ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ଚିନ୍ତାଜନକ ରହିଛି। ଗତ ୫ ବର୍ଷ ମଧ୍ୟରେ ଜିଲ୍ଲାରେ ୭୨୪ଟି ଦୁର୍ଘଟଣା ଘଟିଥିବାବେଳେ ୩୩୯ ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୧ ମସିହାରେ ସର୍ବାଧିକ ୮୧ ଜଣଙ୍କର ମୃତ୍ୟୁ ହୋଇଛି। ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି।

ରିପୋର୍ଟ ଅନୁସାରେ ୨୦୧୯ ମସିହାରେ ୧୩୨ଟି ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ୬୩ ଜଣ ପ୍ରାଣ ହରାଇଥିବାବେଳେ ୬୧ ଜଣ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ୧୦୬ ଜଣ ଆହତ ହୋଇଥିଲେ। ସେହିପରି ୨୦୨୦ ମସିହାରେ ମୋଟ ୧୪୧ଟି ଦୁର୍ଘଟଣା ମାମଲା ରେକର୍ଡ ହୋଇଥିବାବେଳେ ୬୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୬୪ ଜଣ ଗୁରୁତର ଆହତ ଓ ୮୪ ଜଣ ଆହତ ହୋଇଥିଲେ। ଏହା ସହିତ ୨୦୨୧ ମସିହାରେ ୧୫୪ଟି ଦୁର୍ଘଟଣା ହୋଇଥିବାବେଳେ ୮୧ ଜଣ ପ୍ରାଣ ହରାଇଛନ୍ତି। ଏଥିରେ ୮୬ ଜଣ  ଗୁରୁତର ଆହତ ଓ ୭୫ ଜଣ ଆହତ ହୋଇଥିଲେ।

୨୦୨୨ ମସିହାରେ ମୋଟ ୧୭୪ଟି ଦୁର୍ଘଟଣା ହୋଇଥିବାବେଳେ ୭୪ ଜଣଙ୍କର ମତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୭୮ ଜଣ ଗୁରୁତର ଆହତ ଓ ୯୨ ଜଣ ଆହତ ହୋଇଥିଲେ। ସେହିପରି ୨୦୨୩ ମସିହାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୨୩ଟି ଦୁର୍ଘଟଣା ରେକର୍ଡ କରାଯାଇଛି। ଏହି ଦୁର୍ଘଟଣାରେ ୫୮ ଜଣଙ୍କର ମୃତ୍ୟୁ ହୋଇଛି, ୪୦ ଜଣ ଗୁରୁତର ଆହତ ହୋଇଛନ୍ତି ୨୫ ଜଣ ଆହତ ହୋଇଛନ୍ତି।

ଜାତୀୟ ରାଜପଥ ହେଉ ବା ଗ୍ରାମ୍ୟ ସଡ଼କ, ବୌଦ୍ଧ ଜିଲ୍ଲାର ସବୁଠି ମରଣଜନ୍ତା ଦେଖିବାକୁ ମିଳେ। ନିମ୍ନମାନର ରାସ୍ତା ସାଙ୍ଗକୁ ନିଶାଗ୍ରସ୍ତ ତଥା ଅସାବଧାନତା ଗାଡ଼ି ଚାଳନା କାରଣରୁ ଦୁର୍ଘଟଣାର ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରେ ଟ୍ରାଫିକ୍ କଟକଣା କଡ଼ାକଡ଼ି କରିବାକୁ ଜିଲ୍ଲାବାସୀ ଦାବି କରୁଛନ୍ତି।

ବର୍ତ୍ତମାନ ଅସୁରକ୍ଷିତ ହୋଇପଡ଼ିଛି ବୌଦ୍ଧ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ। ଅନଭିଜ୍ଞ ଗାଡ଼ି ଚାଳନା ଦୁର୍ଘଟଣାର ଅନ୍ୟ ପ୍ରମୁଖ କାରଣ ବୋଲି କୁହାଯାଉଛି। ବଲାଙ୍ଗୀରରୁ ବୌଦ୍ଧ ଜିଲ୍ଲା ଦେଇ ଖୋର୍ଦ୍ଧାକୁ ସଂଯୋଗ କରୁଛି ୫୭ ନମ୍ବର ଜାତୀୟ ରାଜପଥ। ବୌଦ୍ଧ-ସୋନପୁର ଜିଲ୍ଲା ସୀମାନ୍ତ ମନମୁଣ୍ଡାରୁ ଆରମ୍ଭ କରି ବଦଲା ପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଜାତୀୟ ରାଜପଥ ସଡ଼କ ଦୁର୍ଘଟଣା ଦୃଷ୍ଟିରୁ ଅଧିକ ସମ୍ବେଦନଶୀଳ ରହିଛି।

ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକ ଦେଇଯାଇଥିବା ରାଜ୍ୟ ଓ ଜାତୀୟ ରାଜପଥରେ ଅଧିକାଂଶ ସ୍ଥାନ ଖାଲଖମାରେ ପରିପୂର୍ଣ୍ଣ। ଜିଲ୍ଲାରେ ଟ୍ରାଫିକ ନିୟମକୁ କଡ଼ାକଡ଼ି କରିବା ସହ ନିଶାଗ୍ରସ୍ତ ଓ ଲାଇସେନ୍ସ ନଥିବା ଚାଳକଙ୍କ ଲାଗି କଡ଼ା ପକ୍ଷେପ ଗ୍ରହଣ କରାଗଲେ ଦୁର୍ଘଟଣାକୁ କିଛି ପରିମାଣରେ ରୋକି ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଅନ୍ୟ ପଟେ ସୁରକ୍ଷିତ ଗାଡ଼ି ଚାଳନା ଲାଗି ଲୋକଙ୍କୁ ସଚେତନ କରିବାକୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର।

Tags: #Boudh #AccidentCases #AccidentalDeath #Report

Comment