ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଯୋଗୁଁ ଶ୍ରୀମନ୍ଦିରରେ ପ୍ରବେଶ ଉପରେ ଲାଗିଛି କଟକଣା। ହେଲେ ଏହାକୁ ନମାନି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ଯାଜପୁର ବଡ଼ଚଣା ଆଇଆଇସି ଦୀପକ କୁମାର ଜେନା। କଡ଼ା କଟକଣା ଓ ସୁରକ୍ଷା ବ୍ୟବସ୍ଥାକୁ ଭଙ୍ଗ କରିଥିବାରୁ ସୋମବାର ତାଙ୍କୁ କାର୍ଯ୍ୟରୁ ନିଲମ୍ଵନ କରିଛନ୍ତି ପୋଲିସ ଡିଜି।

ଆଇଆଇସି ଦୀପକ କୁମାର ଜେନା କେବଳ ଶ୍ରୀମନ୍ଦିର କଟକଣା ଭାଙ୍ଗି ନାହାନ୍ତି ସେ ପୁରୀରେ ପ୍ରବେଶ କରିବା ପାଇଁ ହଳଦିଆବତୀ ଗାଡ଼ିର ଅପବ୍ୟବହାର ମଧ୍ୟ କରିଛନ୍ତି। କଡ଼ା ପହରା ସତ୍ତ୍ଵେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଦକ୍ଷିଣ ଦ୍ଵାରରେ ମୁତୟନ ପୋଲିସ ହାତରେ ଧରା ପଡ଼ିଥିଲେ।

ପରେ ସେ ସେଠାରେ ନିଜକୁ ପୋଲିସ ଅଧିକାରୀ ବୋଲି ପରିଚୟ ଦେଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ଚାପରେ ପୋଲିସ ତାଙ୍କୁ ଅଟକ ରଖିଥିଲା। ପରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣା ପାଇଁ ଆଜି ଆଇଆଇସିଙ୍କୁ ସସ୍‌ପେଣ୍ଡ କରାଯାଇଛି।

ତେବେ ଏତେ କଡ଼ା ସୁରକ୍ଷା ଭିତରେ କିଭଳି ବଡ଼ଚଣା ଆଇଆଇସି ପୁରୀରେ ପ୍ରବେଶ କଲେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିରରେ କେଉଁ ସେବାୟାତ ତାଙ୍କୁ ଭିତରକୁ ପ୍ରବେଶ କରାଇଥିଲେ ସେନେଇ ସିସିଟିଭ ଯାଞ୍ଚ କରାଯାଉଛି। ସବୁ ଘଟଣା ସାମ୍ନାକୁ ଆସିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି।

Comment