ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡିଆ ଓ ଓଡିଶା (୨୪)

ଓଡିଆ ଭାଷା ଓଡିଶା ମାଟି ସହ ନିବିଡ ଭବରେ ଜଡିତ। ଓଡିଅ ଭାଷା ସମ୍ପୂର୍ଣ୍ଣ ଆଞ୍ଚଳିକ, ଓଡିଆ ଭାଷାର କଥା ବା ଲେଖା ଶୈଳୀ ସହ ଅନ୍ୟ କୌଣସି ଭାରତୀୟ ଭାଷାର ସାମଞ୍ଜସ୍ୟ ବହୁତ ଊଣା। ଓଡିଆ ଭାଷା ସ୍ୱତନ୍ତ୍ର ଏବଂ ଏହାର ବ୍ୟବହାର ମଧ୍ୟ ମୌଳିକ। ଓଡିଆ ଜାତିର ଅନୁଭୂତି ଓ ଇତିହାସ ଓଡିଆ ଭାଷାକୁ ଆପଣାର ପନ୍ଥା ବୋଲି ଗ୍ରହଣ କରିଛି।

ଓଡିଆ ଭାଷାର ଭିତ୍ତି ଭୂଇଁ ଓଡିଶା ଦେଶ। ପ୍ରାଗ୍-ଐତିହାସିକ କଥିତ ଲୋକଭାଷାରୁ ଅନୁସୃତ ହୋଇ ଓଡିଆ ଭାଷାର କ୍ରମବିବର୍ଦ୍ଧନ ହୋଇଛି। ଏହାର କଥନଶୈଳୀ ଓ ଭାବ ପ୍ରକାଶ ସମ୍ପୂର୍ଣ୍ଣ ବାଚନିକ, ଶାସ୍ତ୍ରଗତ ଅନୁକରଣ ପଦ୍ଧତିରୁ ନୁହେଁ। ବ୍ୟାକରଣ ଅଭିଭାଷାରେ ଓଡିଆ ଭାଷା ବିଶେଷ୍ୟ ସମ୍ପନ୍ନ, ବସ୍ତୁଗତ। ବସ୍ତୁର ଆକାର ପ୍ରକାର ନେଇ ଶବ୍ଦର ଆକାର ପ୍ରକାର। ତା’ର ସେହି ବସ୍ତୁର ସଂଜ୍ଞାରୁ ହିଁ ବିଶେଷଣ ପଦର ସୃଷ୍ଟି। ଓଡିଆ ପ୍ରଚଳନରେ ଆମର କଥା – “ତା’ ମୁହଁ ଜହ୍ନ ଭଳିଆ”, କିମ୍ବା “ତା’ ମନଟା ପଥର” ।  ଏବର ଭାଷା ପ୍ରୟୋଗରେ ଆମେ କହୁଛୁ – “ତା’ ମୁହଁ ସୁନ୍ଦର”, “ତା’ ମନ କଠୋର”। ଗୁଣାତ୍ମକ ବିଶେଷଣଯୁକ୍ତ ପ୍ରୟୋଗ ଓଡିଆର ମୌଳିକ ବାଚନିକତା ନୁହେଁ। ରୂପ ଆବଶ୍ୟକ।

