ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଆ ଓଡ଼ିଶା ()

ସୃଷ୍ଟିଟା ଗୋଟିଏ ବସ୍ତୁ ନୁହେଁ, ସୃଷ୍ଟି ହେଉଛି ଶକ୍ତି। ଏ’ ଶକ୍ତି କ’ଣ ବା କିପରି ଆବିର୍ଭୂତ ହେଲା, ତା’ର ସୂଚନା ଆମ ପାଖରେ ନାହିଁ, ଖାଲି ପ୍ରତ୍ୟୟ ଅଛି। ବସ୍ତୁ ନ ହୋଇଥିଲା ଫଳରେ ସୃଷ୍ଟିର ଆକାର ନାହିଁ, କି ବିକାର ନାହିଁ। ବିକାର ହିଁ ଭାବ ଉତ୍ପନ୍ନ କରେ, ତେଣୁ ସୃଷ୍ଟିର ଭାବ ନାହିଁ। ସୃଷ୍ଟି ସର୍ବଦା ସମାନ ଓ ସର୍ବତ୍ର ଅନନ୍ୟ। ଆମ ଓଡ଼ିଆ ଭାଷାରେ ଆମେ ଏହାକୁ “ଦେବୀ” ବୋଲି କହିଥାଉ। ଏ’ ଶକ୍ତି ହେଲା ମାତୃକା, ସବୁଠାରେ ବିଦ୍ୟମାନ। ଏହାର ବ୍ୟକ୍ତ ରୂପ ହେଲା ସ୍ଵର। ସ୍ଵର ହେଲା ବେଦର ସରସ୍ଵତୀ।planet parade-2

ମହାପୁରୁଷ ବଳରାମ ଦାସଙ୍କର ଭାଷାରେ

କି ଭଜିବୁ ପାର୍ଥ ଚାହଁ ତୋହରି ଆଗର।

ଜଳ ସ୍ଥଳ ବହେ ନୀଳାକାଶ ଚରାଚର।।

ଧ୍ୟାଇବୁ ଶ୍ରୀ ହଂସମନ୍ତ୍ର ସର୍ବ ନିଷ୍ଠା ଏହି।

ପରି ଜାଣିବୁ ତୁ ତିନି ଭୂମଣ୍ଡଳେ ନେଇ ।।

ଇନ୍ଦ୍ର ନୀଳମଣି ରୂପ ଧ୍ୟାନରେ ଦେଖିବୁ ।

ଚାହିଁବା କହିବା ଶୁଣି ବ୍ରହ୍ମକୁ ଧରିବୁ ।।

ବ୍ରହ୍ମାନନ୍ଦ ମୂରତି ଏ କ୍ଷେତ୍ରର ଧାରଣା ।

ଅବତାର ଦେଖି ପାର୍ଥ ନୋହିବୁ ତୁ ବଣା।।

ଧ୍ଵନିରୁ ନାଦ ଜାତ ଶୁଣ ଧନଞ୍ଜୟେ ।

             ନାଦରୁ ଆକାଶ ଜାତ ଜୀବ ରୂପ ହୁଏ। (ବ୍ରହ୍ମସଂହିତା)

ଯେପରି ନଈର ସ୍ରୋତ ଅଛି, ସେପରି ସ୍ଵରର ମୂର୍ଚ୍ଛନା ଅଛି। ଏ ମୂର୍ଚ୍ଛନା ଦୃଶ୍ୟ ନୁହେଁ, ଏହା ଶ୍ରାବ୍ୟ। ଆମେ ଏହାକୁ ଶୁଣିପାରିବା। ତେବେ ଶୁଣିବାର ଉପାୟ କ’ଣ? ଏକମାତ୍ର ଉପାୟ ହେଉଛି ଆମର କାନର ଶୁଣିବା ଶକ୍ତି। ଏ’ ଶକ୍ତି ପରୀକ୍ଷାର ଉପାୟ ହେଉଛି ବୈଜ୍ଞାନିକ। ଏ’ ବିଜ୍ଞାନ କେବେ ଆବିଷ୍କାର ହେଲା ତା’ ଆମକୁ ଜଣାନାହିଁ। ଆମେ ଖାଲି ଜାଣୁଁ ଯେ’ କାନ ଉଚ୍ଚନୀଚ ହୋଇ ସାତୋଟି ସ୍ଵରରେ ଶୁଣିପାରେ। ତା’ର ଅର୍ଥ ହେଲା ଯେ’ କୌଣସି ମୂର୍ଚ୍ଛନାକୁ ଆମର କାନ ସାତୋଟି ସ୍ଵରରେ ବିଭକ୍ତ କରିଥାଏ। ବିଜ୍ଞାନ ଅନୁସାରେ ଆମର କାନର ପରଦା କୌଣସି ଶବ୍ଦ ଶୁଣି ସାତ ପ୍ରକାରରେ ସ୍ପନ୍ଦିତ ହୋଇଥାଏ। ଏହା ଆମର କାନ ପରଦାର ଯାନ୍ତ୍ରିକ ସୀମା ପରିମାପ। ଶୁଣିବାର ସୀମାରେଖାକୁ ଶବ୍ଦର ଶକ୍ତି ଅନୁସାରେ ଉଚ୍ଚନୀଚ କରିପାରିବାର ଶକ୍ତି ମନୁଷ୍ୟର ଅଛି।

