ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ବ୍ୟାଡ୍‌ମିଣ୍ଟନ ଷ୍ଟାର ସାଇନା ନେହଓ୍ଵାଲଙ୍କ ଆଜି ଜନ୍ମଦିନ। ୧୯୯୦ ମସିହା ମାର୍ଚ୍ଚ ୧୭ ତାରିଖରେ ହରିୟାଣାର ହିସାରରେ ସେ ଜନ୍ମ ଗ୍ରହଣ କରିଥିଲେ। ଆଜି ସେ ୩୦ ବର୍ଷ ବୟସରେ ପହଞ୍ଚିଛନ୍ତି। ତାଙ୍କ ଜନ୍ମଦିନରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଚୁଛି।

ସାଇନା ତାଙ୍କ ଘର ଟାଉନ୍ ହିସାରରେ ଥିବା କ୍ୟାମ୍ପସ୍ ସ୍କୁଲରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ପରେ ପରିବାର ହାଇଦ୍ରାବାଦକୁ ସ୍ଥାନାନ୍ତରିତ ହେବାପରେ ସେ ହାଇଦ୍ରାବାଦର ସେଣ୍ଟ ଆନ୍ସ କଲେଜ ମେହେଡିପାଟନମରୁ ଦ୍ୱାଦଶ ଶିକ୍ଷାଲାଭ କରିଥିଲେ। ସାଇନା କେବଳ ବ୍ୟାଡମିଣ୍ଟନ ଷ୍ଟାର ନୁହଁନ୍ତି ବରଂ କରାଟେରେ ତାଙ୍କର ବ୍ରାଉନ ବେଲ୍ଟ ମଧ୍ୟ ଅଛି।

ଉଭୟ ସାଇନାଙ୍କ ମା’ ଏବଂ ବାପା ରାଜ୍ୟ ସ୍ତରର ବ୍ୟାଡମିଣ୍ଟନ ଖେଳାଳି ଥିଲେ। ତେଣୁ ସାଇନାଙ୍କ ବ୍ୟାଡ୍‌ମିଣ୍ଟନ ଖେଳ ପ୍ରତି ଥିବା ରୁଚିକୁ ସେମାନେ ସମର୍ଥନ କରିଥିଲେ। ସାଇନା ନେହୱାଲଙ୍କ ନାଁ ସାଇ ବାବାଙ୍କ ନାଁରୁ ଆସିଥିବା କୁହାଯାଏ।

ତାଙ୍କୁ ୧୫ ବର୍ଷ ବୟସ ହୋଇଥିବା ବେଳେ ୨୦୦୫ ମସିହାରେ ସେ ବ୍ୟାଡ୍‌ମିଣ୍ଟନରେ ଇତିହାସ ସୃଷ୍ଟି କରିଥିଲେ। ୯ଥର ନ୍ୟାସନାଲ ଚାମ୍ପିୟନ ଅପର୍ଣ୍ଣା ପୋପଟଙ୍କୁ ଏସିଆନ୍‌ ସେଟେଲାଇଟ୍‌ ଚାମ୍ପିୟନସିପ୍‌ରେ ହରାଇଦେଇଥିଲେ।

ସେ ପ୍ରଥମ ଥର ପାଇଁ ୨୦୦୬ରେ ୧୬ ବର୍ଷ ବୟସରେ ଅଣ୍ଡର-ୟୁନିସ୍ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଥିଲେ। ସେ ୨୦୧୧ରେ ଇଣ୍ଡୋନେସିଆ ଓପନ୍ ଜିତି ସୁପର ସିରିଜ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ଟାଇଟଲ୍ ଜିତିଥିଲେ ଏବଂ ଏହା କରିବାରେ ଭାରତର ପ୍ରଥମ ମହିଳା ବ୍ୟାଡମିଣ୍ଟନ୍ ଖେଳାଳି ହୋଇଥିଲେ।

୨୦୧୨ରେ, ସେ ସ୍ଵିସ୍‌ ଓପନ୍ ଟାଇଟଲ୍ ମଧ୍ୟ ଜିତିଥିଲେ। ଯେଉଁଥିରେ ସେ ସେତବେଳର ବିଶ୍ୱର ଦୁଇ ନମ୍ଵର ବ୍ୟାଡ୍‌ମିଣ୍ଟନ ଖେଳାଳି ୱାଙ୍ଗ୍ ସିକ୍ସନ୍‌ଙ୍କୁ ପରାସ୍ତ କରି ଟାଇଟଲ୍ ଜିତିଥିଲେ। ସେ ଦିଲ୍ଲୀରେ ଆୟୋଜିତ କମନୱେଲଥ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାସହ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ମଧ୍ୟ ଜିତିଛନ୍ତି।

୨୦୧୦ରେ ନେହୱାଲଙ୍କୁ ପଦ୍ମଶ୍ରୀ ଏବଂ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଓ ୨୦୦୯ରେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୧୬ ମସିହାରେ ତାଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣ ମଧ୍ୟ ପ୍ରଦାନ କରାଯାଇଥିଲା।

Comment