ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ଏହା ଯୋଗୁଁ ଆପଣଙ୍କ ହାତ ଶୁଷ୍କ ହୋଇଯାଉଛି କି?

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ହାତକୁ ପରିଷ୍କାର ପରିଚ୍ଛନ ରଖିବା ସମସ୍ତଙ୍କ ପାଇଁ ଜରୁରୀ। କାରଣ ହାତ ବାଟ ଦେଇ ସିଧାସଳଖ ଆମ ଶରୀରକୁ ବିଭିନ୍ନ ପ୍ରକାର ଜୀବାଣୁ ଯାଇଥାନ୍ତି। ଏବେ କରୋନା ଭାଇରସ ସଂକମ୍ରଣ ହେଉଥିବାରୁ ନିଜ ହାତକୁ ସଫା ରଖିବା ଆହୁରି ଜରୁରୀ ହୋଇପଡ଼ିଛି। ବିଶ୍ୱବ୍ୟାପୀ ମହାମାରୀ ସମୟରେ ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ସବୁଠାରୁ ସହଜ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ସାବୁନ୍ ଏବଂ ପାଣିରେ ବାରମ୍ବାର ହାତ ଧୋଇବା। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏଥିପାଇଁ ସମସ୍ତେ ଦିନକୁ ୫ରୁ ୬ ଥର ୨୦ରୁ ୩୦ ସେକେଣ୍ଡ ପାଇଁ ହାତକୁ ଧୋଇଲା ବେଳେ ସାବୁନ, ଆଲକହଲ ଯୁକ୍ତ ହ୍ୟାଣ୍ଡ ଓ୍ୱାସ ବା ଆଲକହଲ ଯୁକ୍ତ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଛନ୍ତି। ତେବେ ଆଲକହଲଯୁକ୍ତ ମିଶ୍ରଣ ଯୋଗୁଁ ଜୀବାଣୁ ସିନା ମରିଯାଇଥାଏ, ହେଲେ ହାତକୁ ଶୁଷ୍କ କରିଦେଇଥାଏ। ଅନେକଙ୍କ କ୍ଷେତ୍ରରେ ହାତକୁ ବାରମ୍ବାର ସାବୁନ୍‌ରେ ଧୋଇ ଧୋଇ ହାତ  ଶୁଷ୍କ, ଫାଟିବା ଓ ପୋଡ଼ିବା ଭଳି ସମସ୍ୟା ଦେଖାଦେଉଛି। ତେବେ ଏଭଳି କ୍ଷେତ୍ରରେ କ’ଣ କରିବେ ଜାଣନ୍ତୁ।

ହାତ ଧୋଇ ସାରିବା ପରେ କ୍ୟାଣ୍ଡକ୍ରିମ୍‌କୁ ହାତରେ ଲଗାଇପାରିବେ। ନଚେତ୍‌ ଆପଣ କିଛି ପେଟ୍ରୋଲିୟମ୍‌ ଜେଲିକୁ ଆଣି ହାତରେ ୨ ସେକେଣ୍ଡ ପାଇଁ ମସାଜ କରିବେ।

ଯେତିକି ଥର ହାତ ଧୋଇବେ, ତାହାପରେ ହ୍ୟାଣ୍ଡକ୍ରିମ୍‌ ବା ପେଟ୍ରୋଲିୟମ୍‌ ଜେଲିକୁ ବ୍ୟବହାର କରିବେ।

ରାତିରେ ଶୋଇବା ପୂର୍ବରୁ ଆପଣ ଗୋଟେ ଚାମଚ ନଡ଼ିଆ ତେଲ ହାତରେ ଲଗାଇ ଶୋଇପାରିବେ। ଏହା ଆପଣଙ୍କ ହାତକୁ କୋମଳ ଓ ମଇଶ୍ଚରାଇଜ୍‌ ରଖିବାରେ ସାହାଯ୍ୟ କରିଥାଏ।

ହାତ ଧୋଇସାରିବା ପରେ ହାତକୁ ରଗଡ଼ି ରଗଡ଼ି ନ ପୋଛି ଟାଓ୍ଵେଲକୁ ହାତରେ ଚାପି ଦିଅନ୍ତୁ।

ଯଦି ଆପଣଙ୍କ ଘରେ ବଟର ବା ଲହୁଣି ଅଛି, ତେବେ ଆପଣ ହାତରେ ଲହୁଣି ଲଗାଇ ମସାଜ କରିବେ। ଅଧଘଣ୍ଟା ପରେ ହାତକୁ କେବଳ ପାଣିରେ ଧୋଇଦେବେ।

Comment