ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଉପରେ ଆଜି ସିଧାସଳଖ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପିର ଭର୍ଚୁଆଲ ରାଲି ‘ଓଡ଼ିଶା ଜନ ସମ୍ବାଦ’ରେ ଯୋଗଦେଇ ଧର୍ମେନ୍ଦ୍ର କଂଗ୍ରେସକୁ ଟାର୍ଗେଟ କରିଥିଲେ। କଂଗ୍ରେସ ସରକାର ଅମଳରେ ଓଡ଼ିଶା ଅବହେଳିତ ହୋଇ ରହିଥିବା ଧର୍ମେନ୍ଦ୍ର କହିଥିଲେ। ବର୍ତ୍ତମାନ ମୋଦୀ ସରକାର ଯେତିକି ଅନୁଦାନ ଓଡ଼ିଶାକୁ ଦେଉଛନ୍ତି ତା’ ତୁଳନାରେ କଂଗ୍ରେସ କିଛି ଦେଉ ନଥିଲା ବୋଲି ସେ କହିଛନ୍ତି।

‘‘୨୦୦୫ ମସିହାରେ ଆମେ ଓଡ଼ିଶାର ହକ୍‌ ମାଗିବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପାଖକୁ ଯାଇଥିଲୁ। ହେଲେ ମନମୋହନ ସିଧା ସିଧା ମନା କରିଦେଇଥିଲେ। ଟଙ୍କା ଗଛରେ ଫଳେ ନାହିଁ କହି ଓଡ଼ିଶାବାସୀଙ୍କୁ ଅପମାନିତ କରିଥିଲେ। ହେଲେ ଏବେର ମୋଦୀ ସରକାରଙ୍କ ନୀତି କିନ୍ତୁ ଭିନ୍ନ। ଛୁଟି ଦିନରେ ବି ଓଡ଼ିଶାକୁ ଟଙ୍କା ଆସୁଛି। ଅମ୍ପନ କ୍ଷୟକ୍ଷତି ଆକଳନ ପରେ ମୋଦୀ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କା ଘୋଷଣା କରିଥିଲେ। ଏହି ଟଙ୍କା ଛୁଟି ଦିନରେ ଓଡ଼ିଶାକୁ ଆସିଥିଲା’’, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

କେବଳ ସେତିକି ନୁହେଁ, ମୋଦୀଙ୍କ ଭଲପାଇବା ଓଡ଼ିଶାବାସୀଙ୍କ ପ୍ରତି ରହିଥିବା ସେ କହିଛନ୍ତି। ଅଟଳ ବିହାରୀ ବାଜପେୟୀ ଯେମିତି ଓଡ଼ିଶାକୁ ଗୁରୁତ୍ୱ ଦେଉଥିଲେ ଠିକ୍‌ ମୋଦୀ ଏବେ ଓଡ଼ିଶାକୁ ଗୁରୁତ୍ୱ ଦେଉଛନ୍ତି।

Comment