ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫନି ବେଳେ ଆଗୁଆ ୧ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଲେ ମୋଦୀ। ଅମ୍ପନ ପାଇଁ କେତେ କରିବେ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଗସ୍ତରେ ଆସିବେ। ଆକାଶମର୍ଗରୁ ବାତ୍ୟା ଅମ୍ପନରେ ପ୍ରଭାବିତ ହୋଇଥିବା ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ। ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ପରେ ମୋଦୀ ଓଡ଼ିଶା ପାଇଁ କେତେ ଟଙ୍କାର ପ୍ୟାକେଜ ଘୋଷଣା କରିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଗତବର୍ଷ ବାତ୍ୟା ଫନି ବେଳେ ମୋଦୀ ଓଡ଼ିଶା ଆସି ସ୍ଥିତି ସମୀକ୍ଷା କରିଥିଲେ। ରାଜଭବନରେ ରାଜ୍ୟ ସରକାରଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ବୈଠକ ଶେଷ ହେବା ପରେ ଆଗୁଆ ୧ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଆଜି ମୋଦୀ ବାତ୍ୟା ଅମ୍ପନ ପ୍ରଭାବିତ ଜିଲ୍ଲା ବୁଲିବାର ଥିବାରୁ କେତେ ଟଙ୍କାର ପ୍ୟାକେଜ ଘୋଷଣା କରୁଛନ୍ତି ତା’ ଉପରେ ନଜର ରହିଛି।

ଗତବର୍ଷ ମେ’ ୩ ତାରିଖରେ ବାତ୍ୟା ଫନି ପୁରୀ ନିଟକରେ ସ୍ଥଳଭାଗ ଛୁଇଁଥିଲା। ଫଳରେ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା। ଘଣ୍ଟାକୁ ୧୮୦ରୁ ୨୦୦ କିଲୋମିଟର ବେଗରେ ପବନ ବହିବାରୁ ଛାରଖାର କରିଦେଇଥିଲା ଫନି।

ଫନି ଯିବାର ମାତ୍ର ୩ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ମୋଦୀ ସ୍ୱତନ୍ତ୍ର ହେଲିକପ୍ଟରରେ ଫନିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ସଙ୍ଗେ ସଙ୍ଗେ ୧ ହଜାର କୋଟି ଟଙ୍କାର ଆଗୁଆ ସହାୟତା ଘୋଷଣା କରିଥିଲେ।

ଠିକ୍‌ ବର୍ଷକ ପରେ ଆଉ ଏକ ବାତ୍ୟା ଅମ୍ପନ ଓଡ଼ିଶା ଓ ପଶ୍ଚିମବଙ୍ଗକୁ କ୍ଷତିଗ୍ରସ୍ତ କରିଛି। ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଅଧିକ ପ୍ରଭାବିତ ହୋଇଛି। ଏହି ବାତ୍ୟାଞ୍ଚଳ ଆଜି ବୁଲିବେ ମୋଦୀ। ତେବେ ମୋଦୀ ଅମ୍ପନ ପ୍ରଭାବିତଙ୍କ ପାଇଁ ଆଗୁଆ କେତେ ଟଙ୍କାର ସହାୟତା ଘୋଷଣା କରୁଛନ୍ତି ତା’ ଉପରେ ନଜର ରହିଛି।

ମୋଦୀ ଆଜି ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ସାଙ୍ଗରେ ଥିଲେ। ବାତ୍ୟାଞ୍ଚଳ ବୁଲିବା ପରେ ମୋଦୀ ସମୀକ୍ଷା ବୈଠକ କରିଥିଲେ। ପଶ୍ଚିମବଙ୍ଗର ଏଭଳି ସ୍ଥିତି ଦେଖି ଦୁଃଖ ପ୍ରକାଶ କରିଥିଲେ। ଖାଲି ସେତିକି ନୁହେଁ, ପଶ୍ଚିମବଙ୍ଗ ପାଇଁ ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ପାଇଁ ଆଗୁଆ ୧ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୋଦୀ। ଏହାସହ ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି ମୋଦୀ।

ବାତ୍ୟା ଅମ୍ପନ ଯିବାର ଦିନକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାକୁ ପ୍ରଶାଂସା କରିଥିଲେ। ବାତ୍ୟା ପରିଚାଳନାରେ ଓଡ଼ିଶା ପ୍ରଶଂସନୀୟ କାମ କରିଥିବା ମୋଦୀ ଟୁଇଟ୍‌ କରି କହିଥିଲେ। ବାତ୍ୟା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ। ବାତ୍ୟା ମୁକାବିଲା କେନ୍ଦ୍ର ସବୁ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Comment