ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଦୀ ସରକାରଙ୍କ ପ୍ରଥମ ପାଳିର ପାଞ୍ଚ ବର୍ଷ ଏବଂ ଦ୍ୱିତୀୟ ପାଳିର ବର୍ଷକ ଭିତରେ ଓଡ଼ିଶାକୁ କ’ଣ ମିଳିଛି ତାର ହିସାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଡିଜିଟାଲ ପ୍ଲାଟଫର୍ମରେ ଆୟୋଜିତ ଭର୍ଚୁଆଲ ରାଲିରେ ଯୋଗଦେଇ ଶାହ ଗୋଟି ଗୋଟି ହିସାବ ଦେଇଛନ୍ତି।

ଗତ ପାଞ୍ଚ ବର୍ଷରେ ଓଡ଼ିଶାକୁ ୫ ଲକ୍ଷ ୫୨ ହଜାର ୧୦୯ କୋଟି ଟଙ୍କା ମିଳିଥିବା ଅମିତ ଶାହ କହିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଓଡ଼ିଶାର ୩୬.୫ କୋଟି ଲୋକ ଉପକୃତ ହୋଇଥିବା ବେଳେ ଜନଧନ ଯୋଜନାରେ ୪୦ ଲକ୍ଷ ମହିଳାଙ୍କ ଆକାଉଣ୍ଟ ଖୋଲାଯାଇଛି।

ସାମାଜିକ ସୁରକ୍ଷା ଯୋଜନାରେ ୨୦ ଲକ୍ଷ ବିଧବା, ବୃଦ୍ଧ, ଦିବ୍ୟାଙ୍ଗକୁ ଭତ୍ତା ଦେଉଛନ୍ତି କେନ୍ଦ୍ର ସରକାର। ୨୮ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ବି ସହାୟତା ମିଳିଛି। ୪୭ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ସଂଯୋଗ ମିଳିଛି। ଡିଏମ୍‌ଏଫ୍‌ ପାଣ୍ଠିକୁ ୨ ଲକ୍ଷ ୧୨ ହଜାର କୋଟି ଟଙ୍କା ଦିଆଯାଇଥିବା ବେଳେ ଏନଡିଆରଏଫ୍‌କୁ ୧୧୮ କୋଟି ଟଙ୍କା ମିଳିଛି। ପାଇକ ବିଦ୍ରୋହ ସ୍ମାରକ ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି।

‘‘ଗତ ଲୋକସଭା ନିର୍ବାଚନରେ ଓଡ଼ିଶାବାସୀ ମୋଦୀଙ୍କ ହାତମୁଠା ଟାଣ କରିଛନ୍ତି। ଓଡ଼ିଶାରୁ ୩୮.୪ ପ୍ରତିଶତ ଭୋଟ ମିଳିଛି। ୯୧ ଲକ୍ଷରୁ ଅଧିକ ଲୋକ ମୋଦୀଙ୍କୁ ଆଶୀର୍ବାଦ ଦେଇଛନ୍ତି। ଓଡ଼ିଶାର ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମେ ଯାହା କହିଥିଲୁ ତାହା ହିଁ କରୁଛୁ’’, କହିଛନ୍ତି ଅମିତ ଶାହ।

Comment