ଉପରର ପରିଚ୍ଛେଦ ଟିକିଏ ଜଟିଳ ଜଣାପଡୁଥିଲେ ହେଁ ବାସ୍ତବିକ କ୍ଷେତ୍ରରେ ଏହା ଏତେ ଜଟିଳ ନୁହେଁ। ଆମେ ଝାଞ୍ଜିପବନରେ ଗଲେ ଆମର କାନ ଗୋଟିଏ ପ୍ରକାରର ସ୍ଵର ନିର୍ଣ୍ଣୟ କରେ, ଆଉ ସମୁଦ୍ର ଭିତରକୁ ଯାଇ କଲ୍ଲୋଳ ଶୁଣିଲେ ସ୍ଵର ସୀମାରେଖା ବଦଳିଯାଏ। ସ୍ଵରର ସୀମାରେଖା ବଦଳିଗଲେ ମଧ୍ୟ ପରିବର୍ତ୍ତିତ ସୀମାରେ ଆମେ ସାତୋଟି ସ୍ଵର ଶୁଣିଥାଉ। ଏହା ହେଲା ଆମର କାନର ସପ୍ତସ୍ଵର ବିଜ୍ଞାନ।

ମୋଟାମୋଟି ବୁଝିବାକୁ ହେଲେ ସୃଷ୍ଟିର ସ୍ଵର ଅସଂଖ୍ୟ, କିନ୍ତୁ ତା’ ଭିତରୁ ଆମେ ସାତୋଟି ସ୍ଵରରେ ଅର୍ଥନିରୂପଣ କରିଥାଉ। ଅନ୍ୟସ୍ଵରମାନେ ସେହି ସାତୋଟି ସ୍ଵର ସମାଗମରେ ଶୁଣାଯାଇଥାନ୍ତି, କିନ୍ତୁ ସେମାନେ ମସ୍ତିଷ୍କରେ ରହନ୍ତି ନାହିଁ। କୌଣସି ମୂର୍ଚ୍ଛନାକୁ ପରେ ସ୍ମରଣ କଲେ ଆମେ ଏହି ସାତୋଟି ସ୍ଵର ମାଧ୍ୟମରେ ପୁନର୍ଗଠନ କରିଥାଉ। ଏ’ ହେଲା ଆମର ମସ୍ତିଷ୍କର ଯାନ୍ତ୍ରିକ କାର୍ଯ୍ୟ। କିପରି ଏ’ ସମାଗମ ସମ୍ଭବ ହୁଏ, ତା’ର ପୂରାପୂରି ଗବେଷଣା ହୋଇନାହିଁ। କିନ୍ତୁ ପବନର ସୁଅ ବା ଘଡ଼ଘଡ଼ିର ଗର୍ଜନ ଆମେ ଏହି ସାତୋଟି ସ୍ଵର ମାଧ୍ୟମରେ ପୁନର୍ନିର୍ମାଣ କରିପାରୁ।

ଏ’ ନିର୍ମାଣର ଉପାୟ ହେଲା ଆମର କଣ୍ଠ। ଯେହେତୁ ଆମେ ସାତୋଟି ସ୍ଵର ଆମର କାନରେ ଶୁଣିପାରୁ, ତେଣୁ ଆମେ କହିପାରିବା ଯେ’ ଆମେ ସାତୋଟି ସ୍ଵର ଆମର କଣ୍ଠରେ ପ୍ରକାଶ କରିପାରୁ। ଏ’ ସ୍ଵାଭାବିକ ଦକ୍ଷତା ଅନ୍ୟ ପ୍ରାଣୀମାନଙ୍କର ନାହିଁ । ଏହାର ଅର୍ଥ ହେଲା ସଂସାରର ସବୁ ଧ୍ଵନିକୁ ଆମେ ସାତୋଟି ସ୍ଵରରେ ବିଭକ୍ତ କରି ପ୍ରକାଶ କରିପାରୁ। ପ୍ରକାଶ କରିପାରିବାର ଲକ୍ଷଣ ହେଲା – ଆମେ ଏହି ସାତୋଟି ସ୍ଵର ଶୁଣିପାରୁ। କେବଳ ଆମେ ନିଜେ ନୁହେଁ, ଅନ୍ୟମାନେ ମଧ୍ୟ ଶୁଣିପାରନ୍ତି। ଏହା ହେଲା ସ୍ଵର ବିଜ୍ଞାନ।