ତା’ ହେଲେ ଏ’ ସଂଜ୍ଞାଗତ ଭାଷା କିପରି ତିଆରି ହେଲା ? ପ୍ରଥମେ ଆମେ ସଂଜ୍ଞାଗତ ଭାଷାର ଅନୁଶୀଳନ କରିବା ଆବଶ୍ୟକ। ସଂଜ୍ଞାଗତ ଭାଷାରେ ଆମେ ପ୍ରତ୍ୟକ୍ଷଦର୍ଶୀ। ଯାହା ଆମେ କହୁଛୁ, ତା’ର ଅର୍ଥ ଆମ ସମକ୍ଷରେ ବା ସ୍ମୃତିରେ ଅଛି। ଆମେ ତାକୁ ନିର୍ଦ୍ଦିଷ୍ଟ ଭାବରେ କଳ୍ପନା କରିପାରିବା। “ସେ ଜଣେ ପଣ୍ଡିତ” ବୋଲି କହିବାର କିଛି ଅର୍ଥ ନାହିଁ, କାରଣ ପଣ୍ଡିତ ଗୋଟିଏ ଗୁଣାତ୍ମକ ବିଶେଷଣ, ବସ୍ତୁ ନୁହେଁ। “ତା’ର ବିଦ୍ୟା ତା’ ବାପ ପରି”, ବା “ତା’ ଜ୍ଞାନ ସମୁଦ୍ର ପରି” ବାକ୍ୟରେ ଅଧିକ ତୁଳନାତ୍ମକ ଅର୍ଥ। ଏହିପରି ଭାବରେ ବାଚନିକ ଭାଷା ବସ୍ତୁସଂଜ୍ଞାରୁ ତିଆରି ହୁଏ।

“ଗଛଟା ବହୁତ ବଡ” ବର୍ତ୍ତମାନର ପ୍ରୟୋଗ। ଓଡିଆ ପ୍ରୟୋଗ ହେବ “ଗଛଟା ଆକାଶକୁ ଛୁଇଁଛି”। “ଛୁଇଁବା” କ୍ରିୟାଟି ଦୁଇଟି ପଦାର୍ଥ ସହ ସଂଶ୍ଳିଷ୍ଟ। ସେ’ ପରି “ମୋ’ ପୁଅ ଗଛ ଚଢିଛି” କିମ୍ବା “ମୋ’ ସ୍ୱାମୀ ଜମିରେ କାମ କରୁଛି”। ଦୁଇଟି ପଦାର୍ଥ ର ପ୍ରକ୍ରିୟା କୁ ବର୍ଣ୍ଣନା କରିବା ଭାଷାର ମୂଳ କଥା। କର୍ମବିହୀନ କ୍ରିୟା ଏ’ ପ୍ରକାର ଭାଷା ପ୍ରୟୋଗରେ ବିରଳ। “ମୋତେ ଭାତ ଦିଅ”  ହେଉଛି ଓଡିଆ ପ୍ରୟୋଗ।“ମୋତେ ଭୋକ ଲାଗୁଛି” ପ୍ରୟୋଗର ଅର୍ଥ ସୀମିତ, ବା କେବେ ଅର୍ଥହୀନ।

“ମୁଁ କହୁଛି” ବା “ମୁଁ କରୁଛି” ଆପଣାକୁ ହୃଦ୍​ବୋଧ ହେଲେ ମଧ୍ୟ ଏମାନଙ୍କର ଭାଷାଗତ ଅର୍ଥ ଓଡିଆ ବୁଝାମଣାରେ ଊଣା। ସବୁ କାର୍ଯ୍ୟର ପରମ୍ପରା ଅଛି, ନୀତି ନିର୍ଦ୍ଧାରଣ ଅଛି, ମନୁଷ୍ୟ କେବଳ ସେ’ ପରମ୍ପରାର ବାହକ। ପରମ୍ପରାର ନୀତି ଅଛି, କର୍ମ ମାଧ୍ୟମରେ ନୀତି ଶିକ୍ଷା କରାଯାଏ। କଥା ଜରିଆରେ ଇନ୍ଦ୍ରିୟଗତ କାର୍ଯ୍ୟର ବିବରଣୀ ପ୍ରଦାନ କରିବା ହେଲା ଭାଷା। ତେଣୁ ଭାଷାର ଶବ୍ଦ ସତ୍ୟ ଏବଂ ଚିରନ୍ତନ।

