ଓଡ଼ିଶାଲାଇଭ୍ ବ୍ୟୁରୋ

ଯଦି କୌଣସି ବ୍ୟକ୍ତି ବିବାହର ପ୍ରଲୋଭନ ଦେଖାଇ କାହା ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି ତେବେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। ଏକ ଜାମିନ୍ ଆବେଦନର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।

କିଛି ଦିନ ତଳେ କୋରାପୁଟ ପଟାଙ୍ଗି ଥାନା ଅନ୍ତର୍ଗତ ଜଣେ ୧୯ ବର୍ଷୀୟ ଯୁବତୀ ଦୁଷ୍କର୍ମ ହେବା ନେଇ ଥାନାରେ ମାମଲା ଦାୟର କରିଥଲେ। ଜି. ଅଚ୍ୟୁତ କୁମାର ନାମକ ଜଣେ ଯୁବକ ତାଙ୍କୁ ବିବାହର ପ୍ରଲୋଭନ ଦେଇ ତାଙ୍କ ସହ ଶାରୀରିକ ସମ୍ପକ ରଖିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ତେଣୁ ତାଙ୍କୁ ଆଇପିସି ଧାରା ୩୭୬ ଆଧାରରେ ଦଣ୍ଡ ଦେବାକୁ ସେ ଅନୁରୋଧ କରିଥିଲେ।

ଏହାକୁ ନେଇ କୋରାପୁଟ-ଜୟପୁର ସେସନ କୋର୍ଟ ମଧ୍ୟ ଅଭିଯୁକ୍ତଙ୍କ ଜାମିନ୍ ନାମଞ୍ଜୁର କରିଦେଇଥିଲେ। ଏହାପରେ ଅଭିଯୁକ୍ତ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ କିନ୍ତୁ ଏଭଳି କାରଣ ଦର୍ଶାଇ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍ ଦେବାକୁ ତଳକୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ କହିଛନ୍ତି ଯେ, ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପକ ରଖିବାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। ତେବେ ମିଥ୍ୟା ପ୍ରଲୋଭନ ଆଧାରରେ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯାଇପାରିବ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ତଳକୋର୍ଟର ବିଚାରକୁ ମଧ୍ୟ ପ୍ରଭାବିତ କରିବ ନାହିଁ ବୋଲି ମଧ୍ୟ କୁହାଯାଇଛି।

Comment