କଣ୍ଠ ମାଧ୍ୟମରେ ଏ ସାତୋଟି ସ୍ଵରକୁ ପ୍ରକାଶ କରିବା ସହଜସାଧ୍ୟ ନୁହେଁ – ଏଥିଲାଗି ସାଧନା ଆବଶ୍ୟକ। ଏଥିରେ ପୂର୍ଣ୍ଣ ପାରଙ୍ଗମତା ଆମର ସ୍ଵରସିଦ୍ଧିା ଏ’ ପ୍ରକାର ସ୍ଵରସାଧକ ସ୍ଵର ମାଧ୍ୟମରେ ସୃଷ୍ଟିର ମୂର୍ଚ୍ଛନାକୁ କଣ୍ଠରେ ପରିବେଷଣ କରିଥାଏ। ଏଥିରେ ଯଥେଷ୍ଟ ପରିଶ୍ରମ ଓ ଅଭ୍ୟାସ ଆବଶ୍ୟକ ହେଉଥିଲା ଫଳରେ ସଂଗୀତ ପରିବେଷଣ ଲାଗି ବାଦ୍ୟଯନ୍ତ୍ରର ଉଦ୍ଭାବନ କରାଯାଇଅଛି। ବାଦ୍ୟଯନ୍ତ୍ରମାନେ ମିଳିତ ଭାବରେ ତନ୍ତ୍ରୀ ଜରିଆରେ ଏହି ସ୍ଵରମାନଙ୍କୁ ଉତ୍ପନ୍ନ କରିଥାନ୍ତି।

ବାସ୍ତବିକ କ୍ଷେତ୍ରରେ ମନୁଷ୍ୟର କଣ୍ଠ ହିଁ ମନୁଷ୍ୟର ପ୍ରକାଶ ଯନ୍ତ୍ର। ମଣିଷର ସ୍ଵାସ୍ଥ୍ୟ, ମନୋଭାବ, ଆନ୍ତରିକତା ଓ ଶ୍ରଦ୍ଧା ସ୍ଵର ମାଧ୍ୟମରେ ପ୍ରକାଶିତ ହୁଏ। ସ୍ଵରରୁ ସଂଗୀତ ଓ ସଂଗୀତରୁ ଛନ୍ଦ। ମଣିଷର କଥାର ସ୍ଵର ମଣିଷର ମନୁଷ୍ୟତ୍ଵ ବୋଲି ବହୁକାଳରୁ ଓଡ଼ିଶାର ଆବିଷ୍କାର। ଶୁଦ୍ଧ ସ୍ଵର ଶୁଦ୍ଧ ମନର ଲକ୍ଷଣ ଓ ଶୁଦ୍ଧ ମନ ଶୁଦ୍ଧ ସ୍ଵାସ୍ଥ୍ୟର ଲକ୍ଷଣ। ଆମେ ସମସ୍ତେ ଆମର ଜୀବନପ୍ରଣାଳୀକୁ ନିୟନ୍ତ୍ରଣ କରି ଶୁଦ୍ଧ ମନ ସୃଷ୍ଟି କରିପାରିବା ଏବଂ ତା ପରେ ସାଧନା ବଳରେ ଶୁଦ୍ଧ ସ୍ଵର ପ୍ରସ୍ତୁତ ହେବ। ଶୁଦ୍ଧ ସ୍ଵରରୁ ଠାକୁରାଣୀର ଆବିର୍ଭାବ!

ସୃଷ୍ଟିର ବାର ଖଣ୍ଡ ଓ ସାତ ସ୍ୱର –  ଏ’ ହେଲା ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କର ଅଣାକାର ସଂହିତାର ତଥ୍ୟ। ଶ୍ରଦ୍ଧେୟ ପାଠକମାନେ ଆଗକୁ ଅନ୍ଵେଷଣ କରିବେ।

ଅଭୁତରୁ ନାମ ପ୍ରକାଶ ହୋଇଛି ଅନାଦି କୋଳରେ ରହି।

ଆଦିମୂଳ ଏକ କରିଣ ବାନ୍ଧିଲେ ତହିଁ ହୋ ନାମ ନ ଥାଇ।।

ସେ’ ନାମ ଆକାର ଧୂନି ଅନାହତ ନାଦ ଅଦ୍ଭୁତରେ ମିଶେ।

ପଶଇ ମିଶଇ  ଯାଇଣ ଆସଇ ସମୁଦ୍ର ଲହରୀ କି’ ସେ’ ।।

ଏମନ୍ତ ଦ୍ଵାଦଶ ସପତ ସ୍ଵରରେ ଆତଯାତ ହୋଇ ରହେ ।

ଶ୍ରୀ ଗୁରୁ ଭଣ୍ଡାର ଅମୂଲ୍ୟ ଧର୍ମ ଏ’ ଅନାମିକା ବୋଲି କହେ ।।

Comment