ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍‌ର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍‌ର ଏକ ପ୍ରୟାସ। 

ମାଆ ମାଆ ବୋଲି କେତେ ମୁଁ ଖୋଜିଲି, ମାଆକୁ ପାଇଲି ନାହିଁ
ଭାଇ ଭାଇ ବୋଲି କେତେ ମୁଁ ଡାକିଲି, ନଦେଲେ ଉତ୍ତର କେହି…

ମଧୁବାବୁଙ୍କ କବିତାର ଏହି କେତୋଟି ଧାଡ଼ି ଆଜିବି ଓଡ଼ିଆମାନଙ୍କ ଆଖିରେ ଲୁହ ଭରି ଦେଉଛି। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଅନେକ ଦଶନ୍ଧି ବିତିଯାଇଛି। ସେହିପରି ଦେଶ ସ୍ୱାଧୀନ ହେବାର ମଧ୍ୟ ଅନେକ ବର୍ଷ ପାର୍ ହୋଇଯାଇଛି। ହେଲେ ଉତ୍କଳଗୌରବ ମଧୁସୂଦନ ଦାସ ଉତ୍କଳ ମା’କୁ ଖୋଜିବାର ଏହି ତୀବ୍ର ଭାବାବେଗ ଏବେ ବି ପୃଥିବୀର ବିଭିନ୍ନ କୋଣରେ ଓଡ଼ିଆଙ୍କ ପ୍ରାଣରେ ଏକ ଅପୂର୍ବ ଜାତୀୟତାର କମ୍ପନ ଆଣିଦେଉଛି!

ଗାୟିକା ଡକ୍ଟର ଜୟଶ୍ରୀ ଧଳଙ୍କ କଣ୍ଠରେ ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଗୀତଟିକୁ ଲୋକେ ବେଶ୍ ପସନ୍ଦ କରିଛନ୍ତି। ଓଡ଼ିଶାଲାଇଭ୍‌ ୟୁଟ୍ୟୁବ ଚ୍ୟାନେଲରେ ଏହା ବେଶ୍ ଲୋକପ୍ରିୟତା ହାସଲ କରିଛି। ୨୮ ଏପ୍ରିଲ୍‌ ୨୦୨୦ ସୁଦ୍ଧା ଏହାର ୫ ଲକ୍ଷ ୭୧ ହଜାରରୁ ଅଧିକ ଭ୍ୟୁଜ୍ ପ୍ରମାଣ କରୁଛି ଯେ ମଧୁବାବୁଙ୍କ ଭଳି ଜଣେ ମହାନାୟକଙ୍କୁ ଆଜି ବି ଆଧୁନିକ ଓଡ଼ିଶାର ନୂଆ ପିଢ଼ି କେତେ ଝୁରୁଛି। କେତେ ଭଲ ପାଇବା ଅଜାଡ଼ି ଦେଉଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣି ତଥା ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ମଧୁବାବୁ ଆଜି ବି କୋଟି କୋଟି ଓଡ଼ିଆ ପ୍ରାଣର ପ୍ରେରଣା ହୋଇ ରହିଛନ୍ତି।

“ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମଧୁବାବୁଙ୍କ ଜୟନ୍ତୀ ଅବସରରେ ମତେ ଗୀତ ଗାଇବାକୁ ନିମନ୍ତ୍ରଣ ଆସିଲା। ବିଭାଗ ଚାହିଁଲା ଯେ ମୁଁ ମଧୁବାବୁଙ୍କର ଗୋଟିଏ ଲୋକପ୍ରିୟ ଗୀତକୁ ସୁର କରି ସେଦିନ କାର୍ଯ୍ୟକ୍ରମରେ ଗାଇବି। ଏହି ଅନୁରୋଧରୁ ତିଆରି ହୋଇଥିଲା ‘ମା’ ମା’ ବୋଲି କେତେ ମୁଁ ଡାକିଲି…’”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଜୟଶ୍ରୀ। ଓଡ଼ିଶାଲାଇଭ୍‌ ମିଡିଆର ଡିଜିଟାଲ ଚ୍ୟାନେଲରେ ଏହାର ଏଭଳି ଲୋକପ୍ରିୟତାରେ ଖୁସି ହେବା ସହ ଜୟଶ୍ରୀ ପୃଥିବୀର ବିଭିନ୍ନ କୋଣରେ ଥିବା ତାଙ୍କ ଶ୍ରୋତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣି ତଥା ଓଡ଼ିଆ ଅସ୍ମିତାର ସୂର୍ଯ୍ୟ ମଧୁବାବୁ କେବଳ ତାଙ୍କର କର୍ମରେ ନୁହେଁ, କବିତା ମାଧ୍ୟମରେ ଓଡ଼ିଆ ଜାତିପ୍ରାଣକୁ ଛୁଇଁ ପାରିଥିଲେ। ସେ ଅଳ୍ପ କେତୋଟି କବିତା ଲେଖିଥିଲେ। ତାଙ୍କର ଏହି କାଳଜୟୀ ସୃଷ୍ଟି ଭିତରେ ରହିଛି: ଉଠରେ ଉଠରେ ଉତ୍କଳ ସନ୍ତାନ, ମା’ ମା’ ବୋଲି କେତେ ମୁଁ ଖୋଜିଲି, ତୁ ପରା ବୋଲାଉ ଉତ୍କଳ ସନ୍ତାନ, ଜାତି ଇତିହାସ ଜାତିର ନିର୍ଝର, ଗଙ୍ଗା ଗୋଦାବରୀ, ମାତା ମାତା ରବ ଏବଂ ଆହେ ବିଶ୍ୱପତି ଇତ୍ୟାଦି।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତାଙ୍କର ଏହି କାଳଜୟୀ କାବ୍ୟ-କୃତିକୁ ଏକାଠିକରି କିଛିବର୍ଷ ତଳେ ‘ମଧୁଗୀତି’ ନାମରେ ଏକ ଅଡିଓ ସିଡି ପ୍ରସ୍ତୁତ କରାଯାଇଥିଲା। ଏଥିରେ କଣ୍ଠଦାନ କରିଥିଲେ ଛନ୍ଦା ମିଶ୍ର, ଡକ୍ଟର ଜୟଶ୍ରୀ ଧଳ ଓ ବସନ୍ତ ପାତ୍ରଙ୍କ ପରି ଲୋକପ୍ରିୟ କଣ୍ଠଶିଳ୍ପୀମାନେ।

“ସେହି ବର୍ଷ ମଧୁ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଁ ସ୍ୱର କରି ମା’ ମା’ ବୋଲି ଗୀତଟି ଗାଇଥିଲି। ଏହାକୁ ଉପସ୍ଥିତ ଶ୍ରୋତା ତଥା ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ପସନ୍ଦ କରିଥିଲେ। ପରବର୍ତ୍ତୀ ସମୟରେ ‘ମଧୁଗୀତି’ ଶୀର୍ଷକରେ ମଧୁବାବୁଙ୍କ ଗୀତଗୁଡ଼ିକୁ ନେଇ ଯେଉଁ ସଙ୍ଗୀତ ସଙ୍କଳନ ପ୍ରସ୍ତୁତ ହେଲା ସେଥିରେ ଏହା ସ୍ଥାନ ପାଇଲା। ଏହା ମୋ ପାଇଁ ବଡ଼ ଖୁସିର ବିଷୟ”, ମନେପକାଇଛନ୍ତି ଡକ୍ଟର ଜୟଶ୍ରୀ ଧଳ।

