ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟାର ନାଁ ଆସେ କେଉଁଠୁ, କିଏ କରେ ବାତ୍ୟାର ନାମକରଣ? କ’ଣ ଆପଣଙ୍କ ମନରେ ଏମିତି ପ୍ରଶ୍ନ କେବେ ଆସିଛି ତବେ ପଢ଼ନ୍ତୁ ଏହି ରିପୋର୍ଟ।

ସମୁଦ୍ର ଭିତରେ ମହାବାତ୍ୟା ରୂପ ନେଇ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏହି ବାତ୍ୟା ପାଇଁ ଆତଙ୍କିତ ଅବସ୍ଥାରେ ଲୋକେ। ବାତ୍ୟାର ମୁକାବିଲା ପାଇଁ ଲୋକେ କରୁଛନ୍ତି ଆଗୁଆ ପ୍ରସ୍ତୁତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ସବୁ ବାତ୍ୟା ଗୋଟିଏ ଗୋଟିଏ ନୂଆ ନାଁ ନେଇ ଆସେ। ସେହି ନାଁ ଲୋକଙ୍କ ମନରେ ସବୁଦିନ ପାଇଁ ରହିଯାଏ। ଉଦାହରଣ ସ୍ୱରୂପ ଫାଇଲିନ, ହୁଡହୁଡ, ତିତ୍‌ଲି, ଫନି ଆଉ ଏବେ ଅମ୍ପନ। ଆପଣ ଜାଣନ୍ତି କି ଏହି ବାତ୍ୟା ସବୁର ନାମକରଣ କିଭଳି ହୁଏ?

ଭାରତ ମହାସାଗର କ୍ଷେତ୍ରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ୨୦୦୪ରୁ ଆରମ୍ଭ ହୋଇଛି। ଭାରତ, ପାକିସ୍ତାନ, ବାଂଲାଦେଶ, ମାଳଦ୍ୱୀପ, ମିଆଁମାର, ଓମାନ୍, ଶ୍ରୀଲଙ୍କା, ଥାଇଲାଣ୍ଡକୁ ମିଶାଇ ୮ଟି ଦେଶ ବାତ୍ୟା ନାମକରଣ ପାଇଁ ଏକାଠି ହୋଇଛନ୍ତି। ଏଥିପାଇଁ ଏକ ବୈଠକରେ ପ୍ରତି ଦେଶ ୮ଟି ଲେଖାଏଁ ନାଁ ପ୍ରସ୍ତାବ ଦିଅନ୍ତି। ଡବଲ୍ୟୁଏମ୍‌ଓର ଅନୁମୋଦନ ପରେ ଏଥିରୁ ପର୍ଯ୍ୟାୟକ୍ରମେ ବାତ୍ୟାର ନାଁ ରଖା ଯାଇଥାଏ।

ବାତ୍ୟାର ନାଁ ସହଜ ଓ ସରଳ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଏହା ଦ୍ୱାରା ଲୋକମାନେ ସହଜରେ ବାତ୍ୟାକୁ ମନେ ରଖିପାରିବେ। ବାତ୍ୟାର ସରଳ ନାଁ ଗଣମାଧ୍ୟମ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ମଧ୍ୟ ସାହାଯ୍ୟ କରେ।

କେଉଁ ଦେଶ ଦେଇଛି ଅମ୍ପନର ନାଁ?

୨୦୦୪ରୁ ଏହି ବାତ୍ୟାର ନାଁ ଦେଇଛି ଥାଇଲାଣ୍ଡ। ଥାଇଲାଣ୍ଡରେ ‘ଅମ୍ପନ’ବହୁ ପ୍ରଚଳିତ ଶବ୍ଦ। ଥାଇଲାଣ୍ଡର ଲୋକମାନେ ଏହି ଶବ୍ଦକୁ ନିଜ ନାଁ ମଝିରେ ବ୍ୟବହାର କରିଥାନ୍ତି।

ନିକଟରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ତାଲିକା ଜାରି କରିଥିଲା। ଯେଉଁଥିରେ ୧୬୯ଟି ସମ୍ଭାବ୍ୟ ବାତ୍ୟାର ନାଁ ରହିଥିଲା। ଏହାପୂର୍ବରୁ ବାତ୍ୟା ହେଲେନର ନାଁ ବାଂଲାଦେଶ, ନାନୁକର ନାଁ ମିଆଁମାର, ହୁଡହୁଡର ନାଁ ଓମାନ, ତିତଲିର ନାଁ ପାକିସ୍ତାନ, ବାୟୁର ନାଁ ଭାରତ ଓ ଫନିର ନାଁ ବାଂଲାଦେଶ ଦେଇଥିଲା।

Comment