ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରବାସୀଙ୍କୁ ଆଣିବାକୁ ଯାଉଥିବା ବେଳେ ଓଲଟିଲା ବସ୍‌। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଛତାବର ନିକଟରେ। ଏଥିରେ ବସ୍‌ ଡ୍ରାଇଭର ଓ ହେଲ୍‌ପର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ପ୍ରବାସୀ ଶ୍ରମିକଙ୍କୁ ନେବା ପାଇଁ ବସ୍‌ଟି ବାଲେଶ୍ଵରରୁ ଭୁବନେଶ୍ଵର ଅଭିମୁଖେ ଆସୁଥିଲା। ଏହାପୂର୍ବରୁ ମଧ୍ୟ ଗତ ଦୁଇଦିନ ମଧ୍ୟରେ ଏହି ଘଟଣାକୁ ମିଶାଇ ୪ଟି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ସାରିଲାଣି।

ପ୍ରଥମେ ଶନିବାର ରାତିରେ ୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ସୁରତରୁ ଗଞ୍ଜାମ ଫେରୁଥିବା ଏକ ବସ୍‌ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ଟି ପାହାଡ଼ରେ ପିଟି ହୋଇ ଓଲଟି ପଡ଼ିଥିଲା। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।

ପରେ ପୁଣି ରବିବାର ସକାଳେ ସେହି କଳିଙ୍ଗା ଘାଟିରେ ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବସ୍‌ରେ ୩ ମହିଳାଙ୍କ ସମେତ ୫୭ ଜଣ ଥିଲେ। ଏଥିରେ ଡ୍ରାଭରଙ୍କ ସମେତ ଆଉ ଦୁଇ ଜଣ ଆହତ ହୋଇଥିଲେ। ଏହି ଘଟଣା ପରେ ଘଟା ରାସ୍ତା ଦେଇ ବସ୍‌ ଆସିବନି ବୋଲି ପରିବହନ ମନ୍ତ୍ରୀ କହିବା ସହ ବସ୍‌ ରୁଟ୍‌ ପରିବର୍ତ୍ତନ କରିଥିଲେ।

ଅନ୍ୟପକ୍ଷରେ ସେହି ରବିବାର ପୁଣି ସୁରତରୁ ଗଞ୍ଜାମ ଆସିବା ବାଟରେ ମହାରାଷ୍ଟ୍ରର ନାଗପୁର ନିକଟରେ ଆଉ ଏକ ବସ୍‌ ଓଲଟି ପଡ଼ିଥିଲା। ବସ୍‌ ସାମ୍ନାକୁ ବନ୍ୟଜନ୍ତୁ ଚାଲି ଆସିବାରୁ ଏହି ଦର୍ଘଟଣା ଘଟିଥିଲା। ଏଥିରେ ୫୦ ଜଣ ଯାତ୍ରୀ ଥିବା ବେଳେ ୫ ଜଣ ଆହତ ହୋଇଥିଲେ।

Comment