ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଆସନ୍ତା ୩୦ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ସାମାଜିକ ଦୂରତା ପାଳନ କରି ସମସ୍ତ ଓଡ଼ିଆ ଭାଇ ଭଉଣୀମାନେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଗୁରୁବାର ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “କରୋନା ମୁକାବିଲା କରିବାରେ ସାରା ବିଶ୍ୱଠାରୁ ଓଡ଼ିଶା ଆଗରେ ରହିଛି। ତେଣୁ ଓଡ଼ିଶା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି। ଏଥିପାଇଁ କୋଭିଡ୍ ଯୋଦ୍ଧାମାନେ ଆପ୍ରାଣ ଉଦ୍ୟମ କରିଛନ୍ତି।”

ଏଥିସହ ଅନ୍ୟ ରାଜ୍ୟଙ୍କ ତୁଳନାରେ ଓଡ଼ିଶାରେ କରୋନା ମୃତ୍ୟୁହାର ବହୁତ କମ୍ ରହିଛି। ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛିl ତେଣୁ ଏଭଳି ପରିସ୍ଥିତିରେ କୋଭିଡ୍ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଏବଂ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାକୁ ଆହ୍ୱାନ ଦେଇଛନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆଜି କରୋନାରେ ପୀଡ଼ିତ ହୋଇଥିବା ଦୁଇ କୋଭିଡ୍ ଯୋଦ୍ଧାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଜଣେ ଶିକ୍ଷକ ଓ ଅନ୍ୟଜଣେ ଆଶାକର୍ମୀଙ୍କୁ ଫୋନ୍ କରି ମୁଖ୍ୟମନ୍ତ୍ରୀ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଏଥିସହ ଅତିଶୀଘ୍ର ସେମାନେ ଆରୋଗ୍ୟ ଲାଭ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି।

Comment