ଶବ୍ଦର ଚିରନ୍ତନତାର ଅର୍ଥ ହେଲା ଆମର ସାଧାରଣରେ ବ୍ୟବହାର ହେଉଥିବା ଶବ୍ଦମାନଙ୍କର ଉତ୍ପତ୍ତିର ଇତିହାସ ଆମକୁ ଜଣାନାହିଁ । ‘ଗଛ’, ‘ପାହାଡ’, ‘ନଈ’, ‘ବଣ’, ‘ଫଳ’, ‘ପଣସ’ ଇତ୍ୟାଦି ଶବ୍ଦର ଉଦ୍ଭାବନ ଆମକୁ ଅଜ। ଏପରି ସମସ୍ତ ବସ୍ତୁବାଚକ ଶବ୍ଦ ଚିରାଚରିତ ଭାବରେ ଆମ ସହ ସଂପୃକ୍ତ ରହି କାଳାନୁକ୍ରମେ ଆମ ସହ ଗଡି ଆସିଛି। ଏହି ଶବ୍ଦ ମାନଙ୍କୁ ବର୍ତ୍ତମାନର ବ୍ୟାକରଣରେ ‘ସଂଜ୍ଞା’ ବୋଲି ନାମକରଣ କରା ହେଉଛି। ସେମାନଙ୍କର ନିଜ ନିଜର ସ୍ୱତନ୍ତ୍ର ଅର୍ଥ, ପ୍ରତ୍ୟେକେ ଅନ୍ୟଠାରୁ ପୃଥକ୍।

ମୌଳିକ ଭାଷାର ଶବ୍ଦ ଅସ୍ତିତ୍ଵବାଦୀ, କଳ୍ପନାବାଦୀ ନୁହେଁ। ଯାହା ଦେଖୁଛୁ, ଶୁଣୁଛୁ, ବା ସ୍ପର୍ଶ କରିପାରୁଛୁ – ତାକୁ ଆମେ ଚିହ୍ନି ପାରିବା, ନାମକରଣ କରିପାରିବା। ଏ’ ନାମକରଣ ହେଲାପରେ ଦ୍ଵିତୀୟ ବ୍ୟକ୍ତି ସେହି ଶବ୍ଦର ଧ୍ଵନିରୁ ସେହି ପଦାର୍ଥର ରୂପ, ଗନ୍ଧ ବା ସ୍ପର୍ଶ ନିରୂପଣ କରିପାରିବ। ତା ଫଳରେ ଆମ ଦୁହିଁଙ୍କର ବାର୍ତ୍ତାଳାପ ହୋଇପାରିବ !

ବସ୍ତୁର ଚିରନ୍ତନତାରେ ବସ୍ତୁର ଗୁଣ ନାହିଁ। ବସ୍ତୁ ସମୟାନୁକ୍ରମେ ବଦଳେ ନାହିଁ। ‘ହାତ’, ‘ଗୋଡ’, ‘ମୁଣ୍ଡ’, ‘ଆଖି’ ଆଦି ଶବ୍ଦର ପ୍ରତୀକ ନିର୍ଦ୍ଦିଷ୍ଟ। “ଟାଣୁଆ ହାତ” କି “ନରମା ହାତ” ର ଅର୍ଥ ସାମୟିକ, ଯାହା ଆମକୁ ‘ଟାଣୁଆ’ ପରି ଲାଗୁଛି, ତା ଆଉ କାହାକୁ ‘ଟାଣୁଆ’ ନ ଲାଗି ପାରେ। ତେଣୂ ଆମେ କହିବା “ତା’ର ହାତ ବାଘ ପଞ୍ଝା ପରି” – ବୁଝିପାରିଲା ଲୋକ ସେଥିରୁ ଅର୍ଥ ଗ୍ରହଣ କରିପାରିବେ।

ଏ’ ସଂପର୍କରେ ଅନେକ କଥା ଆଲୋଚନା ଯୋଗ୍ୟ।  ଆମେ କ୍ରମଶଃ ଭାଷାତତ୍ତ୍ଵ ଓ ଶବ୍ଦ ପ୍ରୟୋଗକୁ ବିଚାରକୁ ନେଇ ସାହିତ୍ୟ ସୃଷ୍ଟି ବିଶ୍ଳେଷଣ କରିବା।

LEAVE A REPLY

Please enter your comment!
Please enter your name here