ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରିଲିଫ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ୧ ହଜାର କୋଟି
  • ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ସହାୟତା
  • ଆହତଙ୍କ ପାଇଁ ୫୦ ହଜାର ଟଙ୍କା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଗସ୍ତରେ ଯାଇ ବାତ୍ୟା ଅମ୍ଫନ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ତାଙ୍କର ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ପ୍ରତାପ ଷଡଙ୍ଗୀ, ଦେବଶ୍ରୀ ଚୌଧୁରୀ ଉପସ୍ଥିତ ଥିଲେ।

ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକଡ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ। ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟରେ ନିଆଯିବାକୁ ଥିବା ରିଲିଫ ଓ ପୁନର୍ବାସ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ପଶ୍ଚିମବଙ୍ଗରେ ତୁରନ୍ତ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ୧ ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ।

ରାଜ୍ୟ ସରକାରଙ୍କଠାରୁ ସହାୟତା ସଂକ୍ରାନ୍ତ ବିଧିବଦ୍ଧ ପତ୍ର ପାଇବା ପରେ କେନ୍ଦ୍ର ସରକାର ରାଜ୍ୟକୁ ଏକ ଆନ୍ତଃସଚିବସ୍ତରୀୟ ଦଳ ପଠାଇ କ୍ଷୟକ୍ଷତିର ଆକଳନ କରିବା ସହ ଅଧିକ ସହାୟତା ପ୍ରଦାନ କରିବେ ବୋଲି ସେ କହିଛନ୍ତି।

ଏହି ପ୍ରାକୃତିକ ଦୁର୍ବିପାକରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ୨ ଲକ୍ଷ ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଏହା ପଶ୍ଚିମବଙ୍ଗକୁ ପ୍ରଧାନମନ୍ତ୍ରୀଙ୍କର ଚଳିତ ବର୍ଷର ତୃତୀୟ ଗସ୍ତ। କେବଳ  ଉତ୍ତରପ୍ରଦେଶକୁ ସେ ଏକାଧିକବାର ଗସ୍ତ କରିଛନ୍ତି। ଗତ ଜାନୁଆରି ୧୧, ୧୨ରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରି କୋଲକାତା ବନ୍ଦରର ୧୫୦ତମ ବାର୍ଷିକୋତ୍ସବରେ ଯୋଗ ଦେଇ ୪ଟି ଐତିହ୍ୟସଂପନ୍ନ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ବେଲ୍ଲୁର ମଠ ମଧ୍ୟ ପରିଦର୍ଶନ କରିଥିଲେ।

Comment