ଓଡ଼ିଶାଲାଇଭ୍‌ ବ୍ୟୁରୋ

Frozen Shoulder problem

ଜାଣନ୍ତୁ ଫ୍ରୋଜନ୍‌ ସୋଲଡର ସମସ୍ୟାର କାରଣ ଓ ଲକ୍ଷଣ ସମ୍ପର୍କରେ।

ଫ୍ରୋଜନ ସୋଲଡର ବା କାନ୍ଧ ଯନ୍ତ୍ରଣା (କିମ୍ବା କାନ୍ଧ ଅଚଳ ହୋଇଯିବା) ହେଉଛି ଏପରି ଏକ ସମସ୍ୟା ଯାହାଦ୍ୱାରା କାନ୍ଧ ଚାରିପଟେ ଥିବା ସଂଯୋଗକାରୀ ଟିସ୍ୟୁ ଫୁଲିଯିବା ସହ ଶକ୍ତ ହୋଇଯାଏ। ଯାହାଫଳରେ କି ସ୍ୱାଭାବିକ ଭାବେ କାର୍ଯ୍ୟ କରିହୁଏ ନାହିଁ ଏବଂ ଯନ୍ତ୍ରଣା ଅନୁଭୂତ ହୁଏ। ମୁଖ୍ୟତଃ ୪୦-୬୦ ବର୍ଷ ବୟସର ଲୋକଙ୍କୁ ଏହା ଅଧିକ ଭାବେ ହୋଇଥାଏ। ତେବେ ଏହା ଯେକୌଣସି ବୟସର ଲୋକଙ୍କୁ ହୋଇପାରେ।

କାରଣ 
ଏହି ରୋଗର ଦୁଇଟି କାରଣ ରହିଛି। ପ୍ରାଥମିକ କାରଣ ହେଲା ଏହା ଆମର ରୋଗ ପ୍ରତିରୋଧକ ଶକ୍ତିରେ ପରିବର୍ତ୍ତନ କିମ୍ବା ହରମୋନ୍ ସନ୍ତୁଳନରେ ପରିବର୍ତ୍ତନ ହେଲେ ହୋଇପାରେ। ଦ୍ୱିତୀୟତଃ କାନ୍ଧରେ କୌଣସି ଆଘାତ, ଅସ୍ତ୍ରୋପଚାର ହୋଇଥିଲେ ଏପରି ସମସ୍ୟା ହୋଇଥାଏ। ଏହାଛଡ଼ା ମଧୁମେହ ରୋଗକୁ ଠିକ୍ ଭାବେ ନିୟନ୍ତ୍ରଣ ନ କଲେ ମଧ୍ୟ ଫ୍ରୋଜନ୍ ସୋଲଡର ସମସ୍ୟା ଦେଖାଦେଇପାରେ। ମଧୁମେହ ରୋଗୀମାନେ ଏହାଦ୍ୱାରା ପ୍ରଭାବିତ ହେବାର ୨ ଗୁଣ ଆଶଙ୍କା ରହିଛି।

ଲକ୍ଷଣ 

ଫ୍ରୋଜନ୍ ସୋଲଡରର ଲକ୍ଷଣକୁ ୩ ଭାଗରେ ବିଭକ୍ତ କରାଯାଇପାରିବ। ପ୍ରଥମଟି ହେଲା ଫ୍ରିଜିଂ ଅବସ୍ଥା। ଏହି ଅବସ୍ଥା ୩-୯ ମାସ ଧରି ଲାଗିରହେ। ଏହି ସମୟରେ କାନ୍ଧର ଜଏଣ୍ଟ ସ୍ଥାନରେ ଯନ୍ତ୍ରଣା ଅନୁଭବ ହୋଇଥାଏ। କାନ୍ଧକୁ ଅଳ୍ପ କିଛି ମାତ୍ରାରେ ଏପଟ ସେପଟ କରିହୁଏ, ଫଳରେ ଦୈନନ୍ଦିନର ଜୀବନଚର୍ଯ୍ୟା କଷ୍ଟକର ହୋଇଥାଏ।

