ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ନାନ ମଣ୍ଡପରେ ହାତୀବେଶରେ ଚତୁର୍ଦ୍ଧାମୂର୍ତ୍ତି। ବିଧି ମୁତାବକ ମହାପ୍ରଭୁଙ୍କ ନୀତିକାନ୍ତି ହୋଇଛି। ଏହାସହ ଏଥର ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହୋଇଛି। ଏହାପରେ ଆଜିଠାରୁ ୧୪ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ଅଣସର ଘରେ ରହିବେ।

ସ୍ନାନଯାତ୍ରା ପାଇଁ ବିଳମ୍ଵିତ ରାତିରୁ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ରାତି ୧ଟା ୨୫ରେ ମଙ୍ଗଳର୍ପଣ ହୋଇ ୧ଟା ୪୦ରେ ପହଣ୍ଡି ହୋଇଥିଲା। ରାତି ୧ଟା ୪୦ ପହଣ୍ଡି ଆରମ୍ଭ ହୋଇ ୩ଟା ୧୦ରେ ସରିଥିଲା। ପରେ ରାତି ୩ଟା ୪୦ରେ ସ୍ନାନ ମଣ୍ଡପରେ ବିଜେ ହେଲେ ମଦନମୋହନ।

ପରେ ଭୋର ୪ଟା ୨୦ରେ ମଙ୍ଗଳ ଆଳତି ଓ ୪ଟା ୩୫ରେ ମଇଲମ, ତଡ଼ପଲାଗି ହୋଇଥିଲା। ଭୋର ୪ଟା ୫୦ରେ ମହାପ୍ରଭୁଙ୍କ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅବକାଶ ନୀତି ଓ ବେଶ ଶେଷ ହେବା ପରେ ସୂର୍ଯ୍ୟ ଓ ଦ୍ଵାରପାଳ ପୂଜା ମଧ୍ୟ ସମ୍ପର୍ଣ୍ଣ ହୋଇଥିଲା। ଏହା ପରେ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା।

ପରେ ମହାପ୍ରଭୁଙ୍କ ଛେରାପହଁରା ସେବା ହୋଇଥିଲା। ଆଜି ସ୍ନାନଯାତ୍ରାକୁ ଆସି ନଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେଥିପାଇଁ ସ୍ନାନଯାତ୍ରାରେ ମୁଦିରସ୍ତ ଛେରପହଁରା କରିଥିଲେ। ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଛେରାପହଁରା କରିଥିଲେ। ମଇଲମ, ମେକାପ ସର୍ବାଙ୍ଗ ଓ ନୂଆଲୁଗା ବେଶ ପରେ ଛେରାପହଁରା ସେବା ହୋଇଛି।

ଛେରାପହଁରା ସେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ହାତୀବେଶ କରାଯାଇଥିଲା। ବର୍ତ୍ତମାନ ସ୍ନାନ ମଣ୍ଡପରେ ହାତୀ ବେଶରେ ଶୋଭା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି।

Comment