ଓଡ଼ିଶାଲାଇଭ୍ ବ୍ୟୁରୋ

bus-strike-Paralakhemundi

ଓଡ଼ିଶାରେ ଡିସେମ୍ବର ୧ ତାରିଖରୁ ପୁଣି ଆରମ୍ଭ ହେବ ବସ୍ ଧର୍ମଘଟ। ସରକାର ଦାବି ପୂରଣ କରୁନଥିବାରୁ ଘରୋଇ ବସ୍ ମାଲିକମାନେ ପୁଣି ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି। ସାରା ରାଜ୍ୟରେ ପୁଣି ବସ୍ ଚଳାଚଳ ବନ୍ଦ କରିବକୁ ସେମାନେ ଚେତାବନୀ ଦେଇଛନ୍ତି। ଏନେଇ ବୁଧବାର ଦିନ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଘୋଷଣା କରାଯାଇଛି।

ରାଜ୍ୟ ସରକାର ଦାବି ଶୁଣୁନଥିବାରୁ ବସ୍ ମାଲିକମାନେ ନଭେମ୍ବର ୨୨ ତାରିଖରେ ବିଧାନସଭା ସମ୍ମୁଖରେ ଧାରଣା ଦେବେ। ଏଥିରେ ଅନେକ ସଂଖ୍ୟା ବସ୍ ମାଲିକ ଓ କର୍ମଚାରୀମାନେ ଯୋଗ ଦେବେ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି।

ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଅନ୍ତର୍ଗତ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ବସ୍ ଚଳାଚଳକୁ ବିରୋଧ କରିଆସୁଛି ଘରୋଇ ବସ୍ ମାଲିକ ସଂଘ। ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ ବସକୁ ସାମିଲ କରିବା ଏବଂ ମୋ ବସ୍ ଚଳାଚଳକୁ କେବଳ ସହରାଞ୍ଚଳରେ ସୀମିତ ରଖିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। 

ସରକାର ଦାବି ପୂରଣ ନକଲେ ଡିସେମ୍ବର ୧ ତାରିଖରୁ ରାଜ୍ୟବ୍ୟାପି ବସ୍ ଧର୍ମଘଟ କରିବାକୁ ଘରୋଇ ବସ୍ ମାଲିକ ସଂଘ ଯୋଜନା କରିଛି। ଏଥର ଆନ୍ଦୋଳନକୁ ଜୋରଦାର କରିବାକୁ ସଂଘ ନିଷ୍ପତ୍ତି ନେଇଛି।  

ଏହାପୂର୍ବରୁ ‘ଲକ୍ଷ୍ମୀ’ ଯୋଜନା ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ଅକ୍ଟୋବର ୨୦ ତାରିଖରେ ବସ୍‌ ଚଳାଚଳ ବନ୍ଦ ରଖିଥିଲା। ଫଳରେ ପାର୍ବଣ ସମୟରେ ରାଜ୍ୟବ୍ୟାପି ଲୋକେ ଯିବାଆସିବାରେ ବହୁ ଅସୁବିଧାର ସାମ୍ନା କରିଥିଲେ।

ଏହାପରେ ରାଜ୍ୟ ସରକାରଙ୍କଠାରୁ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଧର୍ମଘଟକୁ ସ୍ଥଗିତ ରଖିଥିଲା ଘରୋଇ ବସ୍‌ ମାଲିକ ସଂଘ। ଏହାକୁ ନେଇ ଘରୋଇ ବସ୍ ମାଲିକ ସଂଘର ପ୍ରତିନିଧି ଏବଂ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ବୈଠକ ହୋଇଥିଲା। ହେଲେ ସରକାର ସେମାନଙ୍କୁ ଦାବି ପୂରଣ କୌଣସି ପଦକ୍ଷେପ ନେଉନଥିବା ସଂଘ ଅଭିଯୋଗ କରିଛି।

Tas: #BusStrike #PrivateBusOwners #BusService #Odisha    

Comment