ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିଜିଟାଲ ପ୍ଲାଟଫର୍ମ ଜରିଆରେ ୧୦ କୋଟି ଲୋକଙ୍କୁ ଯୋଡ଼ିବ ବିଜେପି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରକୁ ମେ’ ୩୦ରେ ବର୍ଷେ ପୂରିବ। ବିଜେପି ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଛି। ଏହି ବର୍ଷେ ଭିତରେ ମୋଦୀ ସରକାର ଯେଉଁ ଯୋଜନା କରିଛନ୍ତି ତାହା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପହଞ୍ଚାଇବାକୁ ବିଜେପି ଯୋଜନା କରୁଛି।

ଭର୍ଚୁଆଲ ରାଲି ଆୟୋଜନ କରି ସାରା ଦେଶରେ ୧୦ କୋଟି ଲୋକଙ୍କୁ ଏଥିରେ ଯୋଡ଼ା ଯିବ ବୋଲି ବିଜେପି ଲକ୍ଷ୍ୟ ରଖିଛି। ଓଡ଼ିଶାରେ ମଧ୍ୟ ସମାନ ଢଙ୍ଗରେ କାର୍ଯ୍ୟକ୍ରମ କରାଯିବ। ଓଡ଼ିଶା ପ୍ରତି ମୋଦୀ ସରକାରଙ୍କର ଯାହା ଅବଦାନ ଅଛି ତାହା ଲୋକଙ୍କୁ ଅବଗତ କରାଯିବ।

‘‘ଓଡ଼ିଶା ପ୍ରତି ମୋଦୀଙ୍କର ଅବଦାନ ଅନେକ ରହିଛି। ଏହି ବର୍ଷକ ଭିତରେ ଓଡ଼ିଶା ପାଇଁ ମୋଦୀ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ପ୍ରାକୃତିକ ଦୁର୍ବିପାକ ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଖରେ ଠିଆ ହୋଇଛନ୍ତି। ବାତ୍ୟା ଓ କରୋନା ସମୟରେ ଓଡ଼ିଶାକୁ ତୁରନ୍ତ ସହାୟତାର ହାତ ବଢ଼ାଇଛନ୍ତି ମୋଦୀ ସରକାର’’, କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

ପୃଥ୍ୱୀରାଜ କହିଛନ୍ତି, ‘‘କ୍ୱାରେଣ୍ଟିନ୍‌ ସେଣ୍ଟର କେନ୍ଦ୍ର ସରକାରଙ୍କ ଅର୍ଥରେ ଚାଲିଛି। ରାଜ୍ୟ ସରକାର କେବଳ ଏହାକୁ ପରିଚାଳନା କରୁଛନ୍ତି। ସେହିପରି ବାତ୍ୟା ଅମ୍ପନର ଦିନକ ପରେ ମୋଦୀ ଓଡ଼ିଶା ଆସି ସମୀକ୍ଷା କରିଥିଲେ ଏବଂ ତୁରନ୍ତ ୫୦୦ କୋଟି ଟଙ୍କା ଦେଇଥିଲେ।’’

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବ। ଲୋକଙ୍କୁ ଏକାଠି କରାଯିବନି କି କୌଣସି ରାଲି, ସଭା ଆୟୋଜନ କରାଯିବ ନାହିଁ। ଲୋକଙ୍କୁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ମୋଦୀ ସରକାରଙ୍କ ସଫଳତା ବିଷୟରେ ଅବଗତ କରାଯିବ।

Comment