ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ବହୁ ବଡ଼ ବଡ଼ ଦେଶ ଏହି ଭାଇରସ୍‌ କବଳରୁ ମୁକଳି ପାରୁ ନାହାନ୍ତି। ଏଣୁ ଓଡ଼ିଶାରେ ଏହହର ମୁକାବିଲା ପାଇଁ ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

‘‘ଓଡ଼ିଶାର ଗାଁ ଗାଁରେ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କିପରି କରାଯିବ ସେନେଇ ସରକାର ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରନ୍ତୁ। ସବୁ ବିଧାୟକମାନଙ୍କୁ ସାମିଲ କରନ୍ତୁ। ନିଜ ନିଜ ଅଞ୍ଚଳରେ ବିଧାୟକମାନେ ଲୋକଙ୍କୁ ସଚେତନ କରିବାର ଦାୟିତ୍ୱ ନିଅନ୍ତୁ। ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଅନ୍ତୁ। ଏସବୁ ବିଷୟରେ ଆଲୋଚନା କରିବା ପାଇଁ ସରକାର ସର୍ବଦଳୀୟ ବୈଠକ ଡାକିବା ନିହାତି ଦରକାର’’, କହିଛନ୍ତି ନରସିଂହ ମିଶ୍ର।

ଆଜି ଲୋକସେବା ଭବନରେ ବିଧାନସଭା ଅଧିବେଶନ ବସିଥିଲା। ଏଥିରେ ବ୍ୟୟ ମଞ୍ଜୁରୀ ବିଲ୍‌ ପାସ୍‌ ହୋଇଥିଲା। ଏହାପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଯେ, କରୋନା ମୁକାବିଲା ପାଇଁ ସରକାର ସର୍ବଦଳୀୟ ବୈଠକ ଡାକିବା ଦରକାର।

ଓଡ଼ିଶାରେ ଏବେ ୩ ଜଣ କରୋନା ଆକ୍ରାନ୍ତ ଅଛନ୍ତି। କ୍ୟାପିଟାଲ ଏବଂ ଏମ୍‌ସରେ ଏହି ତିନି ଜଣ ଆଇସୋଲେସନରେ ଅଛନ୍ତି।

Comment