“ମଧୁସୂଦନ ଦାସ ପରିଣତ ବୟସରେ ମାତ୍ର ୭ଟି କବିତା ଲେଖିଥିଲେ। ସେ ସବୁ ଥିଲା ଉତ୍କଳ ମା’କୁ ନେଇ। ମା’ କହିଲେ ସେ ନିଜ ଜନ୍ମଦାତ୍ରୀ ମା’ ନୁହେଁ, ସେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପ୍ତ ଉତ୍କଳ ପ୍ରଦେଶକୁ ବୁଝୁଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଦିନ ରାତି ସ୍ୱପ୍ନ ଦେଖୁଥିବା ମଧୁବାବୁ ଏହି କବିତାଗୁଡ଼ିକ ମାଧ୍ୟମରେ ଓଡ଼ିଆ ଜାତି ପ୍ରାଣରେ ଜାଗରଣ ଆଣିବାକୁ ସେତେବେଳେ ଚେଷ୍ଟା କରିଥିଲେ। ସେ ଗୀତଗୁଡ଼ିକ ଥିଲା ଅନୁପମ, ଅନନ୍ୟ ଓ ଅନ୍ତରର କବିତା। ଓଡିଶାଲାଇଭ୍ ଯେଉଁଭଳି ଭାବେ ଏଭଳି ଗୀତଗୁଡ଼ିକୁ ପୃଥିବୀର ବିଭିନ୍ନ କୋଣରେ ଥିବା ମଧୁପ୍ରେମୀ ଏବଂ ଷୋଳଅଣା ଓଡ଼ିଆଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛି ତାହା ପ୍ରସଂଶନୀୟ”, କହିଛନ୍ତି ଵିଶିଷ୍ଟ ସାହିତ୍ୟିକ ତଥା ମଧୁବାବୁଙ୍କ ଜୀବନୀ ଲେଖକ ଦାଶ ବେନହୁର୍।

ଏହି ଅଡିଓ ଆଲବମ୍‌ରେ ମଧୁସୂଦନ ଦାସଙ୍କ ସଂକ୍ଷିପ୍ତ ଜୀବନ, ଜାତିୟତା-ପ୍ରାଣ ଏବଂ ସାହିତ୍ୟକୃତି ବିଷୟରେ ଉପକ୍ରମଣିକା ଦେଇଛନ୍ତି ପ୍ରଫେସର ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେନହୁର) ଏବଂ ଡକ୍ଟର ବିଜୟାନନ୍ଦ ସିଂହ। ତତ୍କାଳୀନ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଉଦ୍ୟମରେ ପ୍ରସ୍ତୁତ ଏହି ଅଡିଓ ଆଲବମ୍‍ ମଧୁସୂଦନଙ୍କ ପବିତ୍ର ଜନ୍ମଦିନ ଅବସରରେ ୨୮ ଏପ୍ରିଲ ୨୦୧୫ ଦିନ ଉନ୍ମୋଚିତ ହୋ‍ଇଥିଲା। ଗାୟିକା ଛନ୍ଦା ମିଶ୍ରଙ୍କ ପରିଚାଳନାରେ ‘ମଧୁଗୀତି’ ପ୍ରସ୍ତୁତ ହୋ‍ଇଥିଲା।

“ଉତ୍କଳଗୌରବ ମଧୁସୂଦନ ଦାସ ଚିରକାଳ ଓଡ଼ିଆମାନଙ୍କ ପାଇଁ ପ୍ରେରଣା ହୋଇ ରହିବେ। ଏଭଳି ଜଣେ ବ୍ୟକ୍ତିତ୍ଵଙ୍କ କାଳଜୟୀ ଲେଖାକୁ ସଂଗୀତ ରୂପେ ଉପସ୍ଥାପନ କରିବାରେ ମୋ ସହ ଯେଉଁମାନେ ଯୋଡ଼ି ହୋଇଥିଲେ ସମସ୍ତେ ନିଶ୍ଚିତ ରୂପେ ନିଜକୁ ଧନ୍ୟ ମନେକରିବେ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଛନ୍ଦା ମିଶ୍ର।

Comment