ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଭାରତରେ ଲକ୍‌ଡାଉନ୍‌ ହୋଇନଥାନ୍ତା ତେବେ ସଂକ୍ରମଣ ସଂଖ୍ୟା ୪ ଲକ୍ଷରେ ପହଞ୍ଚିବା ସହ ମୃତ୍ୟୁ ସଂଖ୍ୟା ୩୩ ହଜାରରେ ପହଞ୍ଚିଥାନ୍ତା ବୋଲି ଆଇଆଇପିଏସ୍ ଏକ ରିପୋର୍ଟରେ ଦାବି କରିଛି।

ବିଶ୍ୱରେ କରୋନା ସଂକ୍ରମଣର ସଂଖ୍ୟା ୩୮ ଲକ୍ଷ ଅତିକ୍ରମ କରିଥିବା ବେଳେ ଦୁଇ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୫୨ ହଜାର ଅତିକ୍ରମ କରିଛି ଏବଂ ୧୫ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। କେବଳ ଭାରତ ନୁହେଁ, ବିଶ୍ଵର ଅନେକ ଦେଶ କରୋନା ଜୀବାଣୁ କରୋନା ଯୋଗୁଁ ଲକ୍‌ଡାଉନ୍‌ ହୋଇଛି। ହେଲେ ଯଦି ଲକ୍‌ଡାଉନ୍‌ ହୋଇନଥାନ୍ତା ତେବେ ପରିସ୍ଥିତି କିପରି ରହିଥାନ୍ତା?

ମୁମ୍ବାଇରେ ଥିବା ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ପପୁଲେସନ୍ ସାଇନ୍ସ(ଆଇଆଇପିଏସ୍) ଏହାର ରିପୋର୍ଟରେ ଦାବି କରିଛି ଯେ ଯଦି ଭାରତରେ ଏହି ଲକ୍‌ଡାଉନ୍ ହୋଇନଥାନ୍ତା, ତେବେ ପ୍ରାୟ ୪ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥାନ୍ତେ ଏବଂ ପ୍ରାୟ ୩୩ ହଜାର ଲୋକଙ୍କର ମୃତ୍ୟୁ ହୋଇଥାନ୍ତା। ଏହି ଅନୁସନ୍ଧାନ ପାଇଁ R0 ସ୍କେଲ ବ୍ୟବହୃତ ହୋଇଥିଲା।

ଜଣେ ବ୍ୟକ୍ତି ଲକଡାଉନ୍ ପୂର୍ବରୁ ୨.୫୬ ଲୋକଙ୍କୁ ସଂକ୍ରମିତ କରୁଥିଲା, କିନ୍ତୁ ଲକଡାଉନ୍ ପରେ ସେ ୧.୧୬ ଲୋକଙ୍କୁ ସଂକ୍ରମିତ କରୁଥିଲା। ଏପ୍ରିଲ ୪ରୁ ୧୬ ତାରିଖ ମଧ୍ୟରେ R0 ପାଖାପାଖି ୧.୫୬ ଥିଲା ଯାହା ବର୍ତ୍ତମାନ ୧.୧୬ରୁ କମ୍ ହୋଇଯାଇଛି। କିନ୍ତୁ ଏହା ଆଶା କରାଯାଉଥିବାଠାରୁ ଅଧିକ ରହିଛି। ଯଦି ଲକ୍‌ଡାଉନ ନିୟମ ପାଳନ ନକରାଯାଇଥାନ୍ତା ତେବେ ଏହା ଆହୁରି ବଢ଼ି ଥାନ୍ତା ବୋଲି ଆଇଆଇପିଏସ୍‌ ତରଫରୁ କୁହାଯାଇଛି।

ଅନୁସନ୍ଧାନରୁ ଜଣାପଡିଛି ଯେ ଲକ୍‌ଡାଉନ୍ ଯୋଗୁଁ ଭାରତରେ କରୋନା ସଂକ୍ରମଣ ପ୍ରାୟ ଆଠ ଗୁଣ କମ୍‌ ହୋଇଛି। ଯଦି ଭାରତରେ ଲକ୍‌ଡାଉନ୍‌ ହୋଇନଥାନ୍ତା, ତେବେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଗତ ଏକ ମାସ ମଧ୍ୟରେ ଚାରି ଲକ୍ଷ ଅତିକ୍ରମ କରିଥାନ୍ତା। ସେହିପରି ୩୪,୩୧୯ ଲୋକ ଭାରତରେ ମୃତ୍ୟୁ ବରଣ କରିଥାନ୍ତେ। କରୋନାକୁ ଅଟକାଇବା ପାଇଁ କେବଳ ଗୋଟିଏ ଉପାୟ ତାହା ହେଉଛି ଲକଡାଉନ୍ ବୋଲି କୁହାଯାଇଛି।

Comment