ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାର ଯାତ୍ରୀ ପରିବହନ ପାଇଁ ଘୋଷଣା କରିଥିବା ଲକ୍ଷ୍ମୀ ଯୋଜନାକୁ ଘରୋଇ ବସ୍ ମାଲିକମାନଙ୍କ ବିରୋଧ। ଯୋଜନା ଯୋଗୁଁ ରାଜ୍ୟର ହଜାର ହଜାର ଘରୋଇ ବସ୍ କର୍ମଚାରୀ ପ୍ରଭାବିତ ହେବେ ବୋଲି ଘରୋଇ ବସ୍ ମାଲିକ ସଂଘ ଅଭିଯୋଗ କରିଛି। ଏହି ସମସ୍ୟାର ସମାଧାନ ନହେଲେ ସେପ୍ଟେମ୍ବର ୨୭ ତାରିଖରୁ ବସ୍ ଚଳାଚଳ ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଛି। ଏନେଇ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି।

“ଓଡ଼ିଶାରେ ଯାତ୍ରୀ ପରିବହନ ପାଇଁ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବା ଦ୍ଵାରା ଘରୋଇ ବସ୍ ମାଲିକମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେବେ ତାହାକୁ ରାଜ୍ୟ ସରକାର ବିଚାରକୁ ନେଉନାହାନ୍ତି। ଆମେ ଏହି ଯୋଜନାକୁ ବିରୋଧ କରୁନାହୁଁ କାରଣ ଏହା ଦ୍ୱାରା ଲୋକମାନେ ଉପକୃତ ହେବେ। ହେଲେ ଏଥିପାଇଁ ହଜାର ହଜାର ଘରୋଇ ବସ୍ କର୍ମଚାରୀଙ୍କ ଜୀବିକା ପ୍ରଭାବିତ ହେବା କଥା ସରକାର ଚିନ୍ତା କରିବା ଦରକାର”, କହିଛନ୍ତି ଦେବେନ୍ଦ୍ର ସାହୁ।

ସେ ଆହୁରି ମଧ୍ୟ କହିଛନ୍ତି, “ଭୁବନେଶ୍ଵର ସମେତ ରାଜ୍ୟର ଅନ୍ୟ ସହରାଞ୍ଚଳରେ ଚାଲୁଥିବା ‘ମୋ ବସ୍’  ଘରୋଇ ବସ୍ ଚଳାଚଳ ଉପରେ ଅନେକ ମାତ୍ରାରେ ଚାପ ପକାଇଛି। ଲକ୍ଷ୍ମୀ ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ବସ୍ ସେବା ସମ୍ପ୍ରସାରିତ ହେଲେ ୮ ହଜାରରୁ ଅଧିକ ଘରୋଇ ବସ୍ ମାଲିକଙ୍କ ଆୟ ଆହୁରି ପ୍ରଭାବିତ ହେବ। ଏ ନେଇ ସରକାର ବସ୍ ମାଲିକଙ୍କ ସହ ଅନେକଥର ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନାହିଁ।”

ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ସରକାର ଆଲୋଚନା କରି ବସ୍ ଚଳାଚଳର ରୁଟ୍ ଓ ସମୟର ସମସ୍ୟାର ସମାଧାନ କରିବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ଯଦି ଏହା ବିଫଳ ହୁଏ ତେବେ ଘରୋଇ ବସ୍ ମାଲିକମାନେ ବାଧ୍ୟ ହୋଇ ଗାଡ଼ି ଚଳାଚଳ ବନ୍ଦ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଲକ୍ଷ୍ମୀ ଯୋଜନାରେ ମାଧ୍ୟମରେ ଓଡ଼ିଶାରେ ଯାତ୍ରୀ ପରିବହନ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏଥିରେ ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଏବଂ ରାଜ୍ୟ ରାଜଧାନୀ ଯାଏଁ ବସ୍ ଚଳାଇବାକୁ ସରକାର ଯୋଜନା କରିଛନ୍ତି। ଗତ କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ମଞ୍ଜୁରୀ ମିଳିଥିଲା।

Tags: #LaxmiScheme #PublicTransport #BusService #PrivateBusOwnersAssociation #Odisha

Comment