ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ବିରୋଧରେ ଲମ୍ବା ଲଢ଼େଇ ଲଢ଼ିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

‘‘କରୋନା ବିରୋଧରେ ଆମେ ଲମ୍ବା ଲଢ଼େଇ ଲଢ଼ିବା। ଏହି ଲଢ଼େଇରେ ଆମେ ଥକିବା ନାହିଁ କି ହାରିବା ନାହିଁ। ସମସ୍ତଙ୍କ ସହଯୋଗ ରହିଲେ ଆମେ ଏ ଲଢ଼େଇ ଜିତିବା’’, ବିଜେପିର ୪୦ତମ ପ୍ରତିଷ୍ଠା ଦିବସରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମୋଦୀ ଆହୁରି କହିଥିଲେ ଯେ, କରୋନା ମୁକାବିଲା ପାଇଁ ଭାରତ ଭଲ ପଦକ୍ଷେପ ନେଇଛି। WHO ମଧ୍ୟ ଭାରତର କରୋନା ମୁକାବିଲାକୁ ପ୍ରଶଂସା କରିଛି। ଆମ ଦେଶ ବିକାଶଶୀଳ ଦେଶ। କରୋନା ବିରୋଧରେ ଆମେ ଲମ୍ବା ଲଢ଼େଇ ଜାରି ରଖିବା।

ଏହି ଅବସରରେ ମୋଦୀ ବିଜେପି କର୍ମକର୍ତ୍ତାମାନଙ୍କୁ ମାସ୍କ ପିନ୍ଧିବାକୁ ଅପିଲ୍‌ କରିଥିଲେ। ନିଜ ଘରେ ମାସ୍କ ତିଆରି କରି ପିନ୍ଧିବା ସହ ଆଉ ୫ ଜଣଙ୍କୁ ଉପହାର ଦେବାକୁ ମୋଦୀ କହିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀଙ୍କ କରୋନା ରିଲିଫ୍‌ ପାଣ୍ଠିକୁ ଦାନ କରିବା ପାଇଁ କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ ମୋଦୀ।
ଭାରତରେ କରୋନା ଭାଇରସ  ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଡେଇଁଛି। ଏହା ଆଜି ୪ ହଜାର ୬୭ରେ ପହଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ବି ବଢ଼ି ୧୦୯ରେ ପହଞ୍ଚିଛି। ଭୋପାଳରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଏହି ୪ ହଜାର ଆକ୍ରାନ୍ତଙ୍କ ଭିତରୁ ୮୦ ପ୍ରତିଶତ ରୋଗୀ ମାତ୍ର ୬୨ ଜିଲ୍ଲାରେ ରହିଛନ୍ତି। ସରକାରୀ ସୂତ୍ର ଅନୁସାରେ ଚଳିତ ୧୪ପରେ ସମଗ୍ର ଦେଶରୁ ତାଲା ବନ୍ଦ ଉଠିଲେ ବି ଏହି ଜିଲ୍ଲାମାନଙ୍କରେ ଲକଡାଉନ ଚାଲୁ ରହିପାରେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆକଳନ କରାଯାଇଛି ଯେ, ୪ ଦିନ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପଛରେ ତବଲିଗୀ ଜମାତ ହିଁ ବଡ଼ କାରଣ। ଦିଲ୍ଲୀରେ ଏହି ସମ୍ମେଳନ ନହୋଇଥିଲେ ଭାରତରେ କରୋନା ସଂଖ୍ୟା ୭ ଦିନରେ ଦୁଇ ଗୁଣ ହୋଇଥାନ୍ତା। ଜମାତ ଯୋଗୁଁ ଏହା ୪ ଦିନ ମଧ୍ୟରେ ହେଲା ବୋଲି ଜଣେ  ଅଧିକାରୀ କହିଛନ୍ତି।

ବିଶ୍ୱ ତମାମ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୩ ଲକ୍ଷ ହୋଇଛି। ଏହି ସମୟ ମଧ୍ୟରେ ୭୦ ହଜାର ଲୋକ ପ୍ରାଣ ହରାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘‘କରୋନା ମୁକାବିଲା କ୍ଷେତ୍ରରେ ଆମେ ଭଲ କରିଛୁ। ଭୂତାଣୁ ସଂକ୍ରମଣର ଭୟାବହତାକୁ ଆମେ ଠିକ ସମୟରେ ବୁଝି ପାରିବା ଫଳରେ ଉଚିତ ପଦକ୍ଷେପ ନେବା ସମ୍ଭବ ହେଲା। ଆମେ ଅନେକ ନିଷ୍ପତ୍ତି ନେବା ସହ ତାହାକୁ କାମରେ ଲଗାଇବା ଆରମ୍ଭ କଲୁ। ଲକଡାଉନ ସେଥି ଭିତରୁ ଗୋଟିଏ।’’

ବିଜେପିର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ସମସ୍ତେ ନିଜ ନିଜ ସାଧ୍ୟ ମତେ ଏହି ସଂକଟରୁ ଉଦ୍ଧାର ପାଇଁ ଉଦ୍ୟମ କରିବା ଦରକାର।

Comment