ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବଡ଼ଦାଣ୍ଡରୁ ଚାହାଣୀ ମଣ୍ଡପ ନିକଟକୁ ଯିବ ରଥକାଠ
  • ଅକ୍ଷୟ ତୃତୀୟାରେ ରଥକାଠ ହେବ ଅନୁକୂଳ
  • ରଥ ନିର୍ମାଣ ଆରମ୍ଭ ହେବନି, ମେ’ ୩ ପରେ ନିଷ୍ପତ୍ତି ନିଆଯିବ
  • ଶ୍ରୀମନ୍ଦିର ପରିସରରେ ଚନ୍ଦନ ଯାତ୍ରା ହେବ
  • ୨୧ ଦିନ ଧରି ଚାପ ଖେଳିବେ
  • ଚାପ ଖେଳିବା ପାଇଁ ଦୁଇଟି କୁଣ୍ଡ ଏବଂ ନୌକା ତିଆରି ହେବ

ଶ୍ରୀମନ୍ଦିର ପରିସରରେ ହେବ ମହାପ୍ରଭୁ ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି। ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା, ଭଉଁରି ଯାତ୍ରା ସୂଚାରୁରୂପେ ସମ୍ପନ୍ନ ହେବ। ଏନେଇ ଆଜି ଜିଲ୍ଲାପାଳଙ୍କ ସହ ଆଲୋଚନା ହେବା ପରେ ନିଷ୍ପତ୍ତି ହୋଇଛି। ଲକ୍‌ଡାଉନ୍‌ କଟକଣା ପାଇଁ ବାହାରର ସମସ୍ତ ନୀତି ଶ୍ରୀମନ୍ଦିର ପରିସରରେ କରିବା ପାଇଁ ପ୍ରଶାସନ ଅନୁମତି ଦେଇଛି।

Rath Yatra 2019ଲକ୍‌ଡାଉନ୍‌ କଟକଣା ପାଇଁ ଅକ୍ଷୟ ତୃତୀୟ, ଚନ୍ଦନ ଯାତ୍ରା କେମିତି ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ିଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସହିତ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଗତକାଲି ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ। ମହାପ୍ରଭୁଙ୍କ ନୀତିକାନ୍ତି ଉପରେ ଆଲୋଚନା କରିଥିଲେ।

ମହାପ୍ରଭୁଙ୍କ ବିଧି ଓ ପରମ୍ପରା ବନ୍ଦ ନକରିବା ପାଇଁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ। ବାହାରେ ଯେଉଁ ନୀତିକାନ୍ତି ଅନୁଷ୍ଠିତ ହେବା କଥା ତାହା ଶ୍ରୀମନ୍ଦିର ପରିସରରେ କରିବା ପାଇଁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ।

ଶଙ୍କରାଚାର୍ଯ୍ୟ ଯେଉଁ ପରାମର୍ଶ ଦେଇଥିଲେ ତାହା ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲା। ଜିଲ୍ଲାପାଳ ଆଜି ଏ ସମ୍ପର୍କରେ ସେବାୟତ ଏବଂ ଶ୍ରୀମନ୍ଦିର ପୁରୋହିତମାନଙ୍କ ସହ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ପରିସରରେ ସମସ୍ତ ନୀତିକାନ୍ତି କରିବାକୁ ଅନୁମତି ଦେଇଥିଲେ।

ଆସନ୍ତକାଲି ହେଉଛି ଅକ୍ଷୟ ତୃତୀୟା। ଏହି ତିଥିରେ ରଥକାଠ ଅନୁକୂଳ ହୋଇଥାଏ ଏବଂ ମହାରଣା ସେବାୟତମାନେ ରଥ ନିର୍ମାଣ ଆରମ୍ଭ କରିଥାନ୍ତି। ହେଲେ ଲକ୍‌ଡାଉନ୍‌ ନିୟମ ପାଇଁ ଆସନ୍ତକାଲି ରଥ ନିର୍ମାଣ ଆରମ୍ଭ ହେବନି। କେବଳ ରଥକାଠ ଅନୁକୂଳ ହେବ। ବଡ଼ଦାଣ୍ଡରୁ ରଥକାଠକୁ ଶ୍ରୀମନ୍ଦିର ପରିସରରେ ଥିବା ଚାହାଣୀ ମଣ୍ଡପ ନିକଟକୁ ନିଆଯିବ। ସେଠାରେ ହିଁ ରଥକାଠ ଅନୁକୂଳ ହେବ।

ସେହିପରି ଚନ୍ଦନ ଯାତ୍ରା ବେଳେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁ ୨୧ ଦିନ ଧରି ଚାପ ଖେଳିଥାନ୍ତି। ହେଲେ ଅଧିକ ସେବାୟତ ଏକାଠି ହେବାରେ ନିୟମ ରହିଥିବାରୁ ଚନ୍ଦନ ଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଚନ୍ଦନ ଯାତ୍ରା ମଧ୍ୟ ଶ୍ରୀମନ୍ଦିର ଭିତରେ ହେବ। ମହାପ୍ରଭୁ ୨୧ ଦିନ ଧରି ଚାପ ଖେଳିବେ। ଏଥିପାଇଁ ଦୁଇଟି କୁଣ୍ଡ ନିର୍ମାଣ ହେବ ଏବଂ ଦୁଇଟି ନୌକା ତିଆରି କରାଯିବ। ବିମାନରେ ଆସି ମହାପ୍ରଭୁ ଏଠାରେ ଚାପ ଖେଳିବେ ବୋଲି ନିଷ୍ପତ୍ତି ହୋଇଛି।

Comment