ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ହୋଇଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ମୃତ ଯାତ୍ରୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି।

ଦିଗପହଣ୍ଡି ବସ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କର ଏବେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଚିକିତ୍ସା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଆହତଙ୍କ ଆରୋଗ୍ୟ କାମନା କରିବା ସହ ସେମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି।

ସେହିପରି ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଘଟଣାସ୍ଥଳକୁ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆହତଙ୍କ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି।

ରବିବାର ରାତି ପ୍ରାୟ ୧ଟା ବେଳେ ଦିଗପହଣ୍ଡିର ଖେମୁଣ୍ଡି କଲେଜ ଛକ ନିକଟରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀରୁ ଭୁବନେଶ୍ୱର ଯାଉଥିବା ଓଏସଆରଟିସି ବସ ସହ ଏକ ଘରୋଇ ମିନି ବସର ଧକ୍କା ହୋଇଥିଲା। ଏହି ମିନି ବସରେ ବ୍ରହ୍ମପୁରରୁ ବିବାହ କାର୍ଯ୍ୟକ୍ରମ ସାରି କନ୍ୟା ପକ୍ଷର ଲୋକେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗାଁକୁ ଫେରୁଥିଲେ।

ଏହି ଦୁର୍ଘଟଣାଟି ଏତେ ଭୟାବହ ଥିଲାକି ମିନି ବସର ବାମ ପାର୍ଶ୍ଵ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା। ମୃତ ଯାତ୍ରୀଙ୍କ ମଧ୍ୟରେ ୬ ଜଣ ପୁରୁଷ, ୪ ଜଣ ମହିଳା, ୨ ଜଣ ଶିଶୁ ରହିଛନ୍ତି। ମୃତକଙ୍କ ମଧ୍ୟରୁ ୭ ଜଣ ଗୋଟିଏ ପରିବାରର ରହିଥିବା ସୂଚନା ମିଳିଛି। ଘଟଣାପରେ ଏବେ ଖଣ୍ଡଦେଉଳି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Tags: #DigapahandiBusAccident #RoadAccident #Collision #OSRTC #Ganjam

 

Comment