ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରବାସୀମାନଙ୍କର ପ୍ରସ୍ତୁତ ହେବ ଡାଟାବେସ୍। ରାଜ୍ୟକୁ ଫେରୁଥିବା ପ୍ରବସୀମାନଙ୍କୁ ଆଉ ବାହାର ରାଜ୍ୟକୁ ଫେରିବାକୁ ଦିଆଯିବନି। ରାଜ୍ୟରେ ସେମାନଙ୍କୁ ରୋଜଗାର ଯୋଗାଇବାକୁ ସରକାର ଚିନ୍ତା କରୁଛନ୍ତି। ତତ୍କାଳ ସେମାନଙ୍କୁ ମନରେଗାରେ ରୋଜଗାର ଯୋଗାଇଦେବେ ସରକାର ବୋଲି କହିଛନ୍ତି ଶ୍ରମିକ ନେତା ତଥା ରାଜ୍ୟସଭା ସାଂସଦ ସୁବାଷ ସିଂହ।

କରୋନା ଭୟରେ ନିଜ ଭିଟାମାଟିକୁ ଫେରି ଆସୁଛନ୍ତି ଲକ୍ଷଲକ୍ଷ ଶ୍ରମିକ। ଓଡିଶାରେ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏପର୍ଯ୍ୟନ୍ତ ଏହି ପ୍ରବାସୀମାନଙ୍କ ସଂଖ୍ୟା ୨୭ ହଜାର ଟପିଲାଣି। ବାହାର ଦେଶ ଓ ରାଜ୍ୟରେ କାମକରି ନିଜ ପରିବାର ଚଳାଉଥିବା ଏହି ଶ୍ରମିକମାନେ ଘରକୁ ଫେରି ଆସିବା ପରେ ଏମାନଙ୍କ ରୋଜଗାର ଠପ୍ ହୋଇଯାଇଛି।

ସୁବାଷ ସିଂହ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ପ୍ରବାସୀମାନଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି। ଜିଲ୍ଲାର ବିଭିନ୍ନ କ୍ଵାରେଣ୍ଟିନ୍‌ ସେଣ୍ଟରରେ ରହି ଘରକୁ ଫେରୁଥିବା ଏହି ପ୍ରବାସୀ ଶ୍ରମିକମାନଙ୍କୁ ତତ୍କାଳ ମନରେଗା କାର୍ଯ୍ୟରେ ନିଯୁକ୍ତ କରି ସେମାନଙ୍କୁ କିଛି କିଛି ରୋଜଗାର ଦେବାକୁ ଜିଲ୍ଲାପାଳଙ୍କୁ କହିଛନ୍ତି ସାଂସଦ।

କେନ୍ଦ୍ର ସରକାର ମନରେଗାରେ ଦୈନିକ ମଜୁରୀ ୨୦୫ ଟଙ୍କା କରିଛନ୍ତି। ଏହାକୁ ୩୦୦ ଟଙ୍କାକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେବେ। ଏହା ଛଡା ଦୈନିକ ୨୫ ହଜାର ଶ୍ରମିକଙ୍କୁ କାମ ମିଳିବା ଯୋଜନାକୁ ୫୦ ହଜାର କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସହରାଞ୍ଚଳରେ ଥିବା ଶ୍ରମିକମାନଙ୍କ ପାଇଁ ପ୍ରକଳ୍ପ ବାବଦକୁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ଦେଇଛନ୍ତି। କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ୫ଟି ଲେଖାଏଁ ପ୍ରକଳ୍ପ ବ୍ୟବସ୍ଥା ହୋଇଛି।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ହାତିଆ ଗାଁର ରଞ୍ଜନ ସାହୁ ନାମକ ଜଣେ ପାଣି ପାଇପ ଶ୍ରମିକଙ୍କ କରୋନାରେ ମୃତ୍ୟ ଘଟଣାରେ ତାଙ୍କ ବିଧବା ପତ୍ନୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ସାଂସଦ ୧୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି।

ଜିଲ୍ଲାରେ ଏପର୍ଯ୍ୟନ୍ତ ୧୬୪ ଜଣ ପଜିଟିଭ୍ କେସ୍ ମଧ୍ୟରୁ ୧୪୦ ପଜିଟିଭ୍ ସୁସ୍ଥ ହୋଇ ଘରକୁ ଫେରିଲେଣି। ମାତ୍ର ୨୪ ଜଣ ପଜିଟିଭ୍ ଏବେ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comment