ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଗଞ୍ଜାମ ଜିଲ୍ଲାରେ ଲକଡାଉନ୍ ନିୟମ କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ସୋମବାରଠାରୁ ଜିଲ୍ଲାର ଅତ୍ୟାବଶ୍ୟକ ଦୋକାନଗୁଡ଼ିକ ୨୪ ଘଣ୍ଟା ଖୋଲା ରହିପାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାରେ ଲକଡାଉନ୍ ନିୟମ କୋହଳ କରିବାକୁ ନେଇ ଜିଲ୍ଲାପାଳ ରବିବାର ସମସ୍ତ ତହସିଲଦାର, ବିଡିଓମାନଙ୍କ ସହ ବୈଠକ କରିଛନ୍ତି। ଏହାପରେ ସେ କହିଛନ୍ତି ଯେ, ଜିଲ୍ଲାରେ ସୋମବାରଠାରୁ କିଛିଟା ଲକଡାଉନ୍ ନିୟମ କୋହଳ କରାଯିବ। ଏନେଇ ବୈଠକରେ ନିଷ୍ପତ୍ତି ହୋଇସାରିଛି ବୋଲି ସେ କହିଛନ୍ତି।

ସୋମବାରଠାରୁ ଜିଲ୍ଲାର ସମସ୍ତ ଅତ୍ୟାବଶ୍ୟକ ଦୋକାନଗୁଡ଼ିକ ୨୪ଘଣ୍ଟା ଖୋଲାରହିପାରିବ। ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ନେଇ ଦୋକାନଗୁଡ଼ିକ ଉପରେ ଯେଉଁ କଟକଣା ରହିଥିଲା ତାହାକୁ ଉଠାଇ ନିଆଯାଇଛି।corona

ସେହିଭଳି ଏଣିକି ଲୋକମାନେ ଜରୁରୀ କାମରେ ମଧ୍ୟ ବାହାରକୁ ବାହାରି ପାରିବେ। ଯଦି ସେମାନେ ବାଇକ୍ ନେଇ ବାହାରକୁ ବାହାରୁଛନ୍ତି ତେବେ ଦୁଇଜଣ ନ ବସାଇବାକୁ ଜିଲ୍ଲାପାଳ ସେମାନଙ୍କୁ ତାଗିଦ୍ କରିଛନ୍ତି। ଦୁଇଜଣ ବସି ବାଇକ୍ ଚଲାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ତେବେ ସମସ୍ତ କାମରେ ଲୋକମାନେ ସାମାଜିକ ଦୂରତା ପାଳନ କରିବା ସହିତ ରାଜ୍ୟ ସରକାରଙ୍କ ନିୟମ ମାନିବାକୁ ଜିଲ୍ଲାପାଳ ଜନସାଧାରଣଙ୍କ ଅନୁରୋଧ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

Comment