ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଯୋଦ୍ଧାଙ୍କ ପାଇଁ ପାଣ୍ଠି ଯୋଗାଡ଼ କଲେ ବଲିଉଡ କଳାକାର। ରବିବାର ‘ଆଇ୍ ଫର୍ ଇଣ୍ଡିଆ’ ଲାଇଭ୍ କନସର୍ଟରେ ଏକାଠି ହୋଇଥିଲେ ବଲିଉଡ କଳାକାର।
ଦେଶ ଏବେ କରୋନା ଭଳି ଏକ ସାଙ୍ଘାତିକ ବିପଦ ଦେଇ ଗତି କରୁଛି। ଏଭଳି ଏକ ବିପଦ ସମୟରେ ବଲିଉଡ ସେଲିବ୍ରିଟିମାନେ କେବଳ ସାହାଯ୍ୟର ହାତ ବଢ଼ାଇଛନ୍ତି ତାହା ନୁହେଁ ବରଂ କରୋନା ଯୋଦ୍ଧାଙ୍କ ପାଇଁ ଫଣ୍ଡ୍ ଯୋଗାଡ଼ କରିବାରେ ମଧ୍ୟ ଲାଗିଛନ୍ତି।
ରବିବାର ଦିନ ଗିଭ୍ ଇଣ୍ଡିଆ ଦ୍ୱାରା ଏକ ‘ଆଇ ଫର୍ ଇଣ୍ଡିଆ’ ନାଁରେ ଏକ କନସର୍ଟ ଆୟୋଜିତ ହୋଇଥିଲା, ଯାହା ସାହାଯ୍ୟରେ କରୋନା ସହିତ ଲଢ଼ିବା ପାଇଁ ପାଣ୍ଠି ସଂଗ୍ରହ କରାଯାଇଥିଲା। ବଲିଉଡର ପ୍ରାୟ ୮୫ରୁ ଅଧିକ କଳାକାର ଏଥିରେ ଭାଗ ନେଇଥିଲେ।
ଫେସ୍ବୁକରେ ପ୍ରାୟ ୪ ଘଣ୍ଟା ଧରି ଚାଲିଥିବା ଏହି ଲାଇଭ୍ କନସର୍ଟରେ ଅକ୍ଷୟ କୁମାର କବିତା ପାଠ କରୁଥିବା ଦେଖିବାକୁ ମିଳିଥିଲା। ଆମୀର ଖାନ ତାଙ୍କ ପତ୍ନୀଙ୍କ ସହ ଗୀତ ଗାଉଥିବାର ନଜର ଆସିଥିଲେ। ଏହି ସମୟରେ ଶାହରୁଖ ଖାନ ମଧ୍ୟ ପ୍ରଶଂସକ ପାଇଁ ଗୀତ ଗାଇଥିବାର ନଜର ଆସିଥିଲେ। ତେବେ ଏହି ଲାଇଭ କନସର୍ଟରେ ତାଙ୍କ ପୁଅ ଅବରାମ ମଧ୍ୟ ଯୋଗ ଦେଇଥିଲେ।
ଏହା ବ୍ୟତୀତ ସୈଫ୍ ଅଲ୍ଲୀ ଖାନ ଏବଂ କରୀନା କପୁର ଖାନ ମଧ୍ୟ ଏହି କନସର୍ଟରେ ଯୋଗ ଦେଇଥିଲେ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କା ଦାନ କରିବାକୁ ସେମାନେ ପ୍ରଶଂସକଙ୍କୁ ଉତ୍ସାହିତ କରିଥିଲେ।
‘‘ଯେଉଁମାନେ ଏହି ସମୟରେ ନିଜ ପରିବାର ସହିତ ଘରେ ଅଛନ୍ତି ସେମାନେ ବହୁତ ଖୁସି ହେବା ଉଚିତ୍। କିନ୍ତୁ ଦେଶର ସମସ୍ତେ ଭାଗ୍ୟବାନ ନୁହଁନ୍ତି। ଏବେବି ଅନେକ ଲୋକ ତାଙ୍କ ପରିବାରଠୁ ଦୂରରେ ଅଛନ୍ତି ।ତେଣୁ ସମସ୍ତେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିବା ଉଚିତ୍’’, ଲାଇଭ୍ କନସର୍ଟରେ କହିଥିଲେ ଅଭିଷେକ ବଚ୍ଚନ।
ଏହି କନସର୍ଟ ଜରିଆରେ ୩ କୋଟିରୁ ଅଧିକ ଟଙ୍କା ଜୁଟାଇ ପାରିଛନ୍ତି ସେଲିବ୍ରିଟି। ପ୍ରାୟ ୧୪ ହଜାରରୁ ଅଧିକ ଲୋକ ଅନଲାଇନ ଟଙ୍କା ଡୋନେଟ କରିଥିବା ଜଣାପଡ଼ିଛି।
















