ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅମ୍ଫନ। ଏହା ୨୦ ତାରିଖ ଦିନ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଇଛି। ହେଲେ ଏହାର ପ୍ରଭାବ ଉତ୍ତର ଓଡ଼ିଶା ଜିଲ୍ଲାମାନଙ୍କରେ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

୧୮ ତାରିଖରୁ ଉପକୂଳବର୍ତ୍ତୀ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ଗଜପତି, ଗଞ୍ଜାମ, ପୁରୀ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ। ପରେ ୧୯ ତାରିଖରେ ଉତ୍ତର ଓଡ଼ିଶା ଜିଲ୍ଲା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ଵରରେ ବର୍ଷା ହେବ। ୨୦ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବ।

ବର୍ତ୍ତମାନ ବାତ୍ୟା ପାରାଦୀପରୁ ଦକ୍ଷିଣରେ ୯୮୦ କିଲୋମିଟର ଦୂରରେ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାକୁ ୬ କିଲୋମିଟର ବେଗରେ ଗତି କରୁଛି। ପରେ ଏହା ପଶ୍ଚିମବଙ୍ଗର ସାଗର ଦୀପ ଓ ବାଂଲାଦେଶର ହଟିଆ ଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ।

ବାତ୍ୟାକୁ ନେଇ ଓଡ଼ିଶା ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ଏହାସହ କୋଭିଡ୍‌ ସେଣ୍ଟରରେ ବ୍ୟବହୃତ ହୋଇନଥିବା କିଛି ଗୃହକୁ ବାତ୍ୟା ଆଶ୍ରୟସ୍ଥଳ ଭାବେ ଚିହ୍ନଟ କରାଯାଇଛି। ଆବଶ୍ୟକ ସ୍ଥଳେ ଉଦ୍ଧାର କାର୍ଯ୍ୟ କରାଯିବ। ଉଦ୍ଧାର ଲାଗି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ବୋଲି ଏସ୍‌ଆରସି ସୂଚନା ଦେଇଛନ୍ତି।

Comment