ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିନା ମାସ୍କରେ ଯାତ୍ରା କରିପାରିବେ ନାହିଁ ଯାତ୍ରୀ
  • ଠିଆ ହୋଇ ଯାତ୍ରା କରିବା ମନା
  • ୬୬ଟି ରୁଟରେ ପ୍ରଥମ ପର୍ଯ୍ୟାୟରେ ବସ୍‌ ସେବା ଆରମ୍ଭ ହେବ

ଆସନ୍ତାକାଲିଠୁ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ ୬୬ଟି ରୁଟରେ ବସ ସେବା ଆରମ୍ଭ କରୁଛି। ପ୍ରଥମ ପର୍ଯ୍ୟାୟରେ ୯୬ଟି ବସ୍‌ ଚାଲିବ। ରାଜଧାନୀ ଭୁବନେଶ୍ୱରରୁ ୨୨ଟି ସହରକୁ ବସ୍‌ ଚଳାଚଳ ଆରମ୍ଭ ହେବ। ପରେ ଅଧିକ ବସ୍‌ ଚଳାଚଳ କରିବ ବୋଲି ରାଜ୍ୟ ସଡକ ପରିବହନ ନିଗମ ସିଏମ୍‌ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।

‘‘ଓଏସ୍‌ଆର୍‌ଟିସି ବସ୍‌ ପ୍ରବାସୀ ଶ୍ରମିକମାନଙ୍କର ନେବାଆଣିବା କାର୍ଯ୍ୟରେ ନିୟୋଜିତ ଥିଲା। ବିଭିନ୍ନ ଜିଲ୍ଲା ଅଧିକାରୀମାନଙ୍କ ଅନୁରୋଧ ଅନୁଯାୟୀ ଆମେ ବସ ଚଲାଇଥିଲୁ। ସମୁଦାୟ ୪୪୦ଟି ବସ ମଧ୍ୟରୁ ୭୦ ପ୍ରତିଶତ ବସ ଅତିଥି ଶ୍ରମିକମାନଙ୍କ ସେବାରେ ନିୟୋଜିତ ଥିଲା। ବର୍ତ୍ତମାନ ସେହି କାମ ପ୍ରାୟତଃ ସରି ଆସିଥିବାରୁ ପ୍ରଥମ ଦଫାରେ ୯୬ଟି ବସ୍‌ ଚଳାଚଳ ଆରମ୍ଭ କରୁଛୁ’’, କହିଛନ୍ତି ଅରୁଣ ବୋଥ୍ରା।

ମାସ୍କ ପିନ୍ଧିବା ପାଇଁ ସମସ୍ତ ଯାତ୍ରୀ ବାଧ୍ୟ ଏବଂ ବିନା ମାସ୍କରେ ଯାତ୍ରା କରିବାକୁ ଦିଆଯିବ ନାହିଁ। ସେହିଭଳି କୌଣସି ଯାତ୍ରୀ ଯାତ୍ରା ସମୟରେ ଠିଆହୋଇ ଯାଇପାରିବେ ନାହିଁ। ଜନସାଧାରଣ ଓ ବସ କର୍ମଚାରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଜରୁରିକାଳୀନ ଆବଶ୍ୟକ ନଥିଲେ ବସରେ ଯାତ୍ରା କରନ୍ତୁ ନାହିଁ। ବସଷ୍ଟାଣ୍ଡରେ ଏବଂ ବସରେ ଚଢ଼ିବା ସମୟରେ ନିଶ୍ଚିତ ଭାବରେ ସାମାଜିକ ଦୂରତା ରକ୍ଷା କରିବାକୁ ଶ୍ରୀ ବୋଥ୍ରା ଅପିଲ କରିଛନ୍ତି।

Comment