ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡିଆ ଓ ଓଡିଶା (୨୫)

“ସଂଜ୍ଞା” ଏକ ପାଣିନୀୟ ଶବ୍ଦ। ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ସଂସ୍କୃତ ବୈୟାକରଣିକ ପାଣିନି ବେଦପାଠର ଶବ୍ଦ ପ୍ରୟୋଗକୁ ପରୀକ୍ଷା କରି ଆମୂଳଚୂଳ ସଂସ୍କୃତ ବ୍ୟାକରଣର ପୁସ୍ତକ ସୃଷ୍ଟି କରିଥିଲେ। ବେଦ କେବେ ସୃଷ୍ଟି ହେଲା ବା କିପରି ସୃଷ୍ଟି ହେଲା, ତା’ର କୌଣସି ଅଟକଳ ନାହିଁ। ବେଦରେ ଧାର୍ମିକ ପରମ୍ପରା ଥିଲା ଫଳରେ ବେଦର ସୃଷ୍ଟି ‘ଅନାଦି’ ବୋଲି ଧର୍ମବାଦୀଙ୍କର ମତ।ବେଦର ନୀତିବିଶ୍ଲେଷଣ, ବିଜ୍ଞାନବର୍ଣ୍ଣନା ଓ ଚିନ୍ତାଧାରାର ଅନୁଭୂତି ବହୁକାଳ ଧରି ଚିରାଚରିତ ଭାବରେ ପ୍ରଚଳିତ ହେଉଥିବାର ଅନୁମାନ ହୁଏ। କାଳ କାଳ ଧରି ବେଦ ମୌଖିକ ଭାବରେ ଗୋଟିଏ ପିଢିରୁ ଆଗ ପିଢିକୁ ପ୍ରସାରିତ ହୋଇଥିବାର ପ୍ରମାଣ ରହୁଛି।

ମୌଖିକ ହେଲା ଫଳରେ ବେଦକୁ କେବଳ ଶୁଣି କରି ମନେ ରଖାଯାଏ। ଏହା ଯୋଗୁଁ ବେଦର ଅନ୍ୟ ଏକ ନାମ “ଶ୍ରୁତି”। ଶୁଣା ହେଲା ଫଳରେ ଉଚ୍ଚାରଣ ଏବଂ ସ୍ଵର ଉପରେ ଅଧିକ ଗୁରୁତ୍ଵ ଦିଆଯାଏ। ଏ’ ପ୍ରକାରର ଶିକ୍ଷା ବସ୍ତୁତଃ ଶିକ୍ଷକ ଜରିଆରେ ମିଳିପାରେ। ଏ’ଥିରୁ ଗୁରୁଶିଷ୍ୟ ଶିକ୍ଷା ପଦ୍ଧତିର ସୃଷ୍ଟି।ଗୁରୁ ପାରମ୍ପରିକ ହୋଇଥିବାରୁ ଗୁରୁର ଉଚ୍ଚାରଣ ଅନୁଯାୟୀ ବେଦର ଉଚ୍ଚାରଣ ପଦ୍ଧତି କାଳକ୍ରମେ ବିଭିନ୍ନ ଶାଖାରେ ପରିଣତ ହେଲା ।ଗୋଟିଏ ଶଖାର ପଣ୍ଡିତମାନେ ମୌଳିକ ଭାବରେ ଅନ୍ୟ ଶାଖାର ପଣ୍ଡିତମାନଙ୍କର ଉଚ୍ଚାରଣକୁ ବୁଝିବାରେ ଅସମର୍ଥ ହେଲେ। ଆଞ୍ଚଳିକ ଓ ଭୌଗୋଳିକ ପରିସ୍ଥିତି ନେଇ ମଧ୍ୟ ଉଚ୍ଚାରଣରେ ପାର୍ଥକ୍ୟ ଦେଖା ଦେଲା। ପ୍ରତ୍ୟେକ ଗୋଷ୍ଠୀ ଆପଣା ଆପଣା ଉଚ୍ଚାରଣକୁ ଠିକ୍ ବୋଲି କହି ସାମ୍ପ୍ରଦାୟିକ ମତ ସୃଷ୍ଟି କଲେ।

ବେଦକୁ ‘ମନ୍ତ୍ର” ବୋଲି କହି ତାକୁ ବୁଝିବା ଆବଶ୍ୟକ ନୁହେଁ ବୋଲି ଲୋକଙ୍କର ମତ ଥିଲା। ‘ମନ୍ତ୍ର’ର ମର୍ମ ହେଲା ଉଚ୍ଚାରଣଗତ ଧ୍ଵନି। ଆକାଶରେ ଦେବତାମାନଙ୍କ ପାଖରେ ଧ୍ଵନି ପହଞ୍ଚିବା ଦରକାର ! ଏହାର ମାଧ୍ୟମ ହେଲା ସ୍ଵର ଓ ଛନ। ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ବରୁଣ, ଇନ୍ଦ୍ର ଓ ଅନ୍ୟାନ୍ୟ ଦେବତାମାନଙ୍କ ପାଇଁ ସ୍ଵତନ୍ତ୍ର ଛନ୍ଦ ଓ ସ୍ଵର ନିର୍ଦ୍ଧାରିତ ହେଲା। ଏ’ ସ୍ଵର ନିର୍ଦ୍ଧାରଣରେ କିଛି ଧ୍ଵନିର ଉଚ୍ଚାରଣକୁ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ହେଲା। ଏ’ମାନେ ହେଲେ ଚିରାଚରିତ ଧ୍ଵନିମାନଙ୍କର ଉଚ୍ଚାରଣ ସ୍ଵର। ଏହି ଧ୍ଵନିମାନଙ୍କର ସ୍ଵରଗତ ଅର୍ଥ ଅଛି ବୋଲି ମଧ୍ୟ କୁହାଗଲା। ଉଦାହରଣସ୍ୱରୂପ ‘ମା’ ଧ୍ଵନିକୁ ନିଆଯାଇପାରେ। ବିଭିନ୍ନ ସ୍ଵରରେ ’ମା’ ଧ୍ଵନିର ବିଭିନ୍ନ ରୂପ ପ୍ରକାଶ କରାଯାଇପାରେ ବୋଲି ବୈଜ୍ଞାନିକ ତଥ୍ୟ ବାହାରିଲା।

ତେବେ ଏ’ ଅର୍ଥ ସବୁ କଣ ?  ବେଦମନ୍ତ୍ରର କ’ଣ ଅର୍ଥ ଅଛି ତା’ର ସନ୍ଧାନ ବହୁତ ପରେ ହେଲା।ସାଧାରଣ ଲୋକଙ୍କର ଭାଷାର  ପ୍ରୟୋଗ ବୈଦିକ ଧ୍ଵନିର  ପ୍ରୟୋଗ ସହ ସାମଞ୍ଜସ୍ୟ ଥିଲେହେଁ ମନ୍ତ୍ରର ଉଚ୍ଚାରଣ ପଦ୍ଧତି   ଅଲଗା – ବେଦ ପ୍ରଥାର ନିୟାମକମାନଙ୍କର ସମାଜ ଅଲଗା। ସେମାନଙ୍କର ବଦ୍ଧମୂଳ ଧରଣା ଯେ ବିଶ୍ଵବ୍ରହ୍ମାଣ୍ଡ ବେଦ ନିୟମରେ ଚାଲୁଛି। ତେଣୁ ଉଚ୍ଚାରଣ ପଦ୍ଧତିରେ ସାମାନ୍ୟ ବିଚ୍ୟୁତି ହେଲେ ଘୋର ବିଶୃଙ୍ଖଳା ଉପୁଜିପାରେ ! ବର୍ଷା, ବଢି, ରୋଗ ଓ ଅକାଳ ମୃତ୍ୟୁ – ଏ’ ସବୁ ବେଦ ଉଚ୍ଚାରଣର ଦୋଷ ଯୋଗୁଁ ଘଟେ ବୋଲି ଶାସ୍ତ୍ର ଲେଖା ହେଲା। ସାଧାରଣ ଲୋକ ଅନନ୍ୟୋପାୟ ହୋଇ ଏହାକୁ ମାନିବାକୁ ବାଧ୍ୟ ହେଲେ।

ବହୁ କାଳ ପରେ ପ୍ରାୟ ଖ୍ରୀଷ୍ଟପୂର୍ବ ଏକ ହଜାର ବର୍ଷ ବେଳକୁ ବେଦରେ ଥିବା ଧ୍ଵନିର ଶବ୍ଦରୂପ ଅନୁଶୀଳନ ଆରମ୍ଭ ହେଲା। ଏ’ ଅନୁଶୀଳନ ଅନେକ ଶହ ବର୍ଷ ପର୍ଯ୍ୟନ୍ତ ଚାଲିଲା, ସବୁ ପଣ୍ଡିତମାନଙ୍କର ନାଁ ଆମକୁ ଜଣାନାହିଁ । ଏହି ସମୟରେ ଭାରତବର୍ଷର ଉତ୍ତର ପଶ୍ଚିମରେ ଗାନ୍ଧାର ଅଞ୍ଚଳରେ ପଣ୍ଡିତମାନଙ୍କର ଅଧିବାସ ଥିବାର ଅନୁମାନ କରାଯାଉଅଛି|

ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ବେଳକୁ ୟାସ୍କ ନାମକ ଜଣେ ବିଦ୍ଵାନ୍ ପଣ୍ଡିତ ସେତେବେଳକୁ ଜଣାଥିବା ବେଦର ଶବ୍ଦ ସବୁକୁ ଗୋଟିଏ ପୁସ୍ତକ ଆକାରରେ ସଂଗଠିତ କଲେ। ଏହାକୁ ନିରୁକ୍ତ (ସଂସ୍କୃତ ଅର୍ଥ ‘ଉଚ୍ଚାରଣଗତ’) ବୋଲି କୁହାଗଲା।

ଏଥିରେ ପ୍ରଥମ କରି ବେଦ ଉଚ୍ଚାରଣରେ ବାକ୍ୟମାନଙ୍କୁ ଚିହ୍ନଟ କରାଗଲା। ଧ୍ଵନିରେ ବିଶେଷ୍ୟ, କ୍ରିୟା ଓ ଅନ୍ୟ ଅଙ୍ଗ ଅଛି ବୋଲି ଯୁକ୍ତି ରଖାଗଲା। ବିଶେଷତଃ ବାକ୍ୟରେ କର୍ତ୍ତା ଓ କ୍ରିୟା ଅଛି ବୋଲି ଦେଖାଇ ଦିଆଗଲା। ଏ’ ପ୍ରକାର ଶବ୍ଦବିଚ୍ଛେଦ ଅନୁଶୀଳନ ପୃଥିବୀରେ ଏହା ପ୍ରଥମ କାର୍ଯ୍ୟ।

ଏହି କର୍ତ୍ତା କ୍ରିୟା ସମ୍ବନ୍ଧରୁ ବେଦରେ ନିହିତ ପ୍ରସଙ୍ଗଚର୍ଚ୍ଚା ଆରମ୍ଭ ହେଲା, ଗୋଟିଏ ପ୍ରସଙ୍ଗକୁ ଅନେକରକମର ବାକ୍ୟ ମାଧ୍ୟମରେ ପ୍ରକାଶ କରାଯାଇପାରେ ବୋଲି ମତ ସୃଷ୍ଟି ହେଲା। ଏ’ ବାକ୍ୟ ମାନଙ୍କରେ ଶବ୍ଦରୂପ ଅଲଗା ହୋଇପାରେ ବୋଲି ଉଦାହରଣମାନଙ୍କରୁ ଜଣାପଡିଲା| ଏ’ ପ୍ରକାରର ସମାନ ପ୍ରସଙ୍ଗର ଶବ୍ଦଗୁଡିକୁ ଏକତ୍ର କରି ପଣ୍ଡିତ ୟାସ୍କ ପୃଥିବୀର ପ୍ରଥମ ଅଭିଧାନ ସୃଷ୍ଟି କଲେ। ଏ’ ସମୟରେ ଭାରତବର୍ଷରେ ଲିପିର ବ୍ୟବହାର ନ ଥିଲା ବୋଲି ଐତିହାସିକମାନଙ୍କର ମତ । ଏ’ସମସ୍ତ ଗବେଷଣା ମୌଖିକ ପଦ୍ଧତିରେ ହୋଇଥିଲା ବୋଲି ଭାବିଲେ ବିସ୍ମୟ ଲାଗେ।

ଉଦାହରଣ ସ୍ଵରୂପ ‘କୂପ’ ବୋଲି ଗୋଟିଏ ଶବ୍ଦ ନିଆଯାଇପାରେ| ଆମେ ଏବର ପ୍ରଚଳନରେ ‘କୂଅ’ ବୋଲି କହୁଛୁ ବୈଦିକ ଭାଷାର ପଣ୍ଡିତ ୟାସ୍କଙ୍କ ଅଭିଧାନରେ ‘କୂପ’ ଶବ୍ଦର ଅନ୍ୟ ପ୍ରୟୋଗ ମାନେ ହେଲେ : ‘କାତୁ’, ‘କର୍ତ’, ‘କାଟ’, ‘ଖାତ’, ‘ଉତ୍ସ, ‘କଶୟ’  ଏପରି ଅନେକ।ଏମାନଙ୍କର ସୃଷ୍ଟି ବୋଧହୁଏ ବିଭିନ୍ନ ସୂତ୍ରରୁ, କିନ୍ତୁ ଅର୍ଥ ମୋଟାମୋଟି ଗୋଟିଏ ବୋଲି ଅନୁମାନ କରି ବେଦ ଶାସ୍ତ୍ରର ଅର୍ଥ ତିଆରି କରାଗଲା। ଏ’ ସମସ୍ତେ ସେ କାଳର ଭୂଇଁରେ ବିଭିନ୍ନ ଆକାରର ଜଳାଶୟର ନାଁ ହୋଇପାରେ (ଏ ଶବ୍ଦ ମାନଙ୍କର ଉତ୍ପତ୍ତି ବିଷୟ ଆମେ ଆଗ ପ୍ରବନ୍ଧରେ ଆଲୋଚନା କରିବା)

ଏମାନଙ୍କ ଭିତରେ ଅନେକ ମୌଳିକ ଶବ୍ଦଗୁଡିକୁ ପରେ ବୈୟାକରଣିକ ପାଣିନି “ସଂଜ୍ଞା” ନାମରେ  ନାମକରଣ କଲେ।

Comment