ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମାଡ଼ରୁ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ଉଦ୍ଧାର କରିବା ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା। ବଦଳିଲା ଏମ୍‌ଏସ୍‌ଏମ୍‌ଇର ସଜ୍ଞା।

କରୋନା ଲକ୍‌ଡାଉନ୍‌ରେ ବେହାଲ ହୋଇଯାଇଥିବା ଭାରତୀୟ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଏହି ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି। ଏମ୍‌ଏସ୍‌ଏମ୍‌ଇର ପରିଭାଷାକୁ ବଦଳାଇ ଦେଇଛନ୍ତି ମୋଦୀ ସରକାର।

କରୋନା ମାଡ଼ରେ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ସ୍ଥିତି ବିଗିଡ଼ି ଯାଇଥିଲା। ବିଭିନ୍ନ କମ୍ପାନିରେ ଉତ୍ପାଦ ବନ୍ଦ ହୋଇଯାଇଥିବା ବେଳେ ନୂଆ ଅର୍ଡର ମଧ୍ୟ ଆସୁ ନଥିଲା। ଏଭଳି ସ୍ଥିତିରେ ଏହି ଶିଳ୍ପ କେମିତି ବଞ୍ଚିବ ଏବଂ କର୍ମଚାରୀମାନେ କେମିତି ନିଜ ଚାକିରି ବଞ୍ଚାଇ ପାରିବେ ତାକୁ ନେଇ ଚିନ୍ତା ପଡ଼ିଥିଲା। ତେବେ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ବଳ ଦେବା ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନରେ ଉଦ୍ୟମ କରିଛନ୍ତି।

ପୂର୍ବରୁ ସେବା ପ୍ରଦାନକାରୀ ଏବଂ ଉତ୍ପାଦନ ଉଦ୍ୟୋଗ ପାଇଁ ଅଲଗା ନିୟମ ରହିଥିଲା। ଏବେ ଏହାକୁ କେନ୍ଦ୍ର ସରକାର ମିଶାଇ ଦେଇଛନ୍ତି। ନୂଆ ନିୟମ ଅନୁସାରେ ୧୦ କୋଟି ଟଙ୍କାର ନିବେଶ ଏବଂ ୫୦ କୋଟି ଟଙ୍କାର କାରବାର କରୁଥିବା ଉଦ୍ୟୋଗକୁ କ୍ଷୁଦ୍ର ଓ ୨୦ କୋଟି ନିବେଶ ଏବଂ ୧୦୦ କୋଟିର କାରବାର କରୁଥିବା ଉଦ୍ୟୋଗକୁ ମଧ୍ୟମ ଉଦ୍ୟୋଗର ମାନ୍ୟତା ମିଳିବ।

୨୦୦ କୋଟି ପର୍ଯ୍ୟନ୍ତ ସରକାରୀ କ୍ରୟ ପାଇଁ ଏଣିକି ଗ୍ଲୋବାଲ ଟେଣ୍ଡର କରାଯିବ ନାହିଁ। ଏଥିରେ ଭାରତୀୟ କମ୍ପାନିଗୁଡ଼ିକୁ ଅଗ୍ରାଧିକାର ଦିଆଯିବ।

ରୟଲ ଇଷ୍ଟେଟ କମ୍ପାନିକୁ ରିହାତି ଦେଇଛନ୍ତି କେନ୍ଦ୍ର ସରକାର। ପୂର୍ବ ଚୁକ୍ତିରେ ଥିବା ପଞ୍ଜୀକରଣ ଓ ନିର୍ମାଣ ଶେଷ କରିବାର ଅବଧିକୁ ୬ ମାସ ବଢ଼ାଇ ଦିଆଯାଇଛି। କାମ ଶେଷ କରିବା ପାଇଁ ଠିକାଦାରମାନଙ୍କୁ ଯେପରି ଅସୁବିଧା ନହୁଏ ସେଥିପ୍ରତି ବ୍ୟବସ୍ଥା କରାଯାଇଛି।

ଏହି ସେକ୍ଟରକୁ ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ କୋଟି ଟଙ୍କାର ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

୪୫ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଏଥିରୁ ଉପକୃତ ହେବେ। ବାର୍ଷିକ ୧୦୦ କୋଟି ଟଙ୍କାର ନେଣଦେଣ କରୁଥିବା କମ୍ପାନି ଲାଭବାନ ହେବେ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ୪ ବର୍ଷ ପାଇଁ ୠଣ ଦିଆଯିବ। ଗୋଟିଏ ବର୍ଷ ସେମାନଙ୍କୁ କିସ୍ତି ଦେବାରୁ ରିହାତି ମିଳିବ।

ସଙ୍କଟରେ ପଡ଼ିଥିବା ଏମ୍‌ଏସ୍‌ଏମ୍‌ଇ ସେକ୍ଟର ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ୨ ଲକ୍ଷ ଏମ୍‌ଏସ୍‌ଏମ୍‌ଇକୁ ଏହି ୨୦ ହଜାର କୋଟିରୁ ଲାଭ ମିଳିବ। ଏମଏସ୍‌ଏମ୍‌ଇ କ୍ଷେତ୍ରର ବିସ୍ତାର ପାଇଁ ଫଣ୍ଡସ୍‌ ଅଫ୍‌ ଫଣ୍ଡ ଜରିଆରେ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

କରୋନାକୁ ନେଇ ଯେଉଁ ଏମ୍‌ଏସ୍‌ଏମ୍‌ଇ କମ୍ପାନି ଚିନ୍ତାରେ ଅଛନ୍ତି ସେମାନଙ୍କ ପାଇଁ ଫଣ୍ଡସ୍‌ ଅଫ୍‌ ଫଣ୍ଡ ଜରିଆରେ ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

Comment