ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଦୀ ସରକାରଙ୍କର ଯୋଜନାର ଗୋଟି ଗୋଟି ହିସାବ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

କରୋନା ଲକ୍‌ଡାଉନ୍‌ ବେଳେ ବିଜେପି କରିଛି ଡିଜିଟାଲ ରାଲି। ଡିଜିଟାଲ ପ୍ଲାଟଫର୍ମରେ ‘ଓଡ଼ିଶା ଜନସମ୍ବାଦ ରାଲି’ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାର ବିଜେପି କର୍ମକର୍ତ୍ତା ଏବଂ ଲୋକଙ୍କୁ ଉଦବୋଧନ ଦେଇଛନ୍ତି। ମୋଦୀଙ୍କ ଦ୍ୱିତୀୟ ପାଳି ସରକାରର ବର୍ଷ ପୂର୍ତ୍ତି ଅବସରରେ ଶାହ ଟିକିନିଖି ହିସାବ ଦେଇଛନ୍ତି। କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ଲୋକଙ୍କୁ ବିଶୁଦ୍ଧ ପାଣି

ନରେନ୍ଦ୍ର ମୋଦୀ ବିପୁଳ ସମର୍ଥନ ପାଇ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଥମ ଥର ପାଇଁ ସେ ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଜଳ ଶକ୍ତି ମିଶନ ଗଠନ କରି ଘରେ ଘରେ ପାଇପ୍‌ ପାଣି ଯୋଗାଣକୁ ଗୁରୁତ୍ୱ ଦେଇଥିଲେ। ୨୫ କୋଟି ଲୋକଙ୍କ ଘରେ ବିଶୁଦ୍ଧ ପାଇପ୍‌ ପାଣି ଯୋଗାଇବାକୁ ମୋଦୀ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି କାମ ତ୍ୱରାନ୍ୱିତ ବେଗରେ ଚାଲିଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିଲା

ଜମ୍ମୁ କଶ୍ମୀରକୁ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୋଦୀ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ କରିଥିଲେ। ବର୍ଷ ବର୍ଷ ଧରି ଯେଉଁ କାମ ହୋଇପାରୁ ନଥିଲା ଏବଂ ଏହି ଧାରା ଉଚ୍ଛେଦ କରିବାକୁ ଯେଉଁମାନେ ଭୟ କରୁଥିଲେ ତାହା କରିବା ପାଇଁ ମୋଦୀ ସରକାର ସାହସ ଦେଖାଇଛନ୍ତି। ଏହି ଧାରା ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀରବାସୀଙ୍କୁ ନ୍ୟାୟ ମିଳିଛି।

ସେହିପରି ମୁସଲିମ ମହିଳାଙ୍କୁ ନ୍ୟାୟ ଦେବା ଲାଗି ମୋଦୀ ସରକାର ବେଆଇନ୍ ତିନି ତଲାକ ବିଲ୍‌ ହଟାଇଛନ୍ତି।

କରୋନା ଲଢ଼େଇ

ମୋଦୀ ସରକାର କରୋନା ମହାମାରୀର ଯେମିତି ମୁକାବିଲା କରୁଛନ୍ତି ତାହା ସାରା ବିଶ୍ୱରେ ଉଦାହରଣ ପାଲଟିଛି। କରୋନା ମୁକାବିଲା ପାଇଁ ମୋଦୀ ଘୋଷଣା କରିଥିବା ଲକ୍‌ଡାଉନ୍‌ ସଫଳ ହୋଇଛି। ଫଳରେ ଆମ ଦେଶ ଅନ୍ୟ ରାଷ୍ଟ୍ର ତୁଳନାରେ ଭଲ ସ୍ଥିତିରେ ରହିଛି। ମୋଦୀଙ୍କ ସଫଳ ରଣନୀତି କରୋନା ମହାମାରୀକୁ ଦୂରରେ ରଖିଛି। ପ୍ରବାସୀଙ୍କୁ ନିଜ ଘରକୁ ଫେରାଇ ଆଣିବା ଲାଗି ମୋଦୀ ସରକାର ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବା ସମସ୍ତଙ୍କ ମୁହଁରେ ହସ ଫୁଟାଇଛି।

ସ୍ୱର୍ଣ୍ଣାକ୍ଷରରେ ରହିବ ଜନତା କର୍ଫ୍ୟୁ

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଘୋଷଣା କରିଥିଲେ। ଏହାକୁ ସାରା ଦେଶବାସୀ ସମର୍ଥନ କରିଥିଲେ। କେହି ବି ଘରୁ ବାହାରି ନଥିଲେ। ଭାରତରେ ଜଣେ ଜନପ୍ରତିନିଧିଙ୍କ ନିବେଦନକୁ ଦେଶବାସୀ ଅକ୍ଷରେ ଅକ୍ଷରେ ପାଳନ କରିବା ଘଟଣା ଏହା ପ୍ରଥମ ଥିଲା। ଏହି ଜନତା କର୍ଫ୍ୟୁ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

ଓଡ଼ିଶାର ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ

ଓଡ଼ିଶାକୁ ମୋଦୀ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ପ୍ରଥମ ପାଳି ସରକାରରେ ଯେତିକି ଅନୁଦାନ ମିଳୁଥିଲା ଏବେ ବି ସେମିତି ମିଳୁଛି। ଓଡ଼ିଶାବାସୀଙ୍କ ପାଇଁ ଆମେ ବହୁତ କିଛି କରିଛୁ। କୃଷକଙ୍କ ପାଇଁ ନିକଟରେ ଏମଏସ୍‌ପି ବୃଦ୍ଧି କରିଛୁ। ଆତ୍ମ ନିର୍ଭର ଭାରତ ଯୋଜନାରେ ଓଡ଼ିଶା ଲାଭ ପାଇବ।

କଂଗ୍ରେସକୁ ଟାର୍ଗେଟ

ଡିଜିଟାଲ ରାଲିରେ କଂଗ୍ରେସକୁ ଟାର୍ଗେଟ କରିଥିଲେ ଅମିତ ଶାହ। କଂଗ୍ରେସ ସରକାର ଅମଳରେ ଯାହା ହୋଇପାରି ନଥିଲା ତାହା ବିଜେପି ସରକାର ପୂରଣ କରୁଛି।

‘‘କଂଗ୍ରେସ ସବୁବେଳେ ଗରିବ ହଟାଅ ସ୍ଲୋଗାନ ଦେଇ ଆସୁଛି। ହେଲେ ଗରିବଙ୍କ ପାଇଁ ସେମାନେ କ’ଣ କରିଛନ୍ତି? କେବଳ ପରିବାରବାଦ, ତୁଷ୍ଟିକରଣ ରାଜନୀତିରେ ଦଳ ବ୍ୟସ୍ତ ରହିଯାଇଛି। ଗରିବଙ୍କ ଆକାଉଣ୍ଟକୁ ସିଧାସଳଖ ପଇସା ପଠାଇବାର ବ୍ୟବସ୍ଥା ଆମ ସରକାର କରିଛି’’, କହିଛନ୍ତି ଅମିତ ଶାହ।

ଅରାମେ ଦେଶର ୫୧ କୋଟି ଗରିବ ପରିବାର ଆକାଉଣ୍ଟକୁ ସିଧା ପଇସା ପଠାଉଛୁ। ଦିଲ୍ଲୀରୁ ଆମେ ଯେତିକି ପଠାଉଛୁ ସେତିକି ହିଁ ଗରିବଙ୍କ ଆକାଉଣ୍ଟରେ ପଡୁଛି। ହେଲେ କଂଗ୍ରେସ ଅମଳରେ ଦିଲ୍ଲୀରୁ ଯାହା ଯାଉଥିଲା ତାହା ବାଟମାରଣା ହେଉଥିଲା।

ଉଜ୍ଜ୍ୱଳା ଯୋଜନାରେ ଦେଶର ୮ କୋଟି ମହିଳାଙ୍କୁ ଗ୍ୟାସ୍‌ ସଂଯୋଗ ଦେଇଛି ବିଜେପି ସରକାର। ସୌଭାଗ୍ୟ ଯୋଜନାରେ ୨୦ ହଜାର ଗାଁ ଏବଂ ଅମେଇ କୋଟି ଲୋକଙ୍କ ପାଖରେ ବିଜୁଳି ପହଞ୍ଚିଛି। ୧୦ କୋଟି ଘରେ ଶୌଚାଳୟ ନିର୍ମାଣ ହୋଇପାରିଛି। ମୋଦୀ ସରକାର ଆସିବା ପରେ ୬୦ କୋଟି ଲୋକଙ୍କୁ ସେମାନଙ୍କ ହକ୍‌ ମିଳିଛି।

ଡିଜିଟାଲ ରାଲିରେ ଅମିତ ଶାହ ଓଡ଼ିଶାର ବରପୁତ୍ରମାନଙ୍କୁ ସ୍ମରଣ କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ସେ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ଦିଲ୍ଲୀରେ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପ୍ରଭାରୀ ଅରୁଣ ସିଂହ ଥିବା ବେଳେ ରାଜ୍ୟ ବିଜେପି ପାର୍ଟି ଅଫିସରେ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଏବଂ କର୍ମୀ ଉପସ୍ଥିତ ଥିଲେ।

ଏହାସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କର୍ମକର୍ତ୍ତାମାନେ ଏହି ଡିଜିଟାଲ ରାଲିରେ ସାମିଲ ହୋଇଥିଲେ।

Comment