ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନତା ପାର୍ଟିର ଆଜି ପ୍ରତିଷ୍ଠା ଦିବସ।

ବିଶ୍ୱର ସବୁଠୁ ବୃହତ୍ତମ ରାଜନୈତିକ ଦଳ କୁହାଯାଉଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ଆଜି ପ୍ରତିଷ୍ଠା ଦିବସ। ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ରାଜନୈତିକ ଦଳ ଭାରତୀୟ ରାଜନୀତିରେ ନିଜର ୪୦ ବର୍ଷ ପୂରଣ କରିଛି।୧୯୫୧ ମସିହାରେ ଗଠିତ ହୋଇଥିବା ରାଜନୈତିକ ଦଳ ଭାରତୀୟ ଜନସଂଘରୁ ସୃଷ୍ଟି ହୋଇଥିଲା ଭାରତୀୟ ଜନତା ପାର୍ଟି। ଯାହାର ପ୍ରଥମ ଅଧ୍ୟକ୍ଷ ରହିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ଦଳର ଗଠନ ସମୟରେ ବାଜପେୟୀ ଭବିଷ୍ୟତବାଣୀ କରି କହିଥିଲେ ‘ଅନ୍ଧେରା ଛଟେଗା, ସୁରଜ ନିକଲେଗା, କମଲ ଖିଲେଗା’। ଅଟଳଙ୍କର ଏହି ଭବିଷ୍ୟତବାଣୀ ଆଜି ସତରେ ପରିଣତ ହୋଇଛି। ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବା ସହ ଭାରତରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି।୧୯୮୪ ମସିହାରେ ମାତ୍ର ୨ଟି ଲୋକସଭା ଆସନ ଜିତିବା ସହିତ ବିଜେପି ତା’ର ରାଜନୈତିକ ଅଭିଯାନ ଆରମ୍ଭ କରିଥିଲା। ସେ ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦେଶରେ ସରକାର ଗଠନ କରିଥିଲା। ଏହାପରଠାରୁ ବିଜେପି ଅଟଳ ବାଜପେୟୀ, ଲାଲକୃଷ୍ଣ ଆଡଭାନୀଙ୍କ ଭଳି ନେତାଙ୍କ ନେତୃତ୍ୱରେ ନିଜର ଭବିଷ୍ୟତ ନିର୍ଦ୍ଧାରଣ କରିଥିଲା। ବିଶେଷକରି ରାମଜନ୍ମଭୂମି ମାମଲା, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, ସମ୍ବିଧାନରୁ ଧାରା ୩୭୦ ଉଚ୍ଛେଦ ଆଦି ବିଷୟକୁ କେନ୍ଦ୍ର କରି ଦଳ ଆଗକୁ ବଢ଼ିଥିଲା।ଏହାରି ମଧ୍ୟରେ ଦଳ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ୧୩ ଦିନ, ଦ୍ୱିତୀୟ ଥରରେ ୧୩ ମାସ ଓ ତୃତୀୟ ଥରରେ ସମ୍ପୂର୍ଣ୍ଣ ୫ ବର୍ଷ ପାଇଁ ସରକାର ଗଠନ କରିଥିଲା। ଏହାପରେ ବିଜେପି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସଂସଦରେ ବିରୋଧୀ ଦଳର ଭୂମିକା ବହନ କରିଥିଲା। ଏହାପରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିଥିଲା। ଲଗାତାର ଦୁଇ ଦୁଇ ଥର ୨୦୧୪ ଓ ୨୦୧୯ରେ ଦଳ କେନ୍ଦ୍ରରେ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବାରେ ସଫଳ ହୋଇଛି।

ବିଜେପିର ପ୍ରତିଷ୍ଠା ଦିବସ ଅବସରରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶଭେଚ୍ଛା ଜଣାଇଛନ୍ତି। ଏଥିସହ ଯେଉଁମାନେ ଏହି ପାର୍ଟିକୁ ଗଠନ କରିଛନ୍ତି ସେମାନଙ୍କୁ ମଧ୍ୟ ମୋଦୀ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେହିପରି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଟୁଇଟ୍ କରି କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହିତ କରୋନା ବିରାଧରେ ଲଢ଼େଇ ଜାରି ରଖିବା ସହ ଲୋକମାନଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି।

Comment