ୍ୟ କରି ବାର୍ କାଉନସିଲ୍ ସ୍ୱତନ୍ତ୍ର କମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। କରୋନା ସଂକ୍ରମଣ ନେଇ ଉଦ୍‌‌ବେଗଜନକ ସ୍ଥିତି ସୃଷ୍ଟି ହୋଇଥିବାବେଳେ ହାଇକୋର୍ଟ ତାଙ୍କ ଅଧୀନରେ ଥିବା ନିମ୍ନ ଅଦାଲତ ବନ୍ଦ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛି ରାଜ୍ୟ ବାର୍ କାଉନସିଲ୍। ଏନେଇ ବାର୍ କାଉନସିଲ୍‌ର ସ୍ୱତନ୍ତ୍ର କମିଟିରେ ପ୍ରସ୍ତାବ ଗୃହିତ ହୋଇଛି।

ବରିଷ୍ଠ ଆଇନଜୀବୀ ଅଶୋକ ପରିଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କରୋନାର ମୁକାବିଲା ପାଇଁ ସୁପ୍ରିମ୍‌କୋର୍ଟ, ବିଭିନ୍ନ ହାଇକୋର୍ଟ, କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଅଦାଲତରେ ମାମଲାର ଶୁଣାଣିରେ ବିଶେଷ ଜନସମାଗମ ହେଉଥିବା, କୋର୍ଟ ପରିସରରେ ଭିଡ଼ ଜମୁଥିବାରୁ ହାଇକୋର୍ଟଙ୍କ ଅଧୀନରେ ଥିବା ନିମ୍ନ ଅଦାଲତ ବନ୍ଦ କରାଯିବାର ଆବଶ୍ୟକତା ଥିବା ବୈଠକରେ ମତ ପ୍ରକାଶ ପାଇଛି।

ସେହିକ୍ରମରେ ବାର୍ କାଉନସିଲ୍ ପକ୍ଷରୁ ଏକାଧିକ ପ୍ରସ୍ତାବ ଗୃହିତ ହେବା ସହ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏନେଇ ଆଜି ହାଇକୋର୍ଟଙ୍କୁ ଅବଗତ କରାଯିବ ବୋଲି ସୂଚନା ମିଳିଛି। ବାର୍ କାଉନସିଲ୍ ପକ୍ଷରୁ ଦର୍ଶାଯାଇଛି ଯେ, ବର୍ତ୍ତମାନ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ସତର୍କତାମୂଳକ କଟକଣା ଜାରି କରିଛନ୍ତି।

ଏଭଳି ସ୍ଥିତିରେ ବିଚାରପତି, ଓକିଲ, ମହକିଲ ଓ ଅନ୍ୟ ବିଚାର ବିଭାଗୀୟ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଅଦାଲତରେ ଜନ ସମାଗମ ହେଉଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ହାଇକୋର୍ଟ ତାଙ୍କ ଅଧୀନସ୍ଥ ଅନ୍ୟ ଅଦାଲତ ବନ୍ଦ ପାଇଁ ନିର୍ଦ୍ଦେଶ ଦେବାକୁ ବାର୍ କାଉନସିଲ୍ ପକ୍ଷରୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କୁ ଅନୁରୋଧ କରାଯାଇଛି। ଯଦି ଆବଶ୍ୟକ ପଡ଼େ ତେବେ କିଛି ନିର୍ଦ୍ଦିଷ୍ଟ କଟକଣା ସହ ନିମ୍ନ ଅଦାଲତ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେବାକୁ ବାର୍ କାଉନସିଲ୍ ପକ୍ଷରୁ ନିବେଦନ କରାଯାଇଛି।

ବର୍ତ୍ତମାନ ସ୍ଥିତିରେ ଅଦାଲତ ନିକଟରେ ଜନଗହଳି କମାଇବା ପାଇଁ ମହକିଲ ଓ ସେମାନଙ୍କ ପ୍ରତିନିଧିମାନଙ୍କୁ ଅଦାଲତରେ ଉପସ୍ଥିତ ରହିବାକୁ ବାରଣ କରାଯିବା ସହ ଅତି ଆବଶ୍ୟକ ନଥିଲେ ଅଭିଯୁକ୍ତମାନଙ୍କୁ ବ୍ୟକ୍ତିଗତ ହାଜିରାରୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ବାର୍ କାଉନସିଲ୍ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ଭିଜିଟର୍ସ ପାସ୍ ଜାରି ନକରିବା, କୌଣସି ମାମଲାରେ ପ୍ରତିକୂଳ ରାୟ ନଦେବା ପାଇଁ ହାଇକୋର୍ଟ ନିମ୍ନ ଅଦାଲତମାନଙ୍କୁ ନିର୍ଦ୍ଦେଶ ଦେବାକୁ ବାର୍ କାଉନସିଲ୍ ପକ୍ଷରୁ ଅନୁରୋଧ କରାଯାଇଛି।

ଜରୁରୀ ମାମଲାର ଶୁଣାଣି ପାଇଁ ସ୍ୱଳ୍ପ ସଂଖ୍ୟକ ଅଦାଲତ ଚାଲୁ ରଖିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ମଧ୍ୟ ବାର୍ କାଉନସିଲ୍ ପକ୍ଷରୁ ନିବେଦନ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ମାନସ ମହାପାତ୍ର, ଅଜୟ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

Comment