ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଥରେ କିଙ୍ଗଫିସର ଏୟାରଲାଇନ୍ସର ସମସ୍ତ ଋଣ ସୁଝିବାକୁ ଅଫର ଦେଲେ ବିଜୟ ମାଲ୍ୟା। ଏଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାହାଯ୍ୟ କରିବାକୁ ଗୁହାରି କରିଛନ୍ତି। ମଙ୍ଗଳବାର ବିଜୟ ମାଲ୍ୟା ଟୁଇଟ କରି ସମସ୍ତ ବ୍ୟାଙ୍କରୁ ନେଇଥିବା ଋଣ ପରିଶୋଧ କରିବାକୁ ଅଫର ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସେ ଋଣ ପରିଶୋଧ କରିବାକୁ ଚାହୁଁଥିଲେ ସୁଦ୍ଧା ବ୍ୟାଙ୍କ ଟଙ୍କା ନେବାକୁ ପ୍ରସ୍ତୁତ ହେଉନାହିଁ।

“ମୁଁ ବାରମ୍ବାର କିଙ୍ଗଫିସର ଏୟାରଲାଇନ୍ସ ନେଇଥିବା ଋଣ ପରିଶୋଧ କରିବାକୁ ଅଫର ଦେଇ ଆସୁଛି। ତେବେ ବ୍ୟାଙ୍କ ଏଥିରେ ସହଯୋଗ କରୁନାହାନ୍ତି। ଏହାସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ମୋର ଜବତ କରିଥିବା ସମ୍ପତ୍ତିକୁ ଛାଡ଼ିବାକୁ ରାଜି ହେଉନାହାନ୍ତି। ମୁଁ ଆଶା କରୁଛି ଏହି ସଙ୍କଟ ସମୟରେ ଅର୍ଥମନ୍ତ୍ରୀ ମୋ କଥା ଶୁଣିବେ”। ଟୁଇଟ୍ କରି ଏହା କହିଛନ୍ତି କିଙ୍ଗଫିସର ଏୟାରାଲାଇନ୍ସ ମାଲିକ ବିଜୟ ମାଲ୍ୟା।

ସେ ଆହୁରି ମଧ୍ୟ କହିଛନ୍ତି, “କରୋନା ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ମୁଁ ଏହାର ସମ୍ମାନ କରୁଛି। ଲକ୍‌ଡାଉନ ଯୋଗୁଁ ସମସ୍ତ ଉତ୍ପାଦନ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ଆମେ କର୍ମଚାରୀଙ୍କୁ ଦରମା ଦେଉଛୁ। ସରକାର ଆମକୁ ସାହାଯ୍ୟ କରିବାକୁ ପଡ଼ିବ”।

ଲକ୍‌ଡାଉନ ବାହାନା ଦେଖାଇ ବିଜୟ ମାଲ୍ୟା କେନ୍ଦ୍ର ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି। ୨୦୧୬ ମସିହାରେ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯ହଜାର କୋଟି ଟଙ୍କା ଋଣ ନେଇ ପରିଶୋଧ କରିପାରିନଥିଲେ ବିଜୟ ମାଲ୍ୟା। ଏହାପରେ ସେ ଭାରତ ଛାଡ଼ି ଲଣ୍ଡନ ପଳାଇ ଯାଇଥିଲେ।

ବିଜୟ ମାଲ୍ୟା ପଳାତକ ଘୋଷଣା ହୋଇଥିଲେ। ତାଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ବିଭିନ୍ନ ଚେଷ୍ଟା ଚଳାଇଥିଲେ। ତେବେ ସେ ନଫେରିବାରୁ କିଙ୍ଗଫିସର ଏୟାରଲାଇନ୍ସ ସହ ତାଙ୍କ ସମ୍ପତ୍ତିକୁ ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

LEAVE A REPLY

Please enter your comment!
Please enter your name here