ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଏସ୍‌ଟି କାଉନସିଲ ବୈଠକରେ ବଡ଼ ନିଷ୍ପତ୍ତି। ୧୭୮ଟି ସାମଗ୍ରୀ ଉପଉପରୁ ଟିକସ ହ୍ରାସ କରାଯାଇଛି।। ଏହି ନିଷ୍ପତ୍ତିକୁ ଐତିହାସିକ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।

  • ରେଷ୍ଟୁରାଣ୍ଟରେ ଖାଇବା ହେଲା ଶସ୍ତା
  • ଷ୍ଟାର ହୋଟେଲ ଏବଂ ଆଉଟଡୋର କ୍ୟାଟରିଂରେ ୧୮ ପ୍ରତିଶତ ଜିଏସ୍‌ଟି କାଏମ
  • ସାନିଟାରି, ଷ୍ଟେସନାରି, ବିଭିନ୍ନ କିସମର ଘଣ୍ଟା, ଖେଳ ଉପକରଣରୁ କମିଲା ଜିଏସ୍‌ଟି
  • ଗ୍ରାଇଣ୍ଡର ଏବଂ ଟ୍ୟାଙ୍କ୍‌ ଉପରୁ ୧୨ ପ୍ରତିଶତକୁ ଖସିଲା ଜିଏସ୍‌ଟି
  • ରାଜକୋଷରେ ପଡ଼ିବ ୨୦ ହଜାର କୋଟି ଟଙ୍କାର ପ୍ରଭାବ
  • ନଭେମ୍ବର ୧୫ରୁ ଲାଗୁ ହେବ ଏହି ନିୟମ

ଜିଏସ୍‌ଟି କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସାଧାରଣ ଜନତା ବ୍ୟବହାର କରୁଥିବା ସାମଗ୍ରୀ ଉପରୁ ଜିଏସ୍‌ଟି ହ୍ରାସ କରି ଲୋକଙ୍କୁ ଆଶ୍ବସ୍ତ ଦେଇଛନ୍ତି। ଜିଏସ୍‌ଟି ଲାଗୁ ହେବାର ୩ ମାସ ପରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଥିବାରୁ କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ବ୍ୟବସାୟୀ ଓ ସାଧାରଣ ଲୋକେ ଖୁସି ପ୍ରକାଶ କରିଛନ୍ତି।

ଜିଏସ୍‌ଟିରେ ସଂଶୋଧନ ଆଣିବା ପାଇଁ ଗୌହାଟିରେ ବସିଥିଲା ଜିଏସ୍‌ଟି କାଉନସିଲ୍‌ ବୈଠକ। ଦୁଇ ଦିନ ଧରି ଚାଲିଥିବା ବୈଠକରେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ବିଚାର କରାଯିବା ପରେ ଆଜି ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଜନତାଙ୍କ ପାଇଁ ଜିଏସ୍‌ଟିକୁ ସରଳୀକରଣ କରାଯାଇଛି। ୨୨୮ଟି ସାମଗ୍ରୀ ଉପରେ ଲଗା ଯାଇଥିବା ୨୮ ପ୍ରତିଶତ ଜିଏସ୍‌ଟିକୁ ହ୍ରାସ କରାଯାଇଛି। ଏଣିକି କେବଳ ୫୦ଟି ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ୧୭୮ଟି ସାମଗ୍ରୀ ଉପରେ ଏଣିକି ୨୮ ପ୍ରତିଶତ ବଦଳରେ ଲାଗିବ ୧୮ ପ୍ରତିଶତ ଜିଏସ୍‌ଟି।

ସେଭିଙ୍ଗ କ୍ରିମ୍‌, ଟୁଥ୍‌ପେଷ୍ଟ, ସାମ୍ପୋ, ଚକୋଲେଟ୍, ମାର୍ବଲ ଆଦି ସାମଗ୍ରୀକୁ ୨୮ ପ୍ରତିଶତ ସ୍ଲାବରୁ ହଟାଇ ଦିଆଯାଇଛି। ସେହିପରି ଏସି ଏବଂ ନନ୍‌ ଏସି ରେଷ୍ଟୁରାଣ୍ଟରେ ଖାଇବା ଶସ୍ତା ହୋଇଛି। ପୂର୍ବରୁ ଏହି ରେଷ୍ଟୁରାଣ୍ଟରେ ଖାଇବା ପାଇଁ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ୁଥିଲା। ହେଲେ ଏବେ ଏଥିରେ ୧୩ ପ୍ରତିଶତ ଜିଏସ୍‌ଟି ହ୍ରାସ କରାଯାଇଛି। ଏଣିକି ଏହିସବୁ ରେଷ୍ଟୁରାଣ୍ଟରେ ଖାଇଲେ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ିବ। ଅନ୍ୟପକ୍ଷେ ଜିଏସ୍‌ଟି ଫାଇଲ୍‌ ରିଟର୍ଣ୍ଣକୁ ସରଳ ଏବଂ କୋହଳ କରାଯାଇଛି। ଷ୍ଟାର ହୋଟେଲ ଏବଂ ଆଉଟଡୋର କ୍ୟାଟରିଂରେ ଲାଗିଥିବା ୧୮ ପ୍ରତିଶତ ଜିଏସ୍‌ଟି କାଏମ ରହିଛି। ଏହାସହ ୬ଟି ସାମଗ୍ରୀ ଉପରୁ ୧୮ ପ୍ରତିଶତ ଜିଏସ୍‌ଟି ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି। ୮ଟି ସାମଗ୍ରୀ ଉପରୁ ୧୨ ପ୍ରତିଶତ ଟିକସ କମାଯାଇ ୫ ପ୍ରତିଶତ କରାଯାଇଛି। ସେହିପରି ଆଉ ୬ଟି ସାମଗ୍ରୀକୁ ଜିଏସ୍‌ଟି ମୁକ୍ତ କରାଯାଇଛି।

ନିଲ୍‌ ରିଟର୍ଣ୍ଣ ଫାଇଲ୍‌ ଦାଖଲରେ ବିଳମ୍ବ ହେଲେ ଦିନକୁ ୨୦୦ ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା। ଏଣିକି ଏଥିରେ କୋହଳ କରାଯାଇଛି। ଫାଇଲ୍‌ ଦାଖଲରେ ବିଳମ୍ବ ହେଲେ ଦିନକୁ ୨୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଯେଉଁମାନେ ଟ୍ୟାକ୍ସ ଦେଉଛନ୍ତି ସେମାନଙ୍କ ଫାଇଲ୍‌ ରିଟର୍ଣ୍ଣରେ ବଳମ୍ବ ହେଲେ ଏଣିକି ୫୦ ଟଙ୍କା ଦେବାକୁ ପଡ଼ିବ।

୨୨୮ଟି ସାମଗ୍ରୀ ଉପରୁ ଜିଏସ୍‌ଟି ହ୍ରାସ ପାଇବା ପରେ ଏହାର ପ୍ରଭାବ ଦେଶର ରାଜକୋଷ ଉପରେ ପଡ଼ିବ। ୨୦ ହଜାର କୋଟି ଟଙ୍କାର ପ୍ରଭାବ ପଡ଼ିବ।

କାଉନସିଲ ଅଧ୍ୟକ୍ଷ ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି କହିଛନ୍ତି, “ଜୁଲାଇ ୧ରୁ ଜିଏସ୍‌ଟି ସାରା ଦେଶରେ ଲାଗୁ ହୋଇଥିଲା। ୨୨୮ଟି ସାମଗ୍ରୀ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ  ନିଆଯାଉଥିଲା। ଏହାକୁ ନେଇ ଦେଶର କ୍ଷୁଦ୍ର ଓ ମଧ୍ୟମ ବର୍ଗର ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରି ଆସୁଥିଲେ। ଏହାସହ ସାଧାରଣ ଲୋକ ମଧ୍ୟ ଅସନ୍ତୋଷରେ ରହିଥିଲେ। ଏସବୁକୁ ଦୃଷ୍ଟିରେ ରଖି ଆଜି ଏହି ପଦକ୍ଷେପ ନିଆଯାଇଛି।”

କେଉଁ ସାମଗ୍ରୀ ହେବ ଶସ୍ତା

ଘର ନିର୍ମାଣ ସାମଗ୍ରୀ, ଏସି ରେଷ୍ଟୁରାଣ୍ଟରେ ଖାଇବା, ସାନିଟାରୀ ସାମଗ୍ରୀ, ଷ୍ଟେସନାରୀ, ବିଭିନ୍ନ କିସମର ଘଣ୍ଟା ଏବଂ ଖେଳ ଉପକରଣ ଶସ୍ତା ହୋଇଛି। ସେହିପରି ସେଭିଙ୍ଗ କ୍ରିମ୍‌, ଟୁଥ୍‌ପେଷ୍ଟ, ସାମ୍ପୋ, ଚକୋଲେଟ୍, ମାର୍ବଲ, ପ୍ଲାଷ୍ଟିକ ସାମଗ୍ରୀ ଶସ୍ତା ହେବ।

ଆଜି ବସିଥିବା ୨୩ତମ କାଉନସିଲ ବୈଠକରେ ଆସାମ ଅର୍ଥ ମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନେତୃତ୍ବରେ ଗଠିତ ପ୍ୟାନେଲର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ପୂର୍ବରୁ ଅର୍ଥମନ୍ତ୍ରୀ କହିଥିଲେ, ୨୮ ପ୍ରତିଶତ ସ୍ଲାବରେ ଥିବା ସାମଗ୍ରୀ ଉପରୁ ଜିଏସ୍‌ଟି ହଟାଯିବାକୁ ଚିନ୍ତା କରାଯାଉଛି।

 

Comment