ଡକ୍ଟର ମୃଣାଳ ଚାଟାର୍ଜୀ

‘କେବେ ବନ୍ଦ ହେବ ନାହିଁ ‘ ଏହି ଉତ୍ସାହରେ ୧୬୭ ବର୍ଷ ପୂର୍ବେ, ଏପ୍ରିଲ ୧୬ ତାରିଖରେ ଭାରତରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍‌ର ଚକ ମୁମ୍ବାଇରୁ ଥାନେ ପର୍ଯ୍ୟନ୍ତ ଗଡ଼ିବା ଆରମ୍ଭ କଲା। ୨୦୨୦ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଏହା କେବେ ମଧ୍ୟ ବନ୍ଦ ହୋଇନଥିଲା। ୧୬୭ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ୨୨ ମାର୍ଚ୍ଚ ୨୦୨୦ରେ ଦେଶବ୍ୟାପୀ ଟ୍ରେନ୍‌ର ଚକ ଅଟକିଲା। କରୋନା ଭାଇରସକୁ ମୁକାବିଲା କରିବା ପାଇଁ ଭାରତୀୟ ରେଲୱେ ଯାତ୍ରୀବାହୀ ରେଳ ସେବାକୁ ଦେଶବ୍ୟାପୀ ବନ୍ଦ ଘୋଷଣା କରିଛି।

ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ମାଲବାହୀ ଗାଡ଼ି ଚଳାଚଳ କରୁଛି। ମାର୍ଚ୍ଚ ୨୯ରେ ଭାରତୀୟ ରେଳବାଇ ନିୟମିତ ମାଲ୍ ପରିବହନ ବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ସ୍ୱତନ୍ତ୍ର ପାର୍ସଲ ଟ୍ରେନ୍ ସେବା ଆରମ୍ଭ କରିବ ବୋଲି ଘୋଷଣା କରିଥିଲା।

ଭାରତୀୟ ରେଳବାଇ ଏସିଆର ସର୍ବବୃହତ ରେଳ ନେଟୱାର୍କ। ରେଳ ରାସ୍ତା ଦୃଷ୍ଟିରୁ ଏହା ଦ୍ୱିତୀୟ ସର୍ବବୃହତ। ୨୦୧୭ ମାର୍ଚ୍ଚ ସୁଦ୍ଧା ଏହା ୬୭,୩୬୮ କିଲୋମିଟର(୪୧,୮୬୧ ମାଇଲ) ବିଶିଷ୍ଟ।

ଭାରତର ରେଳ ଇତିହାସକୁ ଫେରିବା। ଭାରତରେ ପ୍ରଥମ ରେଳ ପ୍ରସ୍ତାବ ୧୮୩୨ ମସିହାରେ ମାଡ୍ରାସରେ(ବର୍ତ୍ତମାନ ଚେନ୍ନାଇ) ଦିଆଯାଇଥିଲା। ଦେଶର ପ୍ରଥମ ଟ୍ରେନ୍ ୧୮୩୭ ମସିହାରେ ରେଡ୍ ହିଲ ରେଲୱେରେ(ସଡ଼କ ନିର୍ମାଣ ପାଇଁ ଗ୍ରାନାଇଟ୍ ପରିବହନ ପାଇଁ ଆର୍ଥର କଟନଙ୍କ ଦ୍ୱାରା ନିର୍ମିତ) ଚାଲିଥିଲା।

ଭାରତର ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ଗ୍ରେଟ୍ ଇଣ୍ଡିଆନ୍ ପେନିନ୍‌ସୁଲା ରେଲୱେ ଦ୍ୱାରା ପରିଚାଳିତ ହୋଇଥିଲା। ଏହା ମାତ୍ର ୩ ମାଇଲ ଚାଲିଥିଲା। ୧୬୭୬ମି.ମି. ବ୍ରଡ୍ ଗେଜ୍ ଟ୍ରାକ୍‌ରେ ୧୮୫୩ ଏପ୍ରିଲ ୧୬ରେ ୪୦୦ ଲୋକଙ୍କୁ ନେଇ ଏହା ବୋରି ବନ୍ଦର(ମୁମ୍ବାଇ) ଏବଂ ଥାନେ ମଧ୍ୟରେ ଚାଲିଥିଲା। ଏହି ଯାତ୍ରା ପାଇଁ ଘଣ୍ଟାଏ ୧୫ ମିନିଟ୍ ଲାଗିଥିଲା।

ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ୧୮୫୪ ଅଗଷ୍ଟ ୧୫ତାରିଖ ହାୱାଡାରୁ ୨୪ମାଇଲ ଦୂରରେ ଥିବା ହୁଗୁଲି ଯାଏଁ ଚାଲିଥିଲା। ଏହିପରି ପୂର୍ବ ଭାରତୀୟ ରେଳର ପ୍ରଥମ ବିଭାଗ ସାଧାରଣ ଯାତାୟାତ ପାଇଁ ଖୋଲା ଯାଇଥିଲା। ଏହାସହ ଉପମହାଦେଶରେ ପୂର୍ବ ପାର୍ଶ୍ଵରୁ ରେଳ ପରିବହନ ଆରମ୍ଭ ହୋଇଥିଲା।

ଦକ୍ଷିଣରେ ପ୍ରଥମ ଲାଇନ୍ ୧୮୫୬ ମସିହା ଜୁଲାଇରେ ମାଡ୍ରାସ ରେଳ କମ୍ପାନି ଦ୍ୱାରା ଖୋଲା ଯାଇଥିଲା। ଏହା ଭାସରପତି ଜୀଭା ନୀଳୟମ(ଭେୟାସରପାଣ୍ଡି) ଏବଂ ୱାଲାଜାହ ରୋଡ୍‌(ଆରକୋଟ) ମଧ୍ୟରେ ଚାଲିଥିଲା। ଉତ୍ତରରେ ୧୮୫୯ ମାର୍ଚ୍ଚ ୩ରେ ଆହ୍ଲାହାବାଦରୁ କାନପୁର ଯାଏଁ ୧୯ ମାଇଲ ଲାଇନ ନିର୍ମିତ ହୋଇଥିଲା। ୧୮୭୫ ଅକ୍ଟୋବର ୧୯ ହାଥ୍ରାସ ରୋଡ୍‌ରୁ ମଥୁରା କ୍ୟାଣ୍ଟନମେଣ୍ଟ ପର୍ଯ୍ୟନ୍ତ ପ୍ରଥମ ଭାଗ ଟ୍ରାଫିକ ଖୋଲାଯାଇଥିଲା। ଧୀରେ ଧୀରେ ସାରା ଦେଶରେ ରେଳ ଲାଇନର ଏକ ନେଟୱାର୍କ ତିଆରି ହେଲା। ୧୮୮୦ ସୁଦ୍ଧା ଭାରତୀୟ ରେଳ ବ୍ୟବସ୍ଥାରେ ପ୍ରାୟ ୯ ହଜାର ମାଇଲ ମାର୍ଗ ଥିଲା।

ଭାରତୀୟ ରେଳବାଇକୁ କେବଳ ଦେଶର ଲାଇଫ୍ ଲାଇନ୍ ନୁହେଁ ବରଂ ଏକ ଦୃଶ୍ୟମାନ ବନ୍ଧନ ଶକ୍ତି ଭାବରେ ବର୍ଣ୍ଣନା କରାଯାଇଛି। ସଙ୍କଟ ସମୟରେ ଏହା ଦେଶକୁ ସେବା କରିଆସିଛି। ଆଜି ସ୍ୱାସ୍ଥ୍ୟ, ସାମାଜିକ, ଆର୍ଥିକ କ୍ଷେତ୍ରରେ ଦେଶ ପାଇଁ ଏକ କଠିନ ଆହ୍ୱାନର ସମୟ। ଏହି ସମୟରେ ଭାରତୀୟ ରେଳ ବିରତ ରହି ହିଁ ଦେଶର ସେବା କରୁଛି।

(ଲେଖକ ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ। ଏହା ଲେଖକଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ।)

Comment