ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)। କରୋନା ମୁକାବିଲା ପାଇଁ ଭାରତ ସରକାର ଯେଭଳି ପନ୍ଥା ଆପଣାଇଛନ୍ତି ତାହା ସାରା ବିଶ୍ୱ ପାଇଁ ଉଦାହରଣ। ସମସ୍ତ ଦେଶର ମୁଖ୍ୟମାନେ ଏହାକୁ ଦେଖିବା ଉଚିତ୍ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।

ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟି ଏ ଗେଗ୍ରେୟେସସ କହିଛନ୍ତି ଯେ, କରୋନା ପାଇଁ ଭାରତ ସରକାର ଲକଡାଉନ୍ ଘୋଷଣା କରିଛନ୍ତି। ଏଥିସହ ସାଧରଣ ଲୋକଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି। ଯାହା ଫଳରେ ସାଧାରଣ ଗରିବ ଲୋକମାନେ ଲାଭବାନ ହୋଇପାରିବା ସହିତ କୌଣସି ଅସୁବିଧା ଭୋଗିବେ ନାହିଁ। ଭାରତ ସରକାରଙ୍କ ଏଭଳି ପଦକ୍ଷେପକୁ ବିଶ୍ୱର ଅନ୍ୟ ରାଷ୍ଟ୍ରମାନେ ଦେଖିବା ଉଚିତ୍।

ଏଥିସହ ସେ ମୋଦୀଙ୍କ ପ୍ୟାକେଜରେ ମହିଳାମାନଙ୍କୁ ଟଙ୍କା ପ୍ରଦାନ ଏବଂ ଆଗୁଆ ତିନି ମାସର ରାସନ୍ ସାମଗ୍ରୀ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ ସେ ଭୂରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ବିଶ୍ୱର ଅନେକ ରାଷ୍ଟର ତା’ର ନାଗରିକଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି। ହେଲେ ଏହା ମଧ୍ୟରୁ ଭାରତ ସରକାରଙ୍କ ଯୋଜନା ସବୁଠୁ ଉତ୍କୃଷ୍ଟ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।ବିକାଶଶୀଳ ଦେଶମାନଙ୍କ ପାଇଁ ଭାରତ ବର୍ତ୍ତମାନ ଏକ ଆଦର୍ଶ ରାଷ୍ଟ୍ର। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଭାରତରେ ସଫଳ ଭାବେ କାର୍ଯ୍ୟକ୍ଷମ କରାଯାଇପାରିଛି। ଲୋକମାନେ ମଧ୍ୟ ଏହାଦ୍ୱାରା ଉପକୃତ ହୋଇପାରୁଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମତ ଦେଇଛି।

ବିଶ୍ୱର ଅଧିକାଂଶ ଦେଶରେ ବର୍ତ୍ତମାନ କରୋନା ସ୍ଥିତି ଜଟିଳ ରୂପ ଧାରଣ କରିଛି। ଏହା ତୁଳନାରେ ଭାରତରେ ବର୍ତ୍ତମାନ ସୁଦ୍ଧା ସ୍ଥିତି ଭଲ ଅଛି। ଭାରତ ସରକାର କରୋନା ମୁକାବିଲା ପାଇଁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଯେଉଁ କାରଣରୁ ଭାରତରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

Comment