ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପାଇଁ ଆସିଛି ଏକ ଖୁସି ଖବର। ଓଡ଼ିଶାର ୩ଟି ମହାନ ସାଂସ୍କୃତିକ ପରମ୍ପରାକୁ ମାନ୍ୟତା ପ୍ରଦାନ କଲେ ଭାରତ ସରକାର। ‘ଇନଟାଞ୍ଜିବଲ୍ କଲଚରାଲ୍ ହେରିଟେଜ’ ତାଲିକାରେ ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟାକୁ ସାମିଲ କରାଯାଇଛି। ଏହି ତିନୋଟି ସାଂସ୍କୃତିକ କାର୍ଯ୍ୟକୁ ଜାତୀୟ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି।

ବୁଧବାର ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଏଥିସହ ଭାରତ ସରକାରଙ୍କ ଏହି ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ, ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।ଓଡ଼ିଶାର ପୂରପଲ୍ଲୀରେ ମାର୍ଗଶିର ମାସ ଗୁରୁବାରରେ ଏହି ମାଣବସା ଓଷା ପାଳନ କରାଯାଏ। ଯେଉଁଥିରେ ମା’ ଲକ୍ଷ୍ମୀଙ୍କର ଆରାଧନା କରାଯାଇଥାଏ। ଓଡ଼ିଶାର ଏହି ଅନନ୍ୟ ପରମ୍ପରା ଅନ୍ୟ କେଉଁ ରାଜ୍ୟରେ ଦେଖିବାକୁ ମିଳିନଥାଏ। ‘ଇନଟାଞ୍ଜିବଲ୍ କଲଚରାଲ୍ ହେରିଟେଜ’ ଏହି ମାଣବସା ଗୁରୁବାରକୁ ନିଜ ତାଲିକାରେ ଅନ୍ତର୍ଭୁକ୍ତ କରିଛି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ଜନ୍ମଲାଭ କରିଥିବା ଛଉ ନୃତ୍ୟକୁ ମଧ୍ୟ କେନ୍ଦ୍ରୀୟ ସଂସ୍କୃତି ତାଲିକାରେ ସାମିଲ କରାଯାଇଛି। ଛଉ ନୃତ୍ୟରେ ନାଟକ ସାଙ୍ଗକୁ ତୁରୀ, ମାଦକ ଓ ଅନ୍ୟାନ୍ୟ ବାଦ୍ୟ ଯନ୍ତ୍ର ବଜାଇ ଯୁଦ୍ଧର ବର୍ଣ୍ଣନା କରାଯାଏ। ଏହି ଲୋକ ନୃତ୍ୟ ଦେଖିବାକୁ ମଧ୍ୟ ବେଶ୍ ଚିତାକର୍ଷକ ମଧ୍ୟ ହୋଇଥାଏ। ଏଥିସହିତ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଗଡ଼ଜାତ ଅଞ୍ଚଳରୁ ଆରମ୍ଭ ହୋଇଥିବା ରାବଣ ଛାୟା ନୃତ୍ୟକୁ ମଧ୍ୟ କେନ୍ଦ୍ରୀୟ ସଂସ୍କୃତି ତାଲିକାରେ ସାମିଲ କରାଯାଇଛି। ଏହି ତିନୋଟି ସାଂସ୍କୃତିକ ପରମ୍ପରାକୁ କେନ୍ଦ୍ରୀୟ ମାନ୍ୟତା ମିଳିବା ଫଳରେ ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ହେବ ବୋଲି କୁହାଯାଉଛି।

Comment