ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଅନ୍ୟ ପରିବାର ଲୋକ। ଏଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସିମୁଳିଆ ଗାଁରେ।

ସିମୁଳିଆ ଗାଁର ପରୀକ୍ଷିତ ସ୍ଵାଇଁ ଓ ତାଙ୍କ ପୁତୁରା ଦେବ ପ୍ରସାଦ ସ୍ଵାଇଁଙ୍କର ଦୁଇ ପରିବାର ମଧ୍ୟରେ ଭାଇ ଭାଗ ଜମିବାଡିକୁ ନେଇ ଦୀର୍ଘଦିନ ଧରି ଗଣ୍ଡଗୋଳ ହୋଇ ଆସୁଥିଲା। ଏହାର ସମାଧାନର ବାଟ ବାହାରି ନଥିବାରୁ ପରସ୍ପର ସହିତ କଳି ଝଗଡା ଲାଗି ରହୁଥିଲା।

ଶୁକ୍ରବାର ସକାଳୁ ପରୀକ୍ଷିତ ସ୍ଵାଇଁଙ୍କ ପୁଅ ଶିବ ପ୍ରସାଦ ଓ ତାଙ୍କ ପରିବାରର ଲୋକେ ସଙ୍ଘବଦ୍ଧ ହୋଇ ମାରଣାସ୍ତ୍ର ଧରି ଦେବପ୍ରସାଦଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ। ଭୁଜାଲି ପରି ଧାରୁଆ ଅସ୍ତ୍ରରେ ଦେବ ପ୍ରସାଦ ସ୍ଵାଇଁ, ତାଙ୍କ ପତ୍ନୀ ମୀରା ସ୍ଵାଇଁ ଓ ମା କୁସୁମ ସ୍ଵାଇଁଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ।

ପରିବାରର ୩ ଜଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ଚିତ୍କାର କରୁଥିବା ଖବର ପାଇ ପଡୋଶୀ ଘରର ଲୋକେ ପଟ୍ଟାମୁଣ୍ଡାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଡକାଇ ୩ ଗୁରୁତରଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ।

ବୃଦ୍ଧା କୁସୁମ ସ୍ଵାଇଁଙ୍କ ଗଳା ଓ ପେଟରେ ଭୁଜାଲି ଚୋଟରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ଦେବ ପ୍ରସାଦ ଓ ବୋହୂ ମୀରା ମଧ୍ୟ ଭୁଜାଲି ଚୋଟରେ ଲହୁଲୁହାଣ ହୋଇପଡିଛନ୍ତି। ସେମାନଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପଟ୍ଟାମୁଣ୍ଡାଇ ପୋଲିସ ପରୀକ୍ଷିତ ସ୍ଵାଇଁ ଓ ତାଙ୍କ ସ୍ତ୍ରୀ ମିନତୀ ପ୍ରଭା ସ୍ଵାଇଁଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ପରୀକ୍ଷିତଙ୍କ ପୁଅ ଶିବ ପ୍ରସାଦ ଫେରାର ହୋଇଯାଇଛି। ଏହି ଘଟଣାରେ କେତେ ଅଭିଯୁକ୍ତ ସାମିଲ ଅଛନ୍ତି ସେମାନଙ୍କ ସମ୍ପର୍କରେ ତଦନ୍ତ କରୁଛି ପୋଲିସ। ତଦନ୍ତ ଚାଲୁଥିବାରୁ ଅଧିକ ସୂଚନା ଦେଇ ପାରିନି ପୋଲିସ ବୋଲି ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ କୁମାର ଦେ କହିଛନ୍ତି।

Comment