ଫ୍ରୋଜନ ଅବସ୍ଥା: ଏହା ସାଧାରଣତଃ ୯-୧୪ ମାସ ଧରି ଲାଗି ରହେ। ଏହି ସମୟରେ ଯନ୍ତ୍ରଣା ସେତେ ବେଶୀ ହୁଏନାହିଁ, କିନ୍ତୁ ବ୍ୟକ୍ତିଜଣଙ୍କର ସ୍ୱାଭାବିକ ଜୀବନଯାତ୍ରାରେ ବାଧା ସୃଷ୍ଟି ହୋଇଥାଏ।
ଥାୱିଙ୍ଗ ଅବସ୍ଥା: ଏହି ଅବସ୍ଥା ସାଧାରଣତଃ ୧୫ ମାସରୁ ୨୪ ମାସ ପର୍ଯ୍ୟନ୍ତ ଲାଗି ରହେ। ଏହି ସମୟରେ ବେଳେବେଳେ ଯନ୍ତ୍ରଣା ହେବା ସହ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଥାଏ।

ଫ୍ରୋଜନ୍ ସୋଲଡର ପାଇଁ ବ୍ୟାୟାମ 

ଫ୍ରୋଜନ୍ ସୋଲଡର ହୋଇଥିଲେ ଧୀରେ ଧୀରେ ବ୍ୟାୟାମ ଅଭ୍ୟାସ କରନ୍ତୁ। ପରେ କାନ୍ଧ ପାଇଁ ଷ୍ଟ୍ରେଚିଂ ଏବଂ ଷ୍ଟ୍ରେନ୍ଥନିଙ୍ଗ୍ ବ୍ୟାୟାମ କରିପାରିବେ।

ଛିଡ଼ା ହେବା ଅବସ୍ଥାରେ ସାମାନ୍ୟ ବଙ୍କନ୍ତୁ ଏବଂ ପ୍ରଭାବିତ ହୋଇଥିବା ବାହୁକୁ ତଳକୁ ଝୁଲିବାକୁ ଦିଅନ୍ତୁ। ଏହି ସମୟରେ ସୁସ୍ଥ ଥିବା ହାତକୁ ଡେସ୍କ ଉପରେ ରଖନ୍ତୁ। ଏହାପରେ ଛୋଟ ବୃତ୍ତାକାରରେ ବାହୁକୁ ବୁଲାନ୍ତୁ। ଦିନକୁ ୧୦ ଥର ଉଭୟ ଦିଗରେ ତାକୁ ବୁଲାଇବା ଅଭ୍ୟାସ କରନ୍ତୁ। ଅବସ୍ଥାରେ ଟିକେ ଉନ୍ନତି ଆସିଲେ ପ୍ରଭାବିତ ହାତରେ ୧ କିମ୍ବା ୨ କେଜି ଓଜନର ଜିନିଷ ଧରି ବୁଲାଇବାକୁ ଉଦ୍ୟମ କରନ୍ତୁ।

frozen shoulder exercise

କାନ୍ଥଠାରୁ କିଛି ଦୂରତାରେ ଛିଡ଼ା ହୁଅନ୍ତୁ। ହାତକୁ କାନ୍ଧ ଉଚ୍ଚତା ପର୍ଯ୍ୟନ୍ତ ଉଠାଇବା ପରେ କାନ୍ଥରେ ଆଙ୍ଗୁଳି ଚାଳନା କରନ୍ତୁ। ୫ ସେକେଣ୍ଡ ଧରି ଏପରି କରିବା ପରେ ପୁନର୍ବାର ସ୍ୱାଭାବିକ ଅବସ୍ଥାକୁ ଆସନ୍ତୁ।

ଶରୀରକୁ ଆଗକୁ ଝୁକାନ୍ତୁ। ପାପୁଲିକୁ କାନ୍ଧ ଉଚ୍ଚତା ଯାଏ ଆଣନ୍ତୁ। ପାଦକୁ ଚଟାଣରେ ମେଲା ରଖି କହୁଣୀ ଓ ଶରୀରର ଉର୍ଦ୍ଧ୍ୱଭାଗକୁ ଧୀରେ ଧୀରେ ମୋଡ଼ି କାନ୍ଥ ଆଡକୁ ବଙ୍କିବାକୁ ଉଦ୍ୟମ କରନ୍ତୁ। ୫ ସେକେଣ୍ଡ ପରେ ପୂର୍ବାବସ୍ଥାକୁ ଫେରିଆସନ୍ତୁ।

କାନ୍ଧ ଉପରେ ହାତକୁ ରଖି ତାକୁ ବୃତ୍ତାକାର ଭାବେ ଘଣ୍ଟାକଣ୍ଟା ଦିଗରେ ଓ ବିପରୀତ ଦିଗରେ ୧୦ ଥର ଲେଖାଏଁ ଘୂରାନ୍ତୁ।

Comment