ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ପିଠି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସିବା, ଉଠିବା-ବସିବାର ଭୁଲ୍ ଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବଢ଼ିବାରେ ଲାଗିଛି। ପ୍ରଥମେ ଏହା କେବଳ ବୃଦ୍ଧାବସ୍ଥାରେ ଦେଖାଯାଉଥିଲା କିନ୍ତୁ ଏବେ ପିଲାଠୁ ବୁଢ଼ା ଯାଏଁ ସମସ୍ତେ ପୀଡ଼ିତ। ଏହି ଯନ୍ତ୍ରଣା ବେଳେବେଳେ କଷ୍ଟଦାୟକ ହେବା ସହ ଗମ୍ଭୀର ରୂପ ଧାରଣ କରିଥାଏ।

ବିଶେଷଜ୍ଞ ଅନୁସାରେ ଆମ ପିଠିର ହାଡ଼, ମାଂସପେଶୀ ଏବଂ ଲିଗାମେଣ୍ଟସ୍ କିପରି କାମ କରୁଛି ଏବଂ କିଭଳି ଭାବେ ପରସ୍ପର ସହ ସଂଯୁକ୍ତ ହୋଇ ରହିଛି, ତାହା ଉପରେ ପିଠି ଯନ୍ତ୍ରଣାର ସମସ୍ୟା ନିର୍ଭର କରିଥାଏ।

ପିଠି ଯନ୍ତ୍ରଣାର କାରଣ

ପିଠି ଯନ୍ତ୍ରଣା ପ୍ରତିଦିନର ଗତିବିଧି ଏବଂ ଉଠାବସା କରିବାର ଭୁଲ୍ ଶୈଳୀ ଯୋଗୁଁ ଦେଖାଯାଇଥାଏ। ଯେମିତି କି କମ୍ପ୍ୟୁଟର ବ୍ୟବହାର କରିବାବେଳେ ସଠିକ୍ ଢଙ୍ଗରେ ନ ବସିବା, ଖେଳକୁଦ ସମୟରେ ହେଉଥିବା ଆଘାତ ଆଦି ପିଠି ଯନ୍ତ୍ରଣାର କାରଣ ହୋଇଥାଏ। ଏହାଛଡ଼ା ମାନସିକ ଅବସାଦ ଦେଉଥିବା କାମ, ଗର୍ଭାବସ୍ଥା, ନିଶାଦ୍ରବ୍ୟ ସେବନ, ଅନିୟମିତ ନିଦ୍ରା, ମୋଟାପଣ ଏବଂ ଅତ୍ୟଧିକ ଶାରୀରିକ ପରିଶ୍ରମ ଯୋଗୁଁ ମଧ୍ୟ ପିଠି ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ।

ବ୍ୟାୟାମ

ନିଜକୁ ଫିଟ୍ ରଖିପାରିଲେ ପିଠି-ଅଣ୍ଟା ଯନ୍ତ୍ରଣା ସାଙ୍ଗକୁ ଆହୁରି ଅନେକ ରୋଗରୁ ସହଜରେ ରକ୍ଷା ପାଇ ହେବ। ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଏଥିରୁ ମୁକ୍ତି ପାଇ ହେବ। ତେବେ ବ୍ୟାୟାମ୍ କରିବାବେଳେ କେତେକ ଦିଗ ପ୍ରତି ନଜର ଦେଲେ ପିଠି ଯନ୍ତ୍ରଣାରୁ ବେଶ୍ ଲାଭ ମିଳିପାରିବ।

ବସିବାର ସଠିକ୍ ଶୈଳୀ

ଧ୍ୟାନ ରଖିବେ ଯେଉଁଠାରେ ବି ବସୁଛନ୍ତି, ତାହା ଯେମିତି ଆରାମଦାୟକ ହୋଇଥାଏ। କାମ ଭିତରେ କିଛି ସମୟ ଶରୀରକୁ ଆରାମ ଦେଲେ ମଧ୍ୟ ପିଠି ଯନ୍ତ୍ରଣା ସମସ୍ୟା ଦୂର ହୁଏ।

ଉତ୍ତମ ଆହାର

ଖାଦ୍ୟପେୟ ଆଦି କ୍ଷେତ୍ରରେ ଭଲ ଅଭ୍ୟାସ କେବଳ ଶରୀରକୁ ସୁସ୍ଥ କରେ ତାହା ନୁହେଁ ବରଂ ଓଜନକୁ ନିୟନ୍ତ୍ରଣରେ ମଧ୍ୟ ରଖିଥାଏ। କାରଣ ଓଜନ ବଢ଼ିଲେ ପିଠି-ଅଣ୍ଟା ଯନ୍ତ୍ରଣା ଦେଖାଦେଇଥାଏ। ତେଣୁ ଶରୀର ଉପରେ ଯେମିତି ଅତିରିକ୍ତ ପ୍ରଭାବ ନପଡ଼େ ସେଥିପାଇଁ ଉତ୍ତମ ଆହାର ସେବନ କରିବା ଉଚିତ୍।

ମାନସିକ ଅବସାଦ କମ୍ କରନ୍ତୁ

ଅନେକ ମାନିବାକୁ ପ୍ରସ୍ତୁତ ନୁହନ୍ତି ଯେ, ମାନସିକ ଅବସାଦ ପିଠି ଓ ଅଣ୍ଟା ଯନ୍ତ୍ରଣା ସୃଷ୍ଟି କରିବାରେ ମୁଖ୍ୟ କାରଣ ସାଜିଥାଏ। ଯୋଗ, ପ୍ରାଣାୟମ, ଧ୍ୟାନ ଦ୍ୱାରା ମାନସିକ ଅବସାଦ କମ୍ ହୋଇଥାଏ। ପ୍ରତିଦିନ ଏହା କରିପାରିଲେ ପିଠି ଯନ୍ତ୍ରଣା ଦୂରେଇ ଯିବ।

ଧୂମପାନ କରନ୍ତୁ ନାହିଁ

ଧୂମପାନ କରିବା ଦ୍ୱାରା ପିଠି ଯନ୍ତ୍ରଣା ବଢ଼ିଥାଏ। ଧୂମପାନ ଛାଡ଼ିବା ଦ୍ୱାରା ନା କେବଳ ପିଠି ଯନ୍ତ୍ରଣା ଦୂର ହୁଏ ତା’ନୁହେଁ ବରଂ କ୍ୟାନସର୍ ଭଳି ମାରାତ୍ମକ ରୋଗରୁ ମୁକ୍ତି ମିଳେ।

Comment