ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର (ଟିଏମ୍‌ସି)ରେ ଆଖି ବୁଜିଲା ୬ ବର୍ଷର ଶିଶୁକନ୍ୟା। ଏଭଳି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଟିଏମ୍‌ସିରେ। ମୃତକ ଶିଶୁଟି ହେଉଛି ଡାକ୍ତର ଖଳସେଙ୍କ ଝିଅ ବର୍ଷା ଖଳସେ। ଚିକିତ୍ସା ଅଭାବରୁ ଝିଅର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଖଡ଼ିଆଳ ବ୍ଲକ ଝୋଲପଥର ଗାଁର ଡାକ୍ତର ଖଳସେ ନିଜ ପରିବାରର ୫ ଜଣ ସଦସ୍ୟଙ୍କ ସହ ଆନ୍ଧ୍ରରୁ ଫେରି ଏହି ଟିଏମ୍‌ସିରେ ରହୁଥିଲେ। ଫେରିବା ଦିନଠାରୁ ଝିଅ ବର୍ଷାର ଜ୍ଵର, ଝାଡ଼ା ହେଉଥିବାରୁ ଟିଏମ୍‌ସିରେ ଥିବା କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ ବାପା ଡାକ୍ତର ଖଳସେ। ହେଲେ ଝିଅର ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ କରିଛନ୍ତି ପରିବାର।

ଫଳରେ ଶନିବାର ସକାଳେ ଟିଏମ୍‌ସିରେ ବର୍ଷାର ମୃତ୍ୟୁ ହୋଇଥିଲା। ପରେ ଡାକ୍ତରୀ ଟିମ୍‌ ପହଞ୍ଚି ବର୍ଷାର ସ୍ଵାବ ନମୁନା ସଂଗ୍ରହ କରିଛନ୍ତି। ଏହାସହ ଘଟଣାସ୍ଥଳରେ ବର୍ତ୍ତମାନ ବିଡିଓ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ଟିଏମ୍‌ସିରେ ଏଭଳି ଚିକିତ୍ସା ଅଭାବ ସାଂଘାତିକ ଅଭିଯୋଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment