ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସହ କିଛି ଅଞ୍ଚଳରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି।

କରୋନା ପାଇଁ ସାରା ବିଶ୍ଵରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାସହ ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ଓଡ଼ିଶା ସରକାର ମଧ୍ୟ କରୋନାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ରାଜ୍ୟ ସରକାର ଲୋକମାନଙ୍କୁ ସଚେତନ ମଧ୍ୟ କରୁଛନ୍ତି। ଏହାସହ ସାମାଜିକ ଦୂରତା ରକ୍ଷା ରଖିବାକୁ ଗାଇଡ୍‌ଲାଇନ ମଧ୍ୟ ଜାରି କରାଯାଇଛି। ରାଜ୍ୟରେ ମାର୍ଚ୍ଚ ୩୧ ଯାଏଁ ସମସ୍ତ ସ୍କୁଲ ଓ କଲେଜକୁ ମଧ୍ୟ ବନ୍ଦ କରିଦିଆଯାଇଛି। ବିଭିନ୍ନ ଜିଲ୍ଲାରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି। ହେଲେ କେଉଁ କାରଣରୁ କାହିଁକି ୧୪୪ ଧାରା ଜାରି ହୋଇଛି ଆସନ୍ତୁ ଜାଣିବା।

ଯାଜପୁରରେ ୧୪୪ ଧାରା

ଯାଜପୁରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରାଶାସନ। ଜିଲ୍ଲାର କୌଣସି ବି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ଛିଡ଼ା ହୋଇପାରିବେ ନାହିଁ। ସେହିପରି ବୈତରଣୀର ବାରୁଣୀ ବୁଡ଼ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ମହାବରୁଣୀ ପାଇଁ ମଧ୍ୟ ୧୪୪ ଜାରି କରିଛି ପ୍ରଶାସନ। ଅନ୍ୟପକ୍ଷରେ ଯାଜପୁର ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି।

ଢେଙ୍କାନାଳରେ ୧୪୪ ଧାରା

କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ। କରୋନାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଜାରି ହୋଇଛି। ସହରର ସପିଂ ମଲ୍‌ ଓ ମଣ୍ଡପକୁ ବନ୍ଦ କରିଦିଆଯାଇଛି। ସାପ୍ତାହିକ ହାଟକୁ ଛାଡ଼ି ସବୁ ସ୍ଥାନରେ ୧୪୪ ଧାରା ଜାରି ହୋଇଛି। ଢେଙ୍କାନାଳର କପିଳାସ ନିକଟରେ ଥିବା ସାଇନ୍ସ ପାର୍କକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଏହାସହ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି।

ପୁରୀ ବେଳାଭୂମି ଓ ହରିରାଜପୁର ମେଲଣରେ ୧୪୪ ଧାରା

କରୋନା ପାଇଁ ପ୍ରସିଦ୍ଧ ହରିରାଜପୁର ମେଲଣରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ମେଲଣରେ ପ୍ରବଳ ଜନଗହଳି ହେଉଥିବାକୁ ଏଠାରେ କରୋନା ଭାଇରସ୍‌ ବ୍ୟାପିବାର ଆଶଙ୍କା ଥିବା ନେଇ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ମେଲଣରେ ଦୋକାନ ବଜାର ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ଏହାସହ ପୁରୀ ବେଳାଭୂମିରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି। ୨ଦିନ ଭିତରେ ପୁରୀରେ ସବୁ ହୋଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରେ ୧୪୪ ଧାରା

କରୋନା ଭାଇରସରୁ ବଞ୍ଚିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି। ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକମାନଙ୍କ ଆଗମନ ବନ୍ଦ କରାଯାଇଛି। ଜିଲ୍ଲାରେ ବହୁ ପର୍ଯ୍ୟଟନ ସ୍ଥଳୀ, ବେଳାଭୂମି ଥିବା ସାଙ୍ଗକୁ ବହୁ ସ୍ଥାନରେ ଧାର୍ମିକ ସମାବେଶ ହେଉଥିବା ଦୃଷ୍ଟିରୁ କରୋନା ଭାଇରସ ଯେଭଳି ନ ବ୍ୟାପିବ ତାହାକୁ ଦୃଷ୍ଟିରେ ରଖି ଗୋଟିଏ ସ୍ଥାନରେ ୫ ରୁ ଅଧିକ ବ୍ୟକ୍ତିଙ୍କ ସମାବେଶକୁ ରୋକାଯାଇଛି ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ଯାନିଯାତ୍ରା, ଦଣ୍ଡନାଟ, ଅପେରା, ବାହାଘର ଶୋଭାଯାତ୍ରା ଓ ଅନ୍ୟାନ୍ୟ ଉତ୍ସବ ହେବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଭଦ୍ରକରେ ୧୪୪ ଧାରା

କରୋନା ପାଇଁ ଭଦ୍ରକରେ ମଧ୍ୟ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ସ୍କୁଲ, ଅଙ୍ଗନବାଡ଼ି, ସିନେମା ହଲ୍‌, ସପିଂ ମଲ୍‌ ଓ ଜିମ୍‌କୁ ବନ୍ଦ କରିଦିଆଯାଇଛି। ଏହାସହ ଜରୁରୀକାଳୀନ ସେବା ପାଇଁ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି। ୫ରୁ ଅଧିକ ଲୋକ ଏକାଠି ନଛିଡ଼ା ହେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ପାରାଦୀପରେ ୧୪୪ ଧାରା

ପାରାଦୀପରେ ମଧ୍ୟ କରୋନା ପାଇଁ ୧୪୪ ଧାରା ଜାରି ହୋଇଛି। କୌଣସି ସଭା ସମିତି, ରାଲି ଓ ବୈଠକରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏହି ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ଏହାସହ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ କରୋନା ପାଇଁ କଟକଣା ଜାରି କରିଛନ୍ତି। ବିଦେଶୀ କ୍ରୁ’ମାନଙ୍କୁ ଉପକୂଳ ବାରଣ କରାଯାଇଛି।

ଏହାସହ ବଲାଙ୍ଗିର, ଝାରସୁଗୁଡ଼ା ମଙ୍ଗଳବଜାର, ଗଜପତି ଆଜି ଜିଲ୍ଲାରେ ମଧ୍ୟ କରୋନା ପାଇଁ ୧୪୪ ଧାରା ଜାରି କରାଯାଇଛି। ଏହାସହ ଲୋକମାନଙ୍କୁ କରୋନା ମୁକାବିଲା ପାଇଁ ଜିଲ୍ଲାସ୍ତରରେ ସଚେତନ କରାଯାଉଛି